ହାଇଦ୍ରାବାଦ:କୁହାଯାଏ ଚା' ପିଇବା ପରେ ହିଁ ଭାରତୀୟଙ୍କ ସକାଳ ଆରମ୍ଭ ହୋଇଥାଏ । ଅଧିକାଂଶ ଲୋକେ ସକାଳୁ ଗୋଟିଏ କପ୍ ଚା' ସହ ଖବର କାଗଜ ପଢିବାକୁ ପସନ୍ଦ କରିଥାନ୍ତି । ସେହିପରି କେହି କେହି ଦୋକାନରେ କରିଥାନ୍ତି ଚା' ଖଟି । ବର୍ତ୍ତମାନ ବର୍ଷା ଋତୁ ଚାଲିଥିବାବେଳେ ଚା' ର ଚାହିଦା ଆହୁରି ବଢିଛି । ଏହାରି ଭିତରେ କର୍ଣ୍ଣାଟକରୁ ଆସିଛି ଏମିତି ଏକ ଖବର ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ନିଶ୍ଚୟ । ଫୁଡ୍ ସେଫ୍ଟି ଅଫିସରମାନେ ଜାଣିବାକୁ ପାଇଛନ୍ତି ସାଙ୍ଘାତିକ ତଥ୍ୟ ।
FSSAI (ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥୋରିଟି ଅଫ୍ ଇଣ୍ଡିଆ) ପକ୍ଷରୁ କରାଯାଇଥିବା ପରୀକ୍ଷା ଅନୁସାରେ ଚା' ପତି ବା ଡଷ୍ଟରେ ବହୁ ମାତ୍ରାରେ କୀଟନାଶକ ଏବଂ କେମିକାଲ ରଙ୍ଗ ବ୍ୟବହାର କରାଯାଉଥିବା ଜାଣିବାକୁ ମିଳିଛି । ରୋଡାମାଇନ-ବି, କାର୍ମୋଡାସିନ ପରି ଖାଦ୍ୟରେ ବ୍ୟବହୃତ କେମିକାଲ ରଙ୍ଗ ଚା'ରେ ରହିଥିବା ଜଣାପଡ଼ିଛି । ଯାହାକି ଶରୀର ପାଇଁ କ୍ଷତିକାରକ । ଚା'ରେ ମିଶୁଥିବା ପତି ରଙ୍ଗ ଖୁବ ବିଷାକ୍ତ ।
ଚା'ରେ କୀଟନାଶକ:
FSSAI ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଚା' ପତିରେ ବହୁ ମାତ୍ରାରେ କୀଟନାଶକ ଓ ଉର୍ବରକ ରହୁଛି । ଚାଷ ସମୟରେ ଗଛମାନଙ୍କରେ କୀଟନାଶକ ସିଞ୍ଚନ ହେଉଥିବାରୁ ଚା' ପତିରେ ମଧ୍ୟ ଏହାର ମାତ୍ରା ଅଧିକ ରହୁଛି । ଚା' ଫଳରେ ଏହାକୁ ପିଇବା ଦ୍ବାରା ବହୁ ମାରାତ୍ମକ ରୋଗ ହେବାର ଆଶଙ୍କା ରହିଛି । ଉତ୍ତର କର୍ଣ୍ଣାଟକର ବିଭିନ୍ନ ଜିଲ୍ଲାରୁ ପାଖାପାଖି ୪୮ଟି ସାମ୍ପୁଲ ସଂଗ୍ରହ କରାଯାଇଛି । ବାଗଲକୋଟ, ବିଦର, ଗାଦଗ, ଧାରୱଡ, ହୁବଲି, ବିଜୟନଗର, କୋପଲ, ବଲ୍ଲରିରୁ ଚା'ର ନମୁନା ସଂଗ୍ରହ କରିଛନ୍ତି ଫୁଡ୍ ସେଫଟି ଅଧିକାରୀ । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ୩୫ରୁ ୪୦ କମ୍ପାଉଣ୍ଡ ଏବଂ ରାସାୟନିକ ପଦାର୍ଥର ବିଶ୍ଳେଷଣ କରାଯିବ ।