ରାୟପୁର:ଦେଶରେ ବେଧଡ଼କ ଚାଲିଛି ଗଞ୍ଜେଇ କାରବାର । ବିଭିନ୍ନ ଆଳରେ ଗଞ୍ଜେଇ ଚୋରା ଚାଲାଣ କରାଯାଉଛି । ଗଞ୍ଜେଇ ଚୋରା ଚାଲାଣ କରି ମାଲାମାଲ ହେଉଛନ୍ତି ଅସାଧୁ ବ୍ୟବସାୟୀ । ସେହିପରି ପୋଲିସକୁ ଚକମା ଦେବାକୁ ଚାଉଳ ଅଖା ଭିତରେ ଗଞ୍ଜେଇ ଭର୍ତ୍ତି କରି ଚାଲାଣ ହେଉଥିବା ବେଳେ ମାଡିବସିଲା ପୋଲିସ । ପଡ଼ୋଶୀ ଛଡିଶଗଡରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରାଯାଇଛି । ଓଡ଼ିଶାର ବଲାଙ୍ଗୀର ଜିଲ୍ଲାରୁ ଏହି ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡିଛି । ବଲାଙ୍ଗୀରରୁ ଆଗ୍ରାକୁ ଚାଲାଣ କରାଯାଉଥିଲା । ଏହି ଘଟଣାରେ ସ୍ଥାନୀୟ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ସୂଚନା ଅନୁସାରେ, ଚିଲଫି ପୋଲିସ ଷ୍ଟେସନ ଅଞ୍ଚଳରେ ପ୍ରାୟତଃ ଛତିଶଗଡ ଏବଂ ମଧ୍ୟପ୍ରଦେଶ ସୀମାରୁ ଆସୁଥିବା ଗାଡିକୁ ଯାଞ୍ଚ କରାଯାଇଥାଏ । ଏହି କ୍ରମରେ ଗୁରୁବାର ଦିନ ମଧ୍ୟ ଯାଞ୍ଚ କରାଯାଉଥିଲା । ଏହି ସମୟରେ ଗୋଟିଏ ଟାଟା 1102 ଟ୍ରକ ଆସିଥିଲା, ଗାଡିଟି ଆନ୍ଧ୍ରପ୍ରଦେଶର ଥିଲା । ଟ୍ରକ ନମ୍ବର ଥିଲା AP31TD3618 । ତେବେ ଏହାର ଡ୍ରାଇଭରକୁ ପଚରାଉଚରା କରିବା ସମୟରେ ଟ୍ରକରେ ଓଡ଼ିଶାରୁ ଆଗ୍ରାକୁ ଚାଉଳ ରପ୍ତାନୀ ହେଉଥିବା କଥା ସେ କହିଥିଲା । ମାତ୍ର ସନ୍ତୋଷଜନକ ଉତ୍ତର ନପାଇବା କାରଣରୁ ପୋଲିସ ଅଧିକାରୀ ଯାଞ୍ଚ କରିଥିଲେ ।
ପୋଲିସ ଟ୍ରକ ଭିତରେ ଖୋଜାଖୋଜି କରିବା ସମୟରେ ଚାଉଳ ଅଖା ମଧ୍ୟରୁ ଗଞ୍ଜେଇ ପାଇଥିଲେ । ଏତେ ପରିମାଣର ଗଞ୍ଜେଇ ଦେଖି ତାଜୁବ ହୋଇଯାଇଥିଲେ ପୋଲିସ କର୍ମୀ । ମୋଟ ୧୦ କ୍ବିଣ୍ଟାଲ ୫୦କୋଜି ଗଞ୍ଜେଇ ଜବତ ହୋଇଛି । ଏହାପରେ ପୋଲିସ ଗାଡିକୁ ଜବତ କରିବା ସହିତ ୨ ଜଣଙ୍କୁ ପଚରାଉଚରା ଜାରି ରଖିଛି । ତେବେ ଜବତ ଗଞ୍ଜେଇର ମୂଲ୍ୟ ପାଖାପାଖି ୧୫ କୋଟିରୁ ଊର୍ଦ୍ଧ୍ବ ହେବା ନେଇ ସ୍ଥାନୀୟ ଏସପି ଅଭିଶେଖ ପଲ୍ଲବ ସୂଚନା ଦେଇଛନ୍ତି ।