ହାଇଦ୍ରାବାଦ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । 1950 ମସିହା ସେପ୍ଟମ୍ବର 17 ତାରିଖରେ ଗୁଜୁରାଟରେ ଜନ୍ମଗ୍ରହଣ କରିଥିବା ନରେନ୍ଦ୍ର ମୋଦି ଆଜି 74 ବର୍ଷରେ ପଦାର୍ପଣ କରିଛନ୍ତି । କ୍ରାମାଗତ 3ଥର ପ୍ରଧାନମନ୍ତ୍ରୀ ହେବାର ବିରଳ ରେକର୍ଡ କରିଥିବା ନରେନ୍ଦ୍ର ମୋଦି କେବଳ ଭାରତୀୟ ରାଜନୀତି ନୁହେଁ ବରଂ ବିଶ୍ବର ଜଣେ ପ୍ରଭାବୀ ରାଜନେତା ତଥା ରାଷ୍ଟ୍ରମୁଖ୍ୟ ଭାବେ ସଫଳ ପରିଚୟ ସୃଷ୍ଟି କରିପାରିଛନ୍ତି । କେତେକ କ୍ଷେତ୍ରରେ ସେ ପ୍ରଥମ ହେବାର ରେକର୍ଡ ମଧ୍ୟ କରିଛନ୍ତି ।
ବାଲ ସ୍ବଂୟସେବକରୁୁ ବିଶ୍ବର ସର୍ବବୃହତ୍ତ ଗଣତାନ୍ତ୍ରିକ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ମୋଦିଙ୍କର ଜୀବନ ଯାତ୍ରା ଥିଲା ବେଶ ରୋଚକ । ନିଜ ରାଜନୈତିକ କ୍ୟାରିୟରରେ ଲମ୍ବା ଇନିଂସ ଖେଳିଥିବା ମୋଦି ଭାରତୀୟ ରାଜନୀତିରେ ଏକାଧିକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି । ଜାଣନ୍ତୁ ଏହି ସବୁ ସମ୍ପର୍କରେ ।
- ପ୍ରାରମ୍ଭିକ ଜୀବନ:-
ଭାରତ ସ୍ବାଧୀନତା ପ୍ରାପ୍ତିର 3ବର୍ଷ ପରେ ତଥା 1950 ମସିହାରେ ପଶ୍ଚିମ ଉପକୂଳ ରାଜ୍ୟ ଗୁଜୁରାଟର ଭଡନଗରରେ ଜନ୍ମଗ୍ରହଣ କରିଥିଲେ ମୋଦି । ପିତାଙ୍କ ନାମ ଥିଲା ଦାମଦୋର ଦାସ ମୋଦି ଓ ମା’ ଥିଲେ ହୀରାବେନ । ମୋଦିଙ୍କ ସମ୍ପୂର୍ଣ୍ଣ ନାଁ ଥିଲା ନରେନ୍ଦ୍ର ଦାମୋଦର ଦାସ ମୋଦି । ଭଡନଗର ରେଳ ଷ୍ଟେସନରେ ତାଙ୍କ ପରିବାରର ଏକ ଚା’ ଦୋକାନ ଥିଲା । ସ୍ଥାନୀୟ ସ୍କୁଲରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିବା ସମୟରେ ସେ ଚା’ ଷ୍ଟଲରେ କାମ ମଧ୍ୟ କରୁଥିଲେ । ପିଲାଦିନେ ବେଶ ଉତ୍ସାହୀ, ସାହାସୀ ଓ ପରିଶ୍ରମୀ ଥିେଲ ମୋଦି । 1968 ମସିହାରେ ସେ ଯଶୋଦାବେନଙ୍କୁ ବିବାହ କରିଥିଲେ । ମାତ୍ର ସେ କୌଣସି ଦାମ୍ପତ୍ୟ ଓ ସାଂସାରିକ ଜୀବନ ଆରମ୍ଭ କରିନାହାନ୍ତି । ଉଭୟ ଅଲଗା ହେବାପାଇଁ ନିଷ୍ପତ୍ତି ନେଇଥିଲେ । ପରେ ମୋଦି ମାତ୍ର 17 ବର୍ଷ ବୟସରେ ଗୃହତ୍ୟାଗ କରିବା ସହ ଭାରତ ଭ୍ରମଣରେ ବାହାରିଥିଲେ ।
- RSSର ଯୋଗଦାନ :-
1967ରେ ହିମାଳୟରେ କିଛି ସମୟ ଧ୍ୟାନ କରିବା ପରେ ଭାରତର ବିଭିନ୍ନ ପ୍ରଖ୍ୟାତ ତୀର୍ଥସ୍ଥଳୀ ପରିଦର୍ଶନ କରିଥିଲେ । ଉତ୍ତରାଖଣ୍ଡର ଋଷିକେଶ, ପଶ୍ଚିମବଙ୍ଗର ରାମକ୍ରିଷ୍ଣା ମିଶନରେ ମଧ୍ୟ ସେ କିଛି ବର୍ଷ ରହିଥିଲେ । 1972 ରେ ସେ ପ୍ରଥମ କରି ସ୍ବଂୟସେବକ ସଂଘ (ଆରଏସଏସ) ରେ ଯୋଗଦାନ କଲେ । ଜଣେ ବାଳ ସ୍ବଂୟସେବକ ଭାବେ ସଂଘରେ ଜୀବନ ଆରମ୍ଭ କରିଥିବା ମୋଦି ପରବର୍ତ୍ତୀ ସମୟରେ ଆଜୀବନ ପ୍ରଚାରକ ହେବା ପାଇଁ ନିଷ୍ପତ୍ତି ନେଇଥିଲେ । 1980 ମହିହା ବେଳକୁ ସେ ସଂଘର ‘ସଂଭାଗ ପ୍ରଚାରକ’ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ ।
- 1987 ରେ ବିଜେପିରେ ଯୋଗଦାନ
1987 ରେ ବିଜେପିରେ ସାମିଲ ହେବା ପରେ ତାଙ୍କୁ ଗୁଜୁରାଟ ଶାଖାର ସଂଗଠନ ସମ୍ପାଦକ ଭାବେ ଦାୟିତ୍ବ ମିଳିଥିଲା । ସେହିବର୍ଷ ବିଜେପି ଅମହମ୍ମଦାବାଦ ପୌର ନିର୍ବାଚନରେ ଭଲ ପ୍ରଦର୍ଶନ କରିବା ପରେ ମୋଦିଙ୍କ ସାଙ୍ଗଠନିକ ଦକ୍ଷତା ସାମ୍ନାକୁ ଆସିଥିଲା । ସେହିବର୍ଷ ନ୍ୟାୟ ଯାତ୍ରା ଓ ଲୋକଶକ୍ତି ଯାତ୍ରାରେ ମୋଦି ତାଙ୍କର ସାଙ୍ଗଠନିକ କୁଶଳତା ମଧ୍ୟ ଦେଖାଇଥିଲେ । 1995 ରେ ମୋଦି ବିଜେପିର ଜାତୀୟ ସାଧାରଣ ସମ୍ପାଦକ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ।
- 2001 ରେ ହୋଇଥିଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ:-
1999 ରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ବରେ କେନ୍ଦ୍ରରେ ବିଜେପି ସରକାର ଗଠନ କରିବା ପରେ ଗୁଜୁରାଟ ରାଜନୀତିରେ ମୋଦିଙ୍କ ପ୍ରଭାବ ବଢିବାରେ ଲାଗିଥିଲା । 2001ରେ ପ୍ରଥମ ଥର ମୋଦି ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । କୌଣସି ନିର୍ବାଚନ ନଲଢି ମୋଦି ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବା ପରେ ଉପନିର୍ବାଚନରେ ବିଜୟୀ ହୋଇ ବିଧାନସଭାରେ ପହଞ୍ଚିଥିଲେ । 2002ରେ ମୋଦିଙ୍କ ନେତୃତ୍ବରେ ବିଜେପି ଗୁଜୁରାଟରେ ପୁଣି କ୍ଷମତା ହାସଲ କରିଥିଲା । 2007 ରେ ମଧ୍ୟ ମୋଦି ତୃତୀୟ ଥର ପାଇଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ । 2014 ପର୍ଯ୍ୟନ୍ତ ସେ ପ୍ରାୟ 14 ବର୍ଷ ଅର୍ଥାତ 3ଥର ଗୁଜୁରାଟର ମୁଖ୍ୟମନ୍ତ୍ରୀ ରହିବା ପରେ ଜାତୀୟ ରାଜନୀତିରେ ପ୍ରବେଶ କରିଥିଲେ । 2014 ରେ ସେ ପ୍ରଥମ ଥର ଲୋକସଭା ନିର୍ବାଚନରେ ବାରାଣସୀରୁ ପ୍ରତିଦ୍ବନ୍ଦ୍ବିତା କରିଥିଲେ ।
- ମୋଦିଙ୍କ ରେକର୍ଡ:-
- ସ୍ବାଧୀନ ଭାରତରେ ଜନ୍ମିତ ପ୍ରଥମ ପ୍ରଧାନମନ୍ତ୍ରୀ:-
ସ୍ବାଧୀନ ଭାରତରେ ଜନ୍ମଗ୍ରହଣ କରିଥିବା ପ୍ରଥମ ପ୍ରଧାନମନ୍ତ୍ରୀ ହେଉଛନ୍ତି ନରେନ୍ଦ୍ର ମୋଦି । ଦେଶ 1947 ରେ ସ୍ବାଧୀନ ହେବା ପରେ 1950 ରେ ଗଣତନ୍ତ୍ର ବା ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । 1950 ରେ ଜନ୍ମଗ୍ରହଣ କରିଥିଲେ ମୋଦି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ହୋଇଥିବା ସମସ୍ତ ନେତା ସ୍ବାଧୀନତା ପୂର୍ବବର୍ତ୍ତୀ ସମୟରେ ଜନ୍ମଗ୍ରହଣ କରିଥିଲେ ।
- ନେହେରୁଙ୍କ ସହ ସମକ୍ଷକ ହେବାରେ ପ୍ରଥମ ପ୍ରଧାନମନ୍ତ୍ରୀ :-
ରାଜନୈତିକ ସଫଳତା ଓ ପ୍ରଧାନମନ୍ତ୍ରୀ ଭାବେ ମୋଦି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାର ଲାଲ ନେହେରୁଙ୍କ ସହ ସମକ୍ଷକ ହେବାରେ ପ୍ରଥମ ରାଜନେତା । ନେହେରୁ କ୍ରମାଗତ 3ଥର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇ ରେକର୍ଡ କରିଥିଲେ । 1947 ରେ ପ୍ରଥମ ଥର ବିନା ନିର୍ବାଚନରେ ପଣ୍ଡିତ ନେହେରୁଙ୍କୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଚୟନ କରାଯାଇଥିଲା । 1952 ରେ ହୋଇଥିବା ଦେଶର ପ୍ରଥମ ସାଧାରଣ ନିର୍ବାଚନରେ ନେହେରୁଙ୍କ ନେତୃତ୍ବରେ କଂଗ୍ରେସ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା । ପରେ 1957 ଓ 1962 ସାଧାରଣ ନିର୍ବାଚନରେ ମଧ୍ୟ କଂଗ୍ରେସ ଏକକ ବହୁମତ ହାସଲ କରିବା ସହ ପଣ୍ଡିତ ନେହେରୁ କ୍ରମାଗତ 3ଥର ପ୍ରଧାନମନ୍ତ୍ରୀ ରହିଥିଲେ । ନରେନ୍ଦ୍ର ମୋଦି ଦ୍ବିତୀୟ ଭାରତୀୟ ରାଜନେତା ଭାବେ ଏହି ରେକର୍ଡର ସମକ୍ଷକ ହୋଇଛନ୍ତି । ସେ 2014 ଓ 2019 ଓ 2024 ସାଧାରଣ ନିର୍ବାଚନରେ କ୍ରମାଗତ 3ଥର ପ୍ରଧାନମନ୍ତ୍ରୀ ହୋଇ ନେହେରୁଙ୍କ ରେକର୍ଡର ସମକ୍ଷକ ହୋଇଛନ୍ତି ।
- କ୍ରମାଗତ ଦୁଇଥର ପୂର୍ଣ୍ଣ ବହୁମତ ପାଇବାରେ ଇନ୍ଦିରା ଗାନ୍ଧୀଙ୍କ ପରେ ଦ୍ବିତୀୟ ପ୍ରଧାନମନ୍ତ୍ରୀ :-
କ୍ରମାଗତ ଦ୍ବିତୀୟ ଥର ପୂର୍ଣ୍ଣ ବହୁମତ ବା ଏକକ ବହୁମତ ସହ ସରକାର ଗଠନ କରି ପ୍ରଧାନମନ୍ତ୍ରୀ ହେବାରେ ନରେନ୍ଦ୍ର ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରେ ଦ୍ବିତୀୟ ଭାରତୀୟ ରାଜନେତା ଭାବେ ବିରଳ ରେକର୍ଡର ଅଧିକାରୀ । 2014 ରେ କଂଗ୍ରେସକୁ ହଟାଇ ବିଜେପି କେନ୍ଦ୍ରରେ ପ୍ରଥମ ପୂର୍ଣ୍ଣ ସରକାର ଗଠନ କରିଥିବା ବେଳେ 2019 ରେ ମଧ୍ୟ ଏହି ଧାରା ବଜାୟ ରଖିବାରେ ସଫଳ ହୋଇଥିଲା । କ୍ରମାଗତ ଦୁଇଥର ମୋଦିଙ୍କ ନେତୃତ୍ବରେ ବିଜେପି ଏକକ ସଂଖ୍ୟା ଗରିଷ୍ଠତାର ସହ କେନ୍ଦ୍ରରେ ସରକାର ଗଠନ କରିଥିଲା । ମାତ୍ର 2024 ରେ ଏହି ଧାରାରେ ବ୍ରେକ ଲାଗିଥିଲା ।
- ପ୍ରଥମ ଭାରତୀୟ ପ୍ରଧନମନ୍ତ୍ରୀ ଭାବେ ଏକାଧିକ ରାଷ୍ଟ୍ର ଗସ୍ତ
ସେ ପ୍ରଧାନମନ୍ତ୍ରୀ ହେବା ପରେ ଭାରତର ବିଦେଶ ନୀତିରେ ଏକ ବଡ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ସର୍ବଦା ଗୋଷ୍ଠୀ ନିରପେକ୍ଷତାରୁ ଦୂରରେ ରହିଆସିଥିବା ଭାରତ ଏକାଧିକ ଦେଶ ସହ ଦ୍ବିପାକ୍ଷିକ ସମ୍ପର୍କ ସୁଦୃଢ କରିବାରେ ଲାଗିଲା । ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଏକାଧିକ ରାଷ୍ଟ୍ର ଗସ୍ତରେ ଯାଇଥିଲେ । ଏହା ମଧ୍ୟରେ ଅନେକ ଦେଶ ମଧ୍ୟ ଥିଲା, ଯେଉଁଠାକୁ ଭାରତର କୌଣସି ପ୍ରଧାନମନ୍ତ୍ରୀ କେବେ ଗସ୍ତ କରିନଥିଲେ । 2014 ରେ ପ୍ରଧାନମନ୍ତ୍ରୀ ହେବା ପରେ 2015 ରେ ମଙ୍ଗୋଲିଆ, 2018 ରେ ରାଓ୍ବଣ୍ଡା, ପାଲେଷ୍ଟାଇନ, 2017 ରେ ଇସ୍ରାଏଲ, 2019 ରେ ବାହାରିନ,2023 ରେ ପାପୁଆ ନ୍ୟୁ-ଗିନି ଆଦି ଗସ୍ତ କରିବାରେ ସେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଥିଲେ ।
- ବିଶ୍ବ ମଞ୍ଚରେ ମଧ୍ୟ ସଫଳ ପ୍ରଦର୍ଶନ
ଜାତିସଂଘର ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ମୋଦି । ଯୋଗକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ଓ ବିଶ୍ବ ଯୋଗ ଦିବସ ଘୋଷଣା କରିବାରେ ତାଙ୍କର ଭୂମିକା ରହିଛି । ଜି20 ସମ୍ମିଳନୀର ସଫଳ ଆୟୋଜନ ମଧ୍ୟ ତାଙ୍କ ନେତୃତ୍ବରେ ହୋଇଛି । ଋଷ ଭୁଟାନ, ଇଜିପ୍ଟ ପରି ଏକାଧିକ ଦେଶ ତାଙ୍କୁ ସର୍ବୋଚ୍ଚ ସମ୍ମାନରେ ମଧ୍ୟ ସମ୍ମାନିତ କରିଛନ୍ତି । ଆମେରିକା କଂଗ୍ରେସର ମିଳିତ ଅଧିବେଶନରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ ରଖିଛନ୍ତି । ସେହିପରି ସେ ତିନି ଆମେରିକୀୟ ରାଷ୍ଟ୍ରପତି, ବାରାକ ଓବାମା, ଡୋନାଲ୍ଡ ଟ୍ରମ୍ପ ଓ ଜୋ.ବାଇଡେନଙ୍କ ସହ ମଧ୍ୟ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହେବା ସହ ସେମାନଙ୍କୁ ଭାରତ ଆମନ୍ତ୍ରଣ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ