ହାଇଦ୍ରାବାଦ:ଆମେରିକାରେ ଭାରତୀୟ ନାଗରିକଙ୍କ ଉପରେ ଆକ୍ରମଣ ଥମିବାର ନାଁ ନେଉନି । ଅନେକ ଭାରତୀୟ ପ୍ରାଣ ହରାଇଛନ୍ତି । ଏହାରି ଭିତରେ ଓ୍ୱାଶିଂଟନରେ ଆଉ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଏନେଇ ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ମୃତକ ଜଣକ ହେଲେ ଆଲେକ୍ସଜାଣ୍ଡାରିଆର 41 ବର୍ଷୀୟ ବିବେକ ତାନେଜା ।
ପୋଲିସ ରିପୋର୍ଟ ଅନୁସାରେ, ଗତ 2 ତାରିଖ ଦିନ ଭୋର 2ଟା ସମୟରେ ବିବେକଙ୍କୁ କିଛି ଯୁବକ ଆକ୍ରମଣ କରିଥିଲେ । 15ଟିଥ ଷ୍ଟ୍ରିଟ ନର୍ଥଓ୍ବେଷ୍ଟର 1100 ବ୍ଲକରେ ଭାରତୀୟ ଯୁବକଙ୍କୁ ଆକ୍ରମଣ ହୋଇଥିଲା । ଏନେଇ ସ୍ଥାନୀୟ ଅଧିକାରୀ ଖବର ପାଇବା ପର ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଫୁଟପାଥରୁ ବିବେକଙ୍କୁ ପାଇଥିଲେ ସ୍ଥାନୀୟ ପୋଲିସ ଅଧିକାରୀ । ତେବେ ହସ୍ପିଟାଲରେ ଚିକିତ୍ସା ସମୟରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାର ଉନ୍ନତି ବଦଳରେ ଅବନତି ଦେଖାଯାଇଥିଲା । ଏହାପରେ ଗତ 7 ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ବିବେକ ।
ତେବେ ଓ୍ୱାଶିଂଟନ ଡିସିରେ ରହିଥିବା ମେଟ୍ରୋପଲିଟାନ ପୋଲିସ ସନ୍ଦିଗ୍ଧକୁ ଚିହ୍ନଟ କରିବାରେ ଜନସାଧାରଣଙ୍କର ସହାୟତା ଲୋଡିଛି । ପ୍ରକାଶ ଥାଉକି, ଏହି ଅଘଟଣ ଘଟିବାର କିଛି ଦିନ ପୂର୍ବରୁ ବିବେକଙ୍କ ସହିତ ଜଣେ ସ୍ଥାନୀୟ ଯୁବକଙ୍କ ବଚସା ହୋଇଥିଲା । ରାଗରେ ଜର୍ଜରିତ ହୋଇ ସ୍ଥାନୀୟ ଯୁବକ ଏଭଳି କାଣ୍ଡ ଭିଆଇଥିବା ସ୍ଥାନୀୟ ଅଧିକାରୀ ସନ୍ଦେହ କରୁଛନ୍ତି ।