ଭୁବନେଶ୍ବର:ରାଜନୀତିକୁ ଫେରିଛନ୍ତି ପୂର୍ବତନ ରାଜ୍ୟପାଳ ରଘୁବର ଦାସ । କିଛି ଦିନ ପୂର୍ବେ ଓଡିଶାର ରାଜ୍ୟପାଳ ପଦରୁ ଇସ୍ତଫା ଦେଇ ନିଜ ଗୃହରାଜ୍ୟ ଝାଡଖଣ୍ଡ ଫେରିଥିବା ଏହି ବରିଷ୍ଠ ପୂର୍ବତନ ରାଜନେତା ଗତକାଲି(ଶୁକ୍ରବାର) ପୁଣି ଥରେ ‘ଭାରତୀୟ ଜନତା ପାର୍ଟି’ରେ ସାମିଲ ହୋଇଛନ୍ତି । ରାଞ୍ଚିରେ ପାର୍ଟିର ରାଜ୍ୟ ମୁଖ୍ୟାଳୟରେ ସେ ପୁଣି ଥରେ ପଦ୍ମ ଧରିଛନ୍ତି । ରାଜ୍ୟ ବିଜେପି ସଭାପତି ବାବୁଲାଲ ମାରାଣ୍ଡି ଓ ଅନ୍ୟ ବରିଷ୍ଠ ନେତାମାନେ ରଘୁବରଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ ।
- ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେଉଥିଲା:-
ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରହିସାରିଥିବା ରଘୁବର ୨୦୨୩ ଅକ୍ଟୋବରରେ ଓଡିଶାର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ । ସେ ଓଡ଼ିଶାରେ ଦାୟିତ୍ବରେ ଥିବା ବେଳେ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସେତେବେଳେ ତାଙ୍କ ନାମକୁ ନେଇ ଚର୍ଚ୍ଚା ହୋଇଥିଲା । ସେ ରାଜ୍ୟପାଳ ପଦରୁ ଇସ୍ତଫା ଦେଇ ଝାଡଖଣ୍ଡ ବିଧାନସଭା ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହୋଇଥିଲା ସୁଦ୍ଧା ପରବର୍ତ୍ତୀ ସମୟରେ ସେପରି କିଛି ଘଟିନଥିଲା । ହେଲେ ତାଙ୍କ ବୋହୂ ପୂର୍ଣ୍ଣିମା ଦାସ ସାହୁ ନିର୍ବାଚନ ଲଢିଥିଲେ । ପୂର୍ବ-ଜାମସେଦପୁର ଆସନରୁ ପୂର୍ଣ୍ଣିମା କଂଗ୍ରେସର ଓଡିଶା ପ୍ରଭାରୀ ଥିବା ଅଜୟ କୁମାରଙ୍କୁ ପରାସ୍ତ କରିଥିଲେ । ତେବେ ନିର୍ବାଚନ ଶେଷ ହେବାର କିଛି ଦିନ ପରେ ରଘୁବର ଓଡ଼ିଶା ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ । ସେ ବ୍ୟକ୍ତିଗତ କାରଣ ଦର୍ଶାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଇସ୍ତଫା ପତ୍ର ପଠାଇ ଦେଇଥିଲେ ।