ନୂଆଦିଲ୍ଲୀ: ବେଲ ଆବେଦନ ଖାରଜ ହେବା ପରେ ଜେଲ ଫେରିଲେ ପୂର୍ବତନ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ତଥା ବରିଷ୍ଠ ଆମ ଆଦମୀ ପାର୍ଟି ନେତା ସତ୍ୟେନ୍ଦ୍ର ଜୈନ । ତାଙ୍କୁ କୋର୍ଟରେ ଆତ୍ମସମର୍ପଣ କରିବା ପାଇଁ ଅତିକମରେ ସପ୍ତାହେ ସମୟ ଦେବାକୁ ତାଙ୍କ ଓକିଲ ସର୍ବୋଚ୍ଚ କୋର୍ଟରେ ଏକ ମୌଖିକ ଆବେଦନ ମଧ୍ୟ କରିଥିଲେ । କିନ୍ତୁ କୋର୍ଟ ଆଜି ତାଙ୍କ ନିୟମିତ ବେଲ ଆବେଦନକୁ ଖାରଜ କରିଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶର କେଇ ଘଣ୍ଟା ମଧ୍ୟରେ ସେ ସନ୍ଧ୍ୟାରେ ତିହାର ଜେଲରେ ଆତ୍ମସମର୍ପଣ କରିଛନ୍ତି । ସନ୍ଧ୍ୟା ପ୍ରାୟ 6ଟା ସମୟରେ ସେ ନିଜ ଦିଲ୍ଲୀସ୍ଥିତ ସରସ୍ବତୀ ବିହାର ବାସଭବନରୁ ତିହାର ଜେଲ ଅଭିମୁଖେ ବାହାରିଥିଲେ । ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ଅନ୍ୟ ପ୍ରକ୍ରିୟା ଶେଷ କରାଯାଇ ସନ୍ଧ୍ୟା ସୁଦ୍ଧା ପୁନର୍ବାର ତାଙ୍କୁ ସେଲରେ ବନ୍ଦ କରାଯାଇଛି । ଜାନୁଆରୀ 17 ତାରିଖରେ ତାଙ୍କ ନିୟମିତ ବେଲ ଆବେଦନର ଶୁଣାଣି କରି ସର୍ବୋଚ୍ଚ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ । ଯାହା ଆଜି ପ୍ରକାଶ ପାଇବା ସହ ଜୈନଙ୍କୁ ନିରାଶ ହେବାକୁ ପଡିଛି ।
ଗତବର୍ଷ (2023) 26 ତାରିଖରେ ସର୍ବୋଚ୍ଚ କୋର୍ଟ ତାଙ୍କୁ ମେଡିକାଲ ଗ୍ରାଉଣ୍ଡରେ ଅନ୍ତରୀଣ ବେଲ ପ୍ରଦାନ କରିଥିଲେ । ପରବର୍ତ୍ତୀ ସମୟରେ ବିଭିନ୍ନ କାରଣରୁ ଏହି ଅବଧିକୁ ସମ୍ପ୍ରସାରିତ ମଧ୍ୟ କରାଯାଇଥିଲା । ଗତବର୍ଷ ଏପ୍ରିଲ 6 ତାରିଖରେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ନିୟମିତ ବେଲ ପ୍ରଦାନ ପାଇଁ ମନା କରିଥିଲେ । ସେ ଜଣେ ରାଜନୈତିକ ପ୍ରଭାବଶାଳୀ ବ୍ୟକ୍ତି, ତାଙ୍କୁ ବେଲ ମିଳିଲେ ତଦନ୍ତ ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ଦର୍ଶାଇ ଜୈନଙ୍କ ଆବେଦନକୁ କୋର୍ଟରେ ବିରୋଧ କରିଥିଲା କେନ୍ଦ୍ରୀୟ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହାପରେ ସେ ହାଇକୋର୍ଟଙ୍କ ରାୟକୁ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ହେଲେ ସର୍ବୋଚ୍ଚ କୋର୍ଟରୁ ଚିକିତ୍ସା ପାଇଁ ଅନ୍ତରୀଣ ବେଲ ପାଇଥିବା ଜୈନ ଏବେ ପର୍ଯ୍ୟନ୍ତ ନିୟମିତ ବେଲ ପାଇନାହାନ୍ତି ।