ନୂଆଦିଲ୍ଲୀ:ଆସନ୍ତାକାଲି ପାଳନ ହେବାକୁ ଥିବା 75ତମ ସାଧାରଣତନ୍ତ୍ର ଦିବସରରେ ମୁଖ୍ୟ ଅତିଥି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଆଜି ରାଜସ୍ଥାନ ଜୟପୁରରେ ପହଞ୍ଚିଛନ୍ତି । ସେ ଆଜି ଜୟପୁର ବିମାନ ବନ୍ଦରରେ ଅବତରଣ କରିବା ପରେ ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର ଓ ବିଦେଶ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ତାଙ୍କୁ ସ୍ବାଗତ କରିଛନ୍ତି । ଆସନ୍ତାକାଲି ଭାରତ 75ତମ ସାଧାରଣ ତନ୍ତ୍ର ଦିବସ ପାଳନ କରିବାକୁ ଯାଉଛି । ମାକ୍ରୋନ ଚଳିତଥର ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ କରିବେ । ଆଜି ସଂଧ୍ୟାରେ ଅତିଥି ରାଷ୍ଟ୍ରପତି ମାକ୍ରୋନ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ସାକ୍ଷାତକାର ହେବ । ବିଦେଶୀ ଅତିଥିଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଆନୁଷ୍ଠାନିକ ସ୍ବାଗତ କରିବେ । ଏହା ପରେ ଉଭୟ ନେତା ଦ୍ବିପାକ୍ଷିକ ଆଲୋଚନା କରିବା ସହ ଜୟପୁରରେ ଏକାଧିକ ସ୍ଥାନ ପରିଭ୍ରମଣ କରିବେ । ଉଭୟ ଜୟପୁରର ଜନ୍ତରମନ୍ତର, ହାଓ୍ବା ମହଲ ଓ ଆଲର୍ବଟ ଆଇନଷ୍ଟାଇନ ସଂଗ୍ରହାଳୟରେ କିଛି ସମୟ କାଟିବେ ।
ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଶକ୍ତି, ପ୍ରତିରକ୍ଷା, ବାଣିଜ୍ୟ, ସବୁଜଶକ୍ତି ଓ ଡିଜିଟାଲାଇଜେସନ ପରି ପ୍ରସଙ୍ଗରେ ଆଲୋଚନା କରିବେ । ଉଭୟ ଦେଶ ଏହି ସମସ୍ତ କ୍ଷେତ୍ରରେ ମିଳିତ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଭାରତ- ଫ୍ରାନ୍ସ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ସମ୍ପର୍କ ଗତ କିଛି ବର୍ଷ ମଧ୍ୟରେ ପୂର୍ବାପେକ୍ଷା ଅଧିକ ସୁଦୃଢ ହୋଇଛି । ପୂର୍ବରୁ ଭାରତ, ଫ୍ରାନ୍ସ ନିର୍ମିତ ରାଫେଲ ଫାଇଟର ଜେଟ କିଣି ସାରିଛି । ଏବେ ରାଫେଲର ମରାଇନ ଭର୍ସନ ବିମାନ ଓ ସ୍କର୍ପିଓନ ଶ୍ରେଣୀର 3 ସବମେରାଇନ କ୍ରୟ କରିବା ପାଇଁ ଜାରି ରହିଥିବା ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ମୋଦି-ମାକ୍ରୋନ ଆଲୋଚନା କରିପାରନ୍ତି ।