ଭୁବନେଶ୍ବର: ରାଜ୍ୟରେ ଆଉ ୪୯୫୪.୨୬ କୋଟି ଟଙ୍କା ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ୩୧ଟି ଇନୋଭେଟିଭ୍ ପ୍ରକଳ୍ପକୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସିଙ୍ଗଲ ୱିଣ୍ଡୋ ମଞ୍ଜୁରୀ ମିଳିଛି । ୧୪ଟି ଜିଲ୍ଲାରେ ଏହି ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଅତିରିକ୍ତ ୨୪,୧୬୨ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।
- ୩୧ଟି ପ୍ରକଳ୍ପକୁ ମଞ୍ଜୁରୀ
ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ ବୈଠକ । ବୈଠକରେ ମେକାନିକାଲ ଓ ଇଲେକ୍ଟ୍ରିକାଲ କ୍ୟାପିଟାଲ ଗୁଡସ, ଫୁଡ ପ୍ରୋସେସିଂ, ପ୍ୟାକେଜିଂ, ଟେକ୍ସଟାଇଲ, ବାୟୋଫୁଏଲ, ଗ୍ରୀନ ଏନର୍ଜି ଉପକରଣ, ଡାଉନଷ୍ଟ୍ରିମ, ପ୍ଲାଷ୍ଟିକ, ଫୁଡ, ମୃଦୁ ପାନୀୟ, ଆଗ୍ରୋ ପ୍ରୋସେସିଂ, ଅକ୍ଷୟ ଶକ୍ତି, ଫାର୍ମାସ୍ୟୁଟିକାଲ, ପର୍ଯ୍ୟଟନ କ୍ଷେତ୍ରର ୩୧ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହି ସବୁ ପ୍ରକଳ୍ପ ଖୋର୍ଦ୍ଧା, ସମ୍ବଲପୁର, ବରଗଡ଼, ସୋନପୁର, ଝାରସୁଗୁଡ଼ା, ଅନୁଗୁଳ, ଯାଜପୁର, ବାଲେଶ୍ୱର, କଟକ, ଭଦ୍ରକ, ରାୟଗଡ଼ା, ଢେଙ୍କାନାଳ, ପୁରୀ, କୋରାପୁଟ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ସ୍ଥାପନ ହେବ ।

- ୨୪ ହଜାର ନିଯୁକ୍ତି ସୁଯୋଗ
ସିଙ୍ଗଲ ଓ୍ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ମୋଟ ୪,୯୫୪.୨୬ କୋଟି ଟଙ୍କା ମୂଲ୍ୟର ୩୧ଟି ଅଭିନବ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏହା ଫଳରେ ଓଡ଼ିଶା ସରକାର ନିଯୁକ୍ତି ଓ ଅଭିବୃଦ୍ଧି ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛନ୍ତି । ଏହା ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶର ବ୍ୟାପକତା ସାଙ୍ଗକୁ ଓଡ଼ିଶାର ଅର୍ଥନୈତିକ ଦୃଶ୍ୟପଟକୁ ପରିବର୍ତ୍ତନ କରିବ । ଏହା ସହ ରାଜ୍ୟକୁ ଏକ ଅଗ୍ରଣୀ ପୁଞ୍ଜିନିବେଶ ସ୍ଥଳର ମାନ୍ୟତାକୁ ସୁଦୃଢ଼ କରିବ । ଅନୁମୋଦିତ ପ୍ରକଳ୍ପଗୁଡ଼ିକ ପ୍ରାୟ ୨୪,୧୬୨ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଯାହା ରାଜ୍ୟର ବିଭିନ୍ନ ଅଞ୍ଚଳର ସାମଗ୍ରିକ ଅର୍ଥନୈତିକ ବିକାଶ ଏବଂ ନିଯୁକ୍ତି ଅଭିବୃଦ୍ଧିରେ ସହାୟକ ହେବ ।


ବିଭିନ୍ନ କମ୍ପାନୀଙ୍କ ମଧ୍ୟରେ ପଲିମିରୟର ଇଣ୍ଡିଆ ପ୍ରା. ଲିଃ, ବିସଲେରୀ ଇଣ୍ଟରନ୍ୟାସନାଲ ପ୍ରା.ଲିଃ, ଶାଲିମାର ଗ୍ଲାସ ୱାର୍କସ ପ୍ରାଇଭେଟ ଲିମିଟେଡ, ଏଫ ଏମ ଡେନିମ ଆଣ୍ଡ ଟ୍ୱିଲ୍ସ ପ୍ରାଇଭେଟ ଲିମିଟେଡ, ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ, ସୂର୍ଯ୍ୟ ଇଣ୍ଟରନ୍ୟାସନାଲ ଏଣ୍ଟରପ୍ରାଇଜ ପ୍ରାଇଭେଟ ଲିମିଟେଡ, ମୋଗ୍ଲି ଲ୍ୟାବ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ, କାଲଡେରିସ ଇଣ୍ଡିଆ ରିଫ୍ରାକ୍ଟୋରିଜ ଲିମିଟେଡ, ନେପ୍ଚନସ ସିପ ବିଲ୍ଡର୍ସ ଆଣ୍ଡ ରିସାଇକ୍ଲର୍ସ ପ୍ରାଇଭେଟ ଲିମିଟେଡ, ସନ୍ୟାମ ଟାଇ ଅପ ପ୍ରାଇଭେଟ ଲିମିଟେଡ, ମା' ଛିନ୍ନମସ୍ତିକା ଏନର୍ଜି ପ୍ରାଇଭେଟ ଲିମିଟେଡ, ଏସଏନଏମ ହୋଟେଲ ଆଣ୍ଡ ରିସୋର୍ଟସ ପ୍ରାଇଭେଟ ଲିମିଟେଡ, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ, ଅମ୍ରିତାଶ ହେଲ୍ଥକେୟାର ପ୍ରାଇଭେଟ ଲିମିଟେଡ, ବେନ ଗ୍ଲୋବାଲ ରିସୋର୍ସେସ ଏଲଏଲପି ଅଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର