ନୂଆଦିଲ୍ଲୀ:ପଡୋଶୀ ପାକିସ୍ତାନକୁ ପୁଣିଥରେ ମୁହଁତୋଡ଼ ଜବାବ ଦେଇଛି ଭାରତ । ଦୁଇ ପାକିସ୍ତାନୀ ଆତଙ୍କବାଦୀଙ୍କ ହତ୍ୟା ପଛରେ ଭାରତୀୟ ଏଜେଣ୍ଟଙ୍କ ହାତ ଥିବା ପଡୋଶୀ ଦେଶ ଦାବି କରୁଥିବା ବେଳେ ଭାରତ ପକ୍ଷରୁ ଏହାକୁ କଡ଼ା ସମାଲୋଚନା କରାଯାଇଛି । ଆତଙ୍କବାଦୀଙ୍କ ଚରାଭୂଇଁ ପାଲଟିଥିବା ପାକିସ୍ତାନକୁ ଆତଙ୍କବାଦର କେନ୍ଦ୍ରସ୍ଥଳ କହି ଏହା କେବଳ ମିଥ୍ୟା ଏବଂ ଦୁର୍ଭାଗ୍ୟପୂର୍ଣ୍ଣ ଭାରତ ବିରୋଧୀ ଖବର ପ୍ରଚାର କରୁଥିବା ବୈଦେଶିକ ମନ୍ତ୍ରଣାଳୟ ଅଭିଯୋଗ କରିଛି ।
ପଡୋଶୀ ଦେଶର ଅଭିଯୋଗକୁ ଦୃଢ ଭାବରେ ଖଣ୍ଡନ କରି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି ଯେ, ପାକିସ୍ତାନ ଯାହା ବୁଣୁଛି, ତାହା ଅମଳ କରିବ । ପାକ୍ ବୈଦେଶିକ ସଚିବଙ୍କ କିଛି ଟିପ୍ପଣୀ ସମ୍ପର୍କିତ ମିଡିଆ ରିପୋର୍ଟ ଆମ ନଜରକୁ ଆସିଛି । ଯାହାକି ମିଥ୍ୟା ଏବଂ ଦୁର୍ଭାଗ୍ୟପୂର୍ଣ୍ଣ ଭାରତ ବିରୋଧୀ ପ୍ରଚାର କରିବାର ପାକିସ୍ତାନର ସଦ୍ୟତମ ପ୍ରୟାସକୁ ଦର୍ଶାଉଛି । ସାରା ଦୁନିଆ ଜାଣିଛି ପାକିସ୍ତାନ ଲମ୍ବା ସମୟ ଧରି ଆତଙ୍କବାଦ, ସଂଗଠିତ ଅପରାଧ ଏବଂ ବେଆଇନ ଅନ୍ତରାଷ୍ଟ୍ରୀୟ କାର୍ଯ୍ୟକଳାପର କେନ୍ଦ୍ରସ୍ଥଳ ପାଲଟିଛି ।
ଭାରତ ସମେତ ଅନେକ ଦେଶ ପାକିସ୍ତାନକୁ ଏହା ମଧ୍ୟ ଚେତାଇଛନ୍ତି ଯେ, ତା'ର ଆତଙ୍କବାଦ ଓ ହିଂସା ସଂସ୍କୃତି ଦିନେ ତାକୁ ହିଁ ଗ୍ରାସ କରିବ । ପାକ୍ ଯାହା ବୁଣିବ, ତାହାକୁ କାଟିବ । ନିଜର କୁକର୍ମ ପାଇଁ ଅନ୍ୟକୁ ଦୋଷ ଦେବା କେବେ ଯଥାର୍ଥତା କିମ୍ବା ସମାଧାନ ହୋଇପାରିବ ନାହିଁ । ତେବେ ପାକିସ୍ତାନର ବୈଦେଶିକ ସଚିବ ମହମ୍ମଦ ସାଇରସ ସାଜ୍ଜଦ କ୍ବାଜି ପାକ୍ ଆତଙ୍କୀଙ୍କ ହତ୍ୟା ପାଇଁ ଭାରତକୁ ଦୋଷ ଦେବା ପରେ ଭାରତର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ଜବାବ ଦିଆଯାଇଛି ।
ପାକ୍ ବୈଦେଶିକ ସଚିବ କ୍ବାଜି ସାମ୍ବାଦିକ ସମ୍ମିଳନୀରେ ଦାବି କରିଥିଲେ କି, ଗତବର୍ଷ ସିଆଲକୋଟ ଏବଂ ରାୱଲକୋଟରେ ଜୈସ-ଏ-ମହମ୍ମଦ ଓ ଲସ୍କର-ଏ-ତାଲିବାର ଦୁଇ ଆତଙ୍କୀଙ୍କୁ ଭାରତୀୟ ଏଜେଣ୍ଟ ହତ୍ୟା କରିଥିଲେ । ଏହାର ବଳିଷ୍ଠ ପ୍ରମାଣ ତାଙ୍କର ପାଖରେ ଅଛି । କହିରଖୁଛୁ କି, ୨୦୧୬ ପଠାନକୋଟ ଏୟାରଫୋର୍ସ ବେସ୍ ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲା । ଗତବର୍ଷ ଅକ୍ଟୋବର ୧୧ରେ ସିଆଲକୋଟର ଏକ ମସଜିଦ ଭିତରେ ଲତିଫକୁ ହତ୍ୟା କରାଯାଇଥିଲା ।
ଏହାର ଗୋଟିଏ ମାସ ପୂର୍ବରୁ ଜମ୍ମୁ-କାଶ୍ମୀର ଧାନଗରି ଆକ୍ରମଣର ମାଷ୍ଟର ମାଇଣ୍ଡ ରିଆଜ ଅହମ୍ମଦ ଓରଫ ଅବୁ କ୍ବାସିମକୁ ମଧ୍ୟ ରାୱଲକୋଟର ଗୋଟିଏ ମସଜିଦ ଭିତରେ ଗୁଳି କରାଯାଇଥିଲା । ତେବେ ଭାରତୀୟ ଏଜେଣ୍ଟ ହିଁ ପାକିସ୍ତାନ ମାଟିରେ ଏହାର ନାଗରିକଙ୍କୁ ହତ୍ୟା କରୁଥିବା ପଡୋଶୀ ଅଭିଯୋଗ ଆଣିଛି।