ଇମ୍ଫାଲ:ମଣିପୁର ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳା ନିକଟରେ ବଡଧରଣର ଅଗ୍ନିକାଣ୍ଡ ଘଟିଛି । ଗତକାଲି (ଶନିବାର) ସଂଧ୍ୟାରେ ସିଭିଲ ସେକ୍ରେଟେରିଏଟ କମ୍ପଲେକ୍ସ ଲେନରେ ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂ ରହୁଥିବା ବଙ୍ଗଳା ନିକଟବର୍ତ୍ତୀ ସ୍ଥାନରେ ଥିବା ଏକ ଅଟ୍ଟାଳିକାରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । କିଛି ଘଣ୍ଟା ମଧ୍ୟରେ ଫାଏର ଟିମ୍ ଏହି ନିଆଁକୁ ଆୟତ୍ତ କରିଛି । ଏଥିରେ କେହି ମୃତାହତ ହୋଇଥିବା ନେଇ ସୂଚନା ନାହିଁ । ନିଆଁ ଲାଗିବାର କାରଣ ସମ୍ପର୍କରେ ମଧ୍ୟ କିଛି ସ୍ପଷ୍ଟ ହୋଇପାରିନି ।
ଗତକାଲି ସଂଧ୍ୟାରେ ଏହି ସ୍ଥାନରେ ନିଆଁ ଲାଗିଯିବା ପରେ ହଠାତ ଆଲର୍ଟ ସାଇରନ ବାଜିଥିଲା । ମଣିପୁର ମୁଖ୍ୟମନ୍ତ୍ରୀ ଓ ପୋଲିସ ମୁଖ୍ୟାଳୟ ଥିବା ସିଭିଲ ସେକ୍ରେଟେରିଏଟ ଲେନର ମାତ୍ର କେଇ ଶହ ମିଟର ଦୂରରେ ଥିବା ଏକ ଅଟ୍ଟାଳିକାରେ ଏହି ଅଗ୍ନିକାଣ୍ଡ ଘଟିଛି । କେହି ଦୁର୍ବୃତ୍ତ ଏପରି କରିଛି, ନା ଅଘଟଣବଶତଃ ନିଆଁ ଲାଗିଛି, ସେ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇନି । ନିଆଁକୁ ଆୟତ କରାଯିବା ପରେ ତଦନ୍ତ ଆରମ୍ଭ ହୋଇଛି । କେହି ମୃତାହତ ଖବର ସାମ୍ନାକୁ ଆସିନଥିବା କାରଣରୁ ଉକ୍ତ ବିଲ୍ଡିଂରେ କେହି ନଥିବା ଅନୁମାନ କରାଯାଉଛି । ମାତ୍ର ପ୍ରବଳ ହିଂସାର ସାମ୍ନା କରିଥିବା ମଣିପୁରରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ଏତେ ବଡ ଅଗ୍ନିକାଣ୍ଡ ଘଟିବା ପୁଣି ଉଦବେଗ ସୃଷ୍ଟି କରିଛି ।