ଭୋପାଳ:ଭଉଣୀ ବାହାଘରରେ ପାଣିର ଆବଶ୍ୟକତା ହେବ ବୋଲି ପାଣି ଆଣିବାକୁ ଯାଉଥିଲା ଭାଇ । ପାଣି ଟ୍ୟାଙ୍କର ଆଣିବା ପାଇଁ ଟ୍ରାକ୍ଟରରେ କିଛି ପିଲା ଯାଉଥିଲେ । ଭାବିଥିଲେ ପାଣି ଟ୍ୟାଙ୍କର ନେଇ ଆସିଲେ ବାହାଘରରେ ଲାଗିବ । ହେଲେ ଅଧାରାସ୍ତାରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର । ହାତ ଧରାଧରି ହୋଇ ଆରପାରିକୁ ଚାଲିଗଲେ 5 ପିଲା । ଭଉଣୀର ବାହାଘର ଦେଖିବା ବଦଳରେ ଆରପାରିକୁ ଚାଲିଗଲା ଭାଇ । ଏହାସହିତ 2ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଜବଲପୁର ଜିଲ୍ଲାର ଚରଗାଓଁ ପୋଲିସ ଥାନା କ୍ଷେତ୍ରର ତନେଟା ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ସକାଳ ପ୍ରାୟ 9ଟା ସମୟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିବା ବେଳେ ପ୍ରାଣ ହରାଇଥିବା ପିଲାଙ୍କ ବୟସ 10ରୁ 16 ବର୍ଷ ବୋଲି ଜଣାପଡିଛି । ଆହତ ପିଲାମାନଙ୍କର ବୟସ 10 ରୁ 11 ବର୍ଷ ମଧ୍ୟରେ ହେବା ନେଇ ଅନୁମାନ କରାଯାଉଛି ।
ମୃତକମାନେ ସମ୍ପକୀୟ ଥିବା ସୂଚନା:ଏହି ମାମଲାରେ ଅତିରିକ୍ତ ଏସପି ସୂର୍ଯ୍ୟକାନ୍ତ ଶର୍ମା କହିଛନ୍ତି,"ପ୍ରାଣ ହରାଇଥିବା ସମସ୍ତ ଶିଶୁ ସମ୍ପର୍କୀୟ ଅଟନ୍ତି । ସମସ୍ତେ ତିନେଟା ଗ୍ରାମର ବାସିନ୍ଦା ଥିଲେ । ଏହି ସମସ୍ତ ପିଲା ଟ୍ରାକ୍ଟରରେ ପାଣି ଆଣିବାକୁ ଯାଉଥିଲେ । ଧର୍ମେନ୍ଦ୍ର ଠାକୁର (18 ବର୍ଷ) ଏହି ଟ୍ରାକ୍ଟର ଚଳାଉଥିଲେ । ଆଜି ଧର୍ମେନ୍ଦ୍ର ଠାକୁରଙ୍କ ଭଉଣୀଙ୍କ ବିବାହ ରହିଥିଲା । ଘରୁ ବାହାରିବାର ଅଳ୍ପ ଦୂରରେ ହିଁ ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣା ଘଟିବା ମାତ୍ରେ ଗ୍ରାମବାସୀମାନେ ଦୌଡିଥିଲେ । ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ 5 ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଏହି ଦୁର୍ଘଟଣା ହୋଇଥିବା ନେଇ ସ୍ଥାନୀୟ ଲୋକେ କହିଛନ୍ତି । "