ହାଇଦ୍ରାବାଦ: ଶେଷ ପର୍ଯ୍ୟାୟରେ ଲୋକସଭା ନିର୍ବାଚନ 2024 । ଜୁନ 1 ତାରିଖ ଦେଶରେ ସପ୍ତମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଅନ୍ତିମ ପର୍ଯ୍ୟାୟ ଫାଇଟ ପାଇଁ ଗୁରୁବାର ସନ୍ଧ୍ୟାରୁ ବିଭିନ୍ନ ରାଜନୈତିକ ଦଳର ମାରାଥନ ପ୍ରଚାର ଶେଷ ହେବା ପରେ ଆସିଛି ପରୀକ୍ଷାର ଘଡ଼ି । 7 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ମୋଟ 57 ନିର୍ବାଚନ ମଣ୍ଡଳୀରେ ମତଦାନ ଅନୁଷ୍ଠିତ ହେବ । ଏହି ପର୍ଯ୍ୟାୟରେ ମୈଦାନରେ ଥିବା 904 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତାଦାତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ପର୍ଯ୍ୟାୟରେ ମୈଦାନରେ ଅଛନ୍ତି । ସେ ଉତ୍ତର ପ୍ରଦେଶ ବାରଣାସୀ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢୁଛନ୍ତି ।
ମୈଦାନରେ 904 ପ୍ରାର୍ଥୀ:- ସପ୍ତମ ପର୍ଯ୍ୟାୟରେ ମୈଦାନରେ ମୋଟ 904 ପ୍ରାର୍ଥୀ ରହିଛନ୍ତି । ଏମାନଙ୍କ ମଧ୍ୟରୁ 809 ଜଣ ପୁରୁଷ ଥିବା ବେଳେ 94ଜଣ ମହିଳା ଓ ଜଣେ ତୃତୀୟ ଲିଙ୍ଗୀ ପ୍ରାର୍ଥୀ ଅଛନ୍ତି । ଏମାନଙ୍କ ମଧ୍ୟରୁ 2078 ପ୍ରାର୍ଥୀ ନାମାଙ୍କନ ଭରିଥିବା ବେଳେ 1413ଜଣଙ୍କର ଗ୍ରହଣ କରାଯାଇଥିଲା । 598 ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାଖ୍ୟାନ ଓ 57 ଜଣ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେବା ପରେ ଏବେ 904ଜଣ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରିବେ । ଏହି ପର୍ଯ୍ୟାୟରେ ଦେଶରେ 167 ରାଜନୈତିକ ଦଳର ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।
କୋଟିପତି ପ୍ରାର୍ଥୀ:-904 ପ୍ରାର୍ଥୀଙ୍କ ମଧ୍ୟରୁ 299ଜଣ କୋଟିପତି ପ୍ରାର୍ଥୀ ଅଛନ୍ତି । ପଞ୍ଜାବ ବଠିଣ୍ଡା ଶିରୋମଣି ଅକାଳି ଦଳ (SAD) ପ୍ରାର୍ଥୀ ହରସିମ୍ରତ କୌର ବାଦଲଙ୍କ 198 କୋଟି ସମ୍ପତ୍ତି ଥିବା ବେଳେ ସେ ମୁଖ୍ୟ 5କୋଟିପତି ସାଂସଦ ପ୍ରାର୍ଥୀଙ୍କ ତାଲିକାରେ ପ୍ରଥମରେ ରହିଛନ୍ତି । ଦ୍ବିତୀୟର ଅଛନ୍ତି କେନ୍ଦ୍ରାପଡ଼ା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ତାଙ୍କ ସମ୍ପତ୍ତିର ମୂଲ୍ୟ ରହିଛି 148 କୋଟି । ସେହିପରି ଚଣ୍ଡିଗଡ଼ ବିଜେପି ସାଂସଦ ପ୍ରାର୍ଥୀ ସଞ୍ଜୟ ଟଣ୍ଡନଙ୍କ ସମ୍ପତ୍ତିର ମୂଲ୍ୟ 111କୋଟି ରହିଛି । ମଣ୍ଡି କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟ ସିଂଙ୍କ ସମ୍ପତ୍ତିର ମୂଲ୍ୟ 100କୋଟି ରହିଛି । ମଣ୍ଡି ବିଜେପି ସାଂସଦ ପ୍ରାର୍ଥିନୀ ତଥା ବଲିଉଡ ଅଭିନେତା କଙ୍ଗନା ରଣାୱତଙ୍କ ସମ୍ପତ୍ତିର ମୂଲ୍ୟ 91କୋଟି ରହିଛି ।
ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀ:- ଶେଷ ପର୍ଯ୍ୟାୟରେ 199 ସାଂସଦ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରହିଛି । ଏହି ତାଲିକାର ପ୍ରଥମରେ ଅଛନ୍ତି ଉତ୍ତର ପ୍ରଦେଶ ବାଲିଆ ବିଏସପି ପ୍ରାର୍ଥୀ ଲଲନ ସିଂ ଯାଦବ । ତାଙ୍କ ବିରୋଦରେ 27ଟି ସଙ୍ଗୀନ ଆଇପିସି ଧାରା ଓ 22ଟି ଅପରାଧିକ ମାମଲା ରହିଛି । ପଞ୍ଜାବ ଖଦୁର ସାହିବ ସ୍ବାଧୀନ ପ୍ରାର୍ଥୀ ଅମୃତପାଲ ସିଂଙ୍କ ବିରୋଧରେ 12ଟି ଅପରାଧିକ ମାମଲା ରହିଛି । ବାରଣାସୀ କଂଗ୍ରେସ ପ୍ରାର୍ଥୀ ଅଜୟ ରାଏଙ୍କ ବିରୋଧରେ 18ଟି ମାମଲା ରହିଛି । ସେହିପରି ପଶ୍ଚିମବଙ୍ଗ ଡାୟମଣ୍ଡ-ହାର୍ବର ବିଜେପି ପ୍ରାର୍ଥୀ ଅଭିଜିତ ଦାସଙ୍କ ବିରୋଧରେ 13ଟି ମାମଲା ଥିବା ବେଳେ ଉତ୍ତର ପ୍ରଦେଶ ଖୁସି ନଗର ରାଷ୍ଟ୍ରୀୟ ଶୋସିତ ସମାଜ ପାର୍ଟି (RSSP) ପ୍ରାର୍ଥୀ ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ 9ଟି ଅପରାଧିକ ମାମଲା ରହିଛି ।