କୋଲକାତା:ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପ୍ରତିବାଦରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ପଶି ଭଙ୍ଗାରୁଜା ମାମଲାରେ ପୋଲିସ ୧୯ ଜଣଙ୍କୁ ଗିରଫ କରିଛି । ଏମାନେ ଗତ ବୁଧବାର ରାତିରେ ମେଡିକାଲ ପରିସରରେ ବ୍ୟାପକ ହିଂସାକାଣ୍ଡ ଘଟଣାଇଥିଲେ ଓ ଡାକ୍ତରଙ୍କୁ ମାଡ ମାରିବାରେ ସମ୍ପୃକ୍ତ ଥିଲେ । ଅଭିଯୁକ୍ତମାନଙ୍କ ମଧ୍ୟରୁ ୫ ଜଣଙ୍କୁ ସୋସିଆଲ ମିଡିଆ ଫିଡ୍ବ୍ୟାକ୍ ଦ୍ବାରା ଚିହ୍ନଟ କରାଯାଇଛି । ଏନେଇ ଆଜି କୋଲକାତା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏପଟେ ପଶ୍ଚମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘଟଣାରେ ସିବିଆଇକୁ ଡେଲାଇଲନ ଦେଇଛନ୍ତି । ଆସନ୍ତା ରବିବାର ମଧ୍ୟରେ ମାମଲାର ତଦନ୍ତ ଶେଷ ନହେଲେ ସେ ଧାରଣା ଦେବେ ବୋଲି କହିଛନ୍ତି । ଏପରିକି ଆସନ୍ତାକାଲିଠୁ ସେ ଧାରଣରେ ବସିବେ ।
ହସ୍ପିଟାଲ ପରିସରରେ ଭଙ୍ଗାରୁଜା ଘଟଣା ଗତକାଲି କୋଲକାତା ପୋଲିସ ସୋସିଆଲ ମିଡିଆରେ ସନ୍ଦିଗ୍ଧଙ୍କ ଫଟୋ ସେୟାର କରିଥିଲା । ସନ୍ଦିଗ୍ଧମାନଙ୍କ ମଧ୍ୟରୁ କାହାରିକୁ ଜାଣିଥିଲେ ପୋଲିସକୁ ଜଣାଇବାକୁ ଲୋକଙ୍କୁ ନିବେଦନ କରାଯାଇଥିଲା । ଏଥିସହ ଚିହ୍ନଟ ପାଇଁ ଦୁର୍ବୃତ୍ତମାନେ ବ୍ୟାରିକେଡ ଭାଙ୍ଗି ମେଡିକାଲ ଭିତରକୁ ଧସେଇ ପଶୁଥିବାର ଏକ ଭିଡିଓ ମଧ୍ୟ ସେୟାର କରାଯାଇଥିଲା ।
ପୋଲିସର କହିବା ଅନୁସାରେ, ବୁଧବାର ବିଳମ୍ବିତର ରାତି ପ୍ରାୟ ୧୨ଟା ୪୦ରେ କିଛି ଅଜ୍ଞାତ ଲୋକଙ୍କ ଏକ ବଡ ଗୋଷ୍ଠୀ ବ୍ୟାରିକେଡ ଭାଙ୍ଗି ଆରଜି କର ମେଡିକାଲ କଲେଜ ଭିତରକୁ ଧସେଇ ପଶିଥିଲେ । ସେମାନେ ହସ୍ପିଟାଲ ପରିସରରେ ବ୍ୟାପକ ଭଙ୍ଗାରୁଜା କରିବା ସହ ସେଠାରେ ଆନ୍ଦୋଳନ କରୁଥିବା ଡାକ୍ତରମାନଙ୍କୁ ମାରପିଟ୍ କରିଥିଲେ । ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ବିରୋଧରେ ରାତି ଅଧରେ ମହିଳାମାନଙ୍କ ଦ୍ବାରା ଆରମ୍ଭ ହୋଇଥିଲା Reclaim the Night' ଅଭିଯାନ ମଧ୍ୟରେ ମେଡିକାଲ କଲେଜରେ ଏହି ହିଂସାକାଣ୍ଡ ।