ଓଡିଶା

odisha

ETV Bharat / bharat

କଂଗ୍ରେସ ଏଥର ୪୦ ସିଟ୍‌ ହାତେଇପାରିବ କି ନାହିଁ ମୋର ସନ୍ଦେହ: ମମତା

Mamata Banerjee: ସିଟ୍‌ ସେୟାରିଂକୁ ନେଇ କଂଗ୍ରେସ ସହିତ ଚାଲିଥିବା ମନୋମାଳିନ୍ୟ ଭିତରେ ଦିଦିଙ୍କ ବଡ଼ ବୟାନ । କହିଲେ ଏଥର କଂଗ୍ରେସ ୪୦ ସିଟ୍‌ ହାତେଇପାରିବ କି ନାହିଁ ମୋର ସନ୍ଦେହ । ଅଧିକ ପଢନ୍ତୁ

Mamata Banerjee
Mamata Banerjee

By ETV Bharat Odisha Team

Published : Feb 2, 2024, 8:10 PM IST

କୋଲକାତା: ବିଜେପି ବିରୋଧରେ ଏକତ୍ରିତ ହୋଇଥିବା ଇଣ୍ଡିଆ ମହାମେଣ୍ଟରେ ସିଟ୍‌ ସେୟାରିଂକୁ ନେଇ ସବୁ କିଛି ଠିକ ନାହିଁ ବୋଲି ଚର୍ଚ୍ଚା ହୋଇଆସୁଛି । ଏହାରି ଭିତରେ କଂଗ୍ରେସକୁ ଟାର୍ଗେଟ କରି ଏକ ବଡ଼ ବୟାନ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି (ଶୁକ୍ରବାର) ଏକ ଜନସଭାରେ ମମତା କହିଛନ୍ତି ଯେ କଂଗ୍ରେସ ଏଥର ୪୦ଟି ଲୋକସଭା ଆସନ ହାତେଇ ପାରିବ କି ନାହିଁ ମୋର ସନ୍ଦେହ ହେଉଛି । ତଥାପି ସେମାନେ ପଶ୍ଚିମବଙ୍ଗରେ ଦଳକୁ ୨ରୁ ଅଧିକ ସିଟ୍‌ର ଆବଶ୍ୟକତା ରହିଛି ।

ପଶ୍ଚିମବଙ୍ଗରେ କଂଗ୍ରେସ ୨ରୁ ଅଧିକ ଲୋକସଭା ଆସନରେ ଲଢିବା ନେଇ ଆଗ୍ରହ ପ୍ରକାଶ କରିଥିବା ବେଳେ ଏହାକୁ ମମତା ଅଗ୍ରାହ କରିଛନ୍ତି । ସେ ୨ରୁ ଅଧିକ ଆସନରେ ସିଟ୍‌ ସେୟାରିଂ କରିବେ ନାହିଁ ବୋଲି କହିଥିଲେ ମମତା । ଏନେଇ ମମତା ବାନାର୍ଜୀ କହିଛନ୍ତି, "ମୋର ସନ୍ଦେହ ସେମାନେ (କଂଗ୍ରେସ) ଏଥର ୪୦ଟି ସିଟ୍‌ ଜିତିବେ କି ନାହିଁ । ମୁଁ ସେମାନଙ୍କୁ ରାଜ୍ୟରେ ୨ଟି ଆସନ ନେଇ ସମ୍ମତି ଜଣାଇଥିଲି । ହେଲେ ସେମାନଙ୍କୁ ଆଉ ଆସନ ଆବଶ୍ୟକ । ଏହାପରେ ମୁଁ ସେମାନଙ୍କୁ ପୁରା ୪୨ଟି ଲୋକସଭା ଆସନ ଦେବାକୁ କହିବା ପରେ ସେମାନେ ଏହାକୁ ରିଜେକ୍ଟ କରିଥିଲେ । ସେବେଠାରୁ କଂଗ୍ରେସ ସହିତ ମୋର କୌଣସି ଆଲୋଚନା ହୋଇନାହିଁ ।"

ଏହା ବି ପଢନ୍ତୁ- ଦିଦିଙ୍କ ନାଲିଆଖିରେ ବ୍ୟାକଫୁଟରେ କଂଗ୍ରେସ ! ଦଳ କହିଲା ମମତାଙ୍କୁ ଛାଡି ‘ଇଣ୍ଡିଆ’ ମେଣ୍ଟ ସମ୍ଭବ ନୁହେଁ

ଏହାସହିତ ମମତା କଂଗ୍ରେସର 'ଭାରତ ଯୋଡ଼ ନ୍ୟାୟ ଯାତ୍ରା'କୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏ ନେଇ ମମତା କହିଛନ୍ତି, "ସେମାନେ (କଂଗ୍ରେସ) ପଶ୍ଚିମବଙ୍ଗରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା କରିଥିଲେ । ହେଲେ ମୋତେ ଅବଗତ ମଧ୍ୟ କରାଇନଥିଲେ । ଏ ସମ୍ପର୍କରେ ମୁଁ ପ୍ରଶାସନିକ ଅଧିକାରୀଙ୍କଠାରୁ ଜାଣିବାକୁ ପାଇଲି ।" ମମତା ଇଣ୍ଡିଆ ମେଣ୍ଟର ସଦସ୍ୟ ଥିବା ସତ୍ତ୍ବେ ତାଙ୍କୁ ଏହି ଯାତ୍ରା ସମ୍ପର୍କରେ ଅବଗତ କରାଯାଇନଥିବାରୁ ସେ ଦୁଃଖ ପ୍ରକାଶ କରିଥିଲେ ।

ଏହାପରେ ଦିଦି ବିଜେପିକୁ ଉତ୍ତରପ୍ରଦେଶ, ବନାରସ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ହରାଇବା ଲାଗି କଂଗ୍ରେସକୁ ଖୋଲାଖୋଲି ଚ୍ୟାଲେଞ୍ଜ କରିଛନ୍ତି । ଏ ନେଇ ମମତା କହିଛନ୍ତି, " ଯଦି ତୁମର ସତ ସାହସ ଅଛି ତେବେ ବିଜେପିକୁ ୟୁପି, ବନାରସ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ହରାଇ ଦେଖାଅ ।" ଅନ୍ୟପଟେ ଗୁରୁବାର ମମତା ଦୃଢୋକ୍ତି ପ୍ରକାଶ କରି କହିଥିଲେ ଯେ ତାଙ୍କ ପାର୍ଟି (ଟିଏମସି) କିଛି ଆଞ୍ଚଳିକ ଦଳର ସମର୍ଥନରେ କେନ୍ଦ୍ରରେ ସରକାର ଗଠନ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details