ଓଡିଶା

odisha

ETV Bharat / bharat

ନିର୍ବାଚନୀ ବଣ୍ଡ ଉପରେ ଲାଗିଲା କଟକଣା, ଅସାମ୍ବିଧାନିକ କହିଲେ ସୁପ୍ରିମକୋର୍ଟ - ନିର୍ବାଚନୀ ବଣ୍ଡ ମାମଲା

Electoral Bonds Case: ନିର୍ବାଚନୀ ବଣ୍ଡ ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଏହାକୁ ଅସାମ୍ବିଧାନିକ କହିଲେ ସର୍ବୋଚ୍ଚ କୋର୍ଟ । ଅଧିକ ପଢନ୍ତୁ

Electoral Bonds Case
Electoral Bonds Case

By ETV Bharat Odisha Team

Published : Feb 15, 2024, 11:35 AM IST

Updated : Feb 15, 2024, 12:54 PM IST

ନୂଆଦିଲ୍ଲୀ:ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନୀ ବଣ୍ଡ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସୁପ୍ରିମକୋର୍ଟ । ନିର୍ବାଚନୀ ବଣ୍ଡ ଉପରେ ଲାଗିଲା କଟକଣା । ଏହି ବଣ୍ଡ ବ୍ୟବସ୍ଥାକୁ ଅସାମ୍ବିଧାନିକ କହିବା ସହ ତୁରନ୍ତ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ସାମ୍ବିଧାନିକ ବେଞ୍ଚ ଆଜି ଏହି ରାୟ ଶୁଣାଇଛନ୍ତି । କୋର୍ଟ କହିଛନ୍ତି ଯେ, ନିର୍ବାଚନୀ ବଣ୍ଡ ସୂଚନା ଅଧିକାରର ଉଲ୍ଲଂଘନ ଅଟେ । ରାଜନୈତିକ ଦଳଗୁଡିକର ଫଣ୍ଡିଂ ବାବଦରେ ଜାଣିବାର ଅଧିକାର ଭୋଟରଙ୍କ ରହିଛି ।

ଏହା ମଧ୍ୟ ପଢନ୍ତୁ-ରାଜନୈତିକ ପାଣ୍ଠି ସଂଗ୍ରହରେ ସ୍ବଚ୍ଛତା ଆଣିଲା କି ଇଲେକ୍‌ଟୋରାଲ ବଣ୍ଡ ?

ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ରାଜନୈତିକ ଦଳଗୁଡିକୁ କେଉଁଠୁ ଅର୍ଥ ମିଳୁଛି, ତାହା ଜାଣିବା ସାଧାରଣ ନାଗରିକଙ୍କ ଅଧିକାର । ନିର୍ବାଚନୀ ବଣ୍ଡ ଯୋଜନା ଧାରା 19 (1) (A) ସୂଚନା ଅଧିକାରର ଉଲ୍ଲଂଘନ କରୁଛି । କଳା ଧନ ରୋକିବାକୁ ସୂଚନା ଅଧିକାରର ଉଲ୍ଲଂଘନ କରିବା ଉଚିତ୍ ନୁହେଁ । ଏହା କଳା ଟଙ୍କା ରୋକିବାର ଏକମାତ୍ର ମାଧ୍ୟମ ନୁହେଁ । ନିର୍ବାଚନୀ ବଣ୍ଡ ମାଧ୍ୟମରେ କର୍ପୋରେଟ ଯୋଗଦାନକାରୀଙ୍କ ବିଷୟରେ ସୂଚନା ଦିଆଯିବା ଆବଶ୍ୟକ । ନାଗରିକମାନଙ୍କ ଏହା ଜାଣିବାର ଅଧିକାର ରହିଛି । ନିର୍ବାଚନୀ ବଣ୍ଡ ଅସାମ୍ବିଧାନିକ ଅଟେ, ତେଣୁ ତୁରନ୍ତ ଏହାକୁ ରଦ୍ଦ କରାଯିବ । ବ୍ୟାଙ୍କଗୁଡିକ ତୁରନ୍ତ ନିର୍ବାଚନ ବଣ୍ଡ ଦେବା ବନ୍ଦ କରିବା ଉଚିତ୍ ।

ଏଥିସହ 3 ସପ୍ତାହ ମଧ୍ୟରେ ନିର୍ବାଚନୀ ବଣ୍ଡ ଜରିଆରେ ମିଳିଥିବା ଆର୍ଥିକ ଅନୁଦାନର ସମସ୍ତ ବିବରଣୀ ଦେବାକୁ SBIକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଏହାର ସବିଶେଷ ତଥ୍ୟ ଭାରତୀୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିବ । ଇସିଆଇ ଏହି ବିବରଣୀକୁ ୱେବସାଇଟରେ ପ୍ରକାଶ କରିବେ । ୨୦୧୯ରୁ ଆଜି ପର୍ଯ୍ୟନ୍ତ ମିଳିଥିବା ଅନୁଦାନର ସମସ୍ତ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଗତ ବର୍ଷ ନଭେମ୍ବର ୨ ତାରିଖରେ ଏହି ମାମଲା ସୁପ୍ରିମକୋର୍ଟରେ ସଂରକ୍ଷିତ ରହିଥିଲା ।

2018 ଜାନୁଆରୀ 2 ତାରିଖରେ ନିର୍ବାଚନୀ ବଣ୍ଡ ଯୋଜନା ଘୋଷଣା ହୋଇଥିଲା । ରାଜନୈତିକ ଫଣ୍ଡିଂରେ ପାରଦର୍ଶିତା ଓ ରାଜନୈତିକ ଦଳଗୁଡିକୁ ଅନୁଦାନ ଆକାରରେ ଦିଆଯାଉଥିବା ପାଣ୍ଠିରେ ସ୍ୱଚ୍ଛତା ଆଣିବା ପାଇଁ ଏହା ଆରମ୍ଭ ହୋଇଥିଲା । ଏହି ଯୋଜନାର ନିୟମ ଅନୁଯାୟୀ, ଦେଶର କୌଣସି ନାଗରିକ କିମ୍ବା ପ୍ରତିଷ୍ଠିତ ସଂସ୍ଥା ବଣ୍ଡ କ୍ରୟ କରି ରାଜନୈତିକ ଦଳମାନଙ୍କୁ ଅନୁଦାନ ଦେଉଥିଲେ । ଏହି ବଣ୍ଡକୁ ବ୍ୟାଙ୍କରେ ଦେବା ପରେ ଅର୍ଥ ପାଉଥିଲେ ରାଜନୈତିକ ଦଳ ।

Last Updated : Feb 15, 2024, 12:54 PM IST

ABOUT THE AUTHOR

...view details