ଗାନ୍ଧୀନଗର: ଅନେକ ଲୋକ ମୋହ ମାୟା ତ୍ୟାଗ କରି ସନ୍ନ୍ୟାସ ଗ୍ରହଣ କରୁଥିବା କଥା ଆପଣ ଶୁଣିଥିବେ କିନ୍ତୁ ବହୁତ କମ୍ ସମୟରେ ଏହା ଘଟୁଥିବା ଦେଖାଯାଏ । ପ୍ରାୟତଃ ମଧ୍ୟମ ଶ୍ରେଣୀର ଲୋକେ ଏହାକୁ ଆପଣାଇଥାନ୍ତି କିନ୍ତୁ ସମ୍ଭ୍ରାନ୍ତ ଶ୍ରେଣୀର ଲୋକେ ସନ୍ନ୍ୟାସ ଗ୍ରହଣ କରୁଥିବା କ୍ବଚିତ ଅଟେ । କିନ୍ତୁ ଗୁଜୁରାଟରୁ ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟ କଲାଭଳି କାହାଣୀ ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଜଣେ କୋଟିପତି ବ୍ୟବସାୟୀ ତାଙ୍କର ସମ୍ପତ୍ତିକୁ ଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । କୋଟିପତିରୁ ସନ୍ନ୍ୟାସ ନେବା ପାଇଁ ସେମାନେ ନିଷ୍ପତ୍ତି ନେଇଛନ୍ତି ।
ଗୁଜୁରାଟର ହିମତନଗରରେ ରହୁଥିବା ଆରବପତି ଭବେଶ ଭଣ୍ତାରୀ ଏହି ନିଷ୍ପତ୍ତି ନେଇଛନ୍ତି । ଏକ କାର୍ଯ୍ୟକ୍ରମ ସମୟରେ ସେ ହଜାର ହଜାର ଟଙ୍କା ଦାନ କରୁଥିବା ଦେଖିବାକୁ ମିଳିଛି । ଏହି ସମୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଭବେଶଙ୍କ କାହାଣୀ ଅନେକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଭବେଶ ଭଣ୍ଡାରୀ ଏବଂ ତାଙ୍କ ସ୍ତ୍ରୀ ଜୈନ ଧର୍ମ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଜୈନ ଧର୍ମ ଗ୍ରହଣ କରିବା ଅର୍ଥ ସନ୍ନ୍ୟାସ ନେବା । ଉଭୟେ ପତିପତ୍ନୀ 200 କୋଟି ଟଙ୍କା ଦାନ କରିଛନ୍ତି । ଚଳିତ ବର୍ଷ ଫେବୃଆରୀ ମାସରେ ଦୁହେଁ ସମ୍ପତ୍ତି ଦାନ କରିଥିଲେ ।