ମୁମ୍ବାଇ:ଥାନା ଭିତରେ ଶିବସେନା ନେତାଙ୍କୁ ଗୁଳିମାଡ଼ ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଦାୟୀ କଲେ ଅଭିଯୁକ୍ତ ବିଜେପି ବିଧାୟକ ଗଣପତ ଗାଏକୱାଡ । ମୋ ଭଳି ଭଲ ମଣିଷକୁ ସିନ୍ଦେ ଆଜି ଅପରାଧୀ ସଜାଇଛନ୍ତି । ସେ ମୁଖ୍ୟମନ୍ତ୍ରୀ ରହିଲେ, ରାଜ୍ୟରେ ଅପରାଧୀ ବୃଦ୍ଧି ପାଇବେ । ମୋଠୁ ଜମି ଛଡାଇ ନିଆଗଲା । ମୋ ପୁଅକୁ ଥାନାରେ ମାଡ଼ ମରାଗଲା । ଏହିସବୁ ପାଇଁ ମୁଁ ନିରାଶ ଥିଲି, ସେଥିପାଇଁ ଗୁଳି ଚଳାଇଥିଲି । ଶୁକ୍ରବାର ଗିରଫଦାରୀ ପୂର୍ବରୁ ଟେଲିଫୋନରେ ଗୋଟିଏ ଗଣାମଧ୍ୟମକୁ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ବିଜେପି ବିଧାୟକ ।
ଅଭିଯୁକ୍ତ ବିଧାୟକଙ୍କ ଫୋନ୍ ବାର୍ତ୍ତାଳାପ ଏବେ ଭାଇରାଲ ହେଉଛି । ଏଥିରେ ଗଣପତ ଗାଏକୱାଡ କହୁଥିବା ଶୁଣିବାକୁ ମିଳୁଛି, ''ଥାନା ଭିତରେ ମୋ ପୁଅକୁ ମାରପିଟ୍ କରାଗଲା । ମୋ ଠାରୁ ମୋ ଜମି ଜୋରଜବରଦସ୍ତ ଛଡାଇ ନିଆଗଲା । ଯଦି ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ରହିବେ, ତାହେଲେ ଆମେ କେବଳ ଅପରାଧୀମାନଙ୍କୁ ଆଗକୁ ବଢୁଥିବାର ଦେଖିବା । ସିନ୍ଦେ ମୋତେ ଅପରାଧୀ ସଜେଇଛନ୍ତି । ମୁଁ ନିରାଶ ଥିଲି, ସେଥିପାଇଁ ଗୁଳି ଚଳାଇଥିଲି । ଏହି କାର୍ଯ୍ୟ ପାଇଁ ମୋର କିଛି ଅବଶୋଷ ନାହିଁ । ଯଦି କେହି ମୋ ପୁଅକୁ ପୋଲିସ ଷ୍ଟେସନରେ ମାରପିଟ୍ କରେ, ତାହେଲେ ଆପଣ ମୋ ଠାରୁ ଆଉ କଣ ଚାହିଁବେ ! ତାଙ୍କୁ (ଶିବସେନା ନେତା) ମାରିବା ଉଦ୍ଦେଶ୍ୟ ମୋର ନଥିଲା ।''