ଭୁବନେଶ୍ବର:ସାଧାରଣ ନିର୍ବାଚନର ମାତ୍ର ଦୁଇମାସ ପୂର୍ବରୁ ସର୍ବୋଚ୍ଚ କୋର୍ଟ ରାଜନୈତିକ ଦଳମାନଙ୍କ ପାଣ୍ଠି ସଂଗ୍ରହ କ୍ଷେତ୍ରରେ ପୂର୍ବରୁ ଥିବା ‘ନିର୍ବାଚନୀ ବଣ୍ଡ’ ଯୋଜନାକୁ ଅବୈଧ ଘୋଷଣା କରିଛନ୍ତି । ଏହା ସହ ଏହି ଯୋଜନା କାର୍ଯ୍ୟକାରୀ ହେବା ପରେ କେତେସଂଖ୍ୟକ ବଣ୍ଡ ବିକ୍ରି ହୋଇଛି, କେଉଁ ରାଜନୈତିକ ଦଳ କେତେ ଦାନ ସଂଗ୍ରହ କରିଛନ୍ତି, ସେ ସମ୍ପର୍କରେ ମଧ୍ୟ ତଥ୍ୟ ଦାଖଲ କରିବାକୁ କୋର୍ଟ କହିଛନ୍ତି । ଏହି ପ୍ରସଙ୍ଗରେ ନିର୍ବାଚନ ଆୟୋଗ ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ କରିବ ବୋଲି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସ୍ପଷ୍ଟ କରିଛନ୍ତି ।
ରାଜ୍ୟଓ୍ବାରୀ ନିର୍ବାଚନୀ ପ୍ରସ୍ତୁତି ସମୀକ୍ଷା ପାଇଁ ବିଭିନ୍ନ ରାଜ୍ୟ ଗସ୍ତ ଜାରି ରଖିଛନ୍ତି ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ତାଙ୍କ ଟିମ୍ । ଗତକାଲି ଓଡିଶାରେ 3 ଦିନିଆ ପ୍ରସ୍ତୁତି ସମୀକ୍ଷା କରିବା ପରେ ଅପରାହ୍ନରେ ସେ ପ୍ରେସମିଟ କରିଥିଲେ । ଏହି ନିର୍ବାଚନୀ ବଣ୍ଡ ମାମଲାରେ ମୁଖ୍ୟ ଆୟୁକ୍ତ ରାଜୀବ କୁମାର କହିଛନ୍ତି, ନିର୍ବାଚନ ପରିଚାଳନା କ୍ଷେତ୍ରରେ ସଠିକ ସୂଚନାର ସରବରାହ ଓ ପୁରା ପ୍ରକ୍ରିୟାରେ ପାରଦର୍ଶିତାକୁ ଆଧାର କରି ନିର୍ବାଚନ ଆୟୋଗ କାମ କରିଆସୁଛି । ତେଣୁ ଏହି ନିର୍ବାଚନୀ ବଣ୍ଡ ମାମଲାରେ ସର୍ବୋଚ୍ଚ କୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି, ତାହା ମଧ୍ୟ ସଠିକ ଭାବେ ଅନୁପାଳନ ହେବ । କୋର୍ଟଙ୍କ ଦ୍ବାରା ଯେବେ ବିଧିବଦ୍ଧ ଭାବେ ନିର୍ଦ୍ଦେଶ ଜାରି ହେବା ପରେ, ସେହି ଆଧାରରେ ଆୟୋଗ ମଧ୍ୟ ପରବର୍ତ୍ତୀ କାର୍ଯ୍ୟପ୍ରଣାଳୀ ଗ୍ରହଣ କରିବ ।
ସେହିପରି ଇଭିଏମ ଟ୍ୟାମ୍ପରିଂ ଅଭିଯୋଗ ସହ ଏହାକୁ ବନ୍ଦ କରିବା ନେଇ କୋର୍ଟରେ ବିଚାରାଧୀନ ଥିବା ମାମଲାରେ ସମ୍ପର୍କରେ ମୁଖ୍ୟ ନର୍ବାଚନ କମିଶନର କହିଛନ୍ତି, ଏହି ମାମଲା ଏବେ ବିଚାର ପ୍ରକ୍ରିୟା ମଧ୍ୟରେ ରହିଛି । ଏହାର ନିଷ୍ପତ୍ତି ଅଦାଲତ ଗ୍ରହଣ କରିବ । ଯଦି ସେହି କ୍ଷେତ୍ରରେ କିଛି ରାୟ ଆସେ, ତେବେ ଏଥିରେ ଆବଶ୍ୟକ ସ୍ଥଳେ ପରିବର୍ତ୍ତନ କରାଯାଇପାରେ ।