ନୂଆଦିଲ୍ଲୀ:‘‘ବୁଲଡୋଜର ଜଷ୍ଟିସ୍ ଧାରା ସମ୍ପୂର୍ଣ୍ଣ ଅସାମ୍ବିଧାନିକ । କୌଣସି ବ୍ୟକ୍ତି କୌଣସି ମାମଲାରେ ଅଭିଯୁକ୍ତ ଥିଲେ, ସେ ଦୋଷୀ କିମ୍ବା ନିର୍ଦ୍ଦୋଷ ତାହା ନିର୍ଣ୍ଣୟ କରିବା ପାଇଁ ନ୍ୟାୟପାଳିକା ରହିଛି । କୌଣସି ବ୍ୟକ୍ତି କେବଳ ମାତ୍ର ଅଭିଯୁକ୍ତ ବୋଲି କାର୍ଯ୍ୟପାଳିକା ତାର ଆଶ୍ରୟ ଭାଙ୍ଗିପାରିବ ନାହିଁ । ଏହା ସମ୍ପୂର୍ଣ୍ଣ ଅସାମ୍ବିଧାନିକ ଓ କ୍ଷମତାର ପୃଥ୍ବୀକରଣ ନୀତିର ଖୋଲା ଉଲ୍ଲଂଘନ । ନ୍ୟାୟ ପ୍ରଦାନ ଆଳରେ ଏହି ଧାରାକୁ ବରଦାସ୍ତ କରାଯିବ ନାହିଁ ।’’ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ବୁଲଡୋଜର ଆକ୍ସନ ବିରୋଧରେ ଆଜି(ବୁଧବାର) ସୁପ୍ରିମ କୋର୍ଟ ଏପରି କଡା ଟିପ୍ପଣୀ କରିଛନ୍ତି । ଏହା ସହ ଖଣ୍ଡପୀଠ ଏକାଧିକ ଦଫା ସମ୍ବଳିତ ଏକ ଗାଇଡଲାଇନ୍ ଜାରି କରିଛନ୍ତି । ଏପରି ସ୍ଥିତିରେ ସରକାର ଓ ପ୍ରଶାସନ କ୍ଷମତାର ଦୂରୁପଯୋଗ କରି ମନମାନି କରିପାରିବେନି, ବରଂ କୋର୍ଟଙ୍କ ଏହି ନିର୍ଦ୍ଦେଶାବଳୀ ମଧ୍ୟରେ ରହି କାର୍ଯ୍ୟାନୁଷ୍ଠାନ ନେବେ ।
- ପ୍ରତ୍ୟେକ ବ୍ୟକ୍ତିର ବାସସ୍ଥାନ ତାର ଆଶା ଓ ଆଶ୍ରୟ: ସୁପ୍ରିମକୋର୍ଟ
ବିଭିନ୍ନ ଘଟଣାରେ ତୁରନ୍ତ ବୁଲଡୋଜର ଲଗାଇ ଘର ଓ ସମ୍ପତ୍ତିକୁ ମାଟିରେ ମିଶାଯାଉଥିବା ଘଟଣାରେ ହସ୍ତକ୍ଷେପ କରିବାକୁ ହୋଇଥିବା ଏକ ମାମଲାର ଶୁଣାଣି ଆଜି ଜଷ୍ଟିସ ବିଆର ଗଭାଇ ଓ ଜଷ୍ଟିସ କେଭି ବିଶ୍ବନାଥନଙ୍କ ଖଣ୍ଡପୀଠରେ ହୋଇଥିଲା । କୋର୍ଟ ଏହି ଧାରାକୁ ଅତି ଗମ୍ଭୀର ବୋଲି ବିଚାର କରି ଉଦବେଗ ପ୍ରକାଶ କରିଥିଲେ । ଅକ୍ଟୋବର ପହିଲାରେ ଏହି ମାମଲାର ସଂରକ୍ଷିତ ରାୟ ପ୍ରକାଶ କରିବେ କୋର୍ଟ । ଖଣ୍ଡପୀଠ କହିଥିଲେ, ପ୍ରତ୍ୟେକ ବ୍ୟକ୍ତିର ବାସସ୍ଥାନ ତାର ଆଶା ଓ ଆଶ୍ରୟ ହୋଇଥାଏ । ସେହି ଆଶ୍ରୟରୁ ସେ କେବେ ମଧ୍ୟ ବଞ୍ଚିତ ନହେଉ ବୋଲି ସମସ୍ତେ ଚାହାନ୍ତି । ବର୍ତ୍ତମାନ ପରିସ୍ଥିତିରେ ଏକ ଗମ୍ଭୀର ପ୍ରସଙ୍ଗ ଯେ, ଜଣେ ବ୍ୟକ୍ତି କେବଳ ଅଭିଯୁକ୍ତ ବୋଲି କଣ କାର୍ଯ୍ୟପାଳିକା ତାର ବାସସ୍ଥାନରୁ ତାକୁ ବଞ୍ଚିତ କରିଦେବ । ସେହି ବ୍ୟକ୍ତି ଦୋଷୀ କିମ୍ବା ନିର୍ଦ୍ଦୋଷ, ତାହା ନ୍ୟାୟପାଳିକା ନିର୍ଣ୍ଣୟ କରିବ, ଏହା କାର୍ଯ୍ୟପାଳିକାର କ୍ଷମତା ପରିସରଭୂକ୍ତ ନୁହେଁ । କେବଳ ଏହି କାରଣ ପାଇଁ ତାଙ୍କର ବାସଗୃହ କିମ୍ବା ସମ୍ପତ୍ତିକୁ ଧ୍ବଂସ କରାଯାଇ ପାରିବ ନାହଁ ।
କୋର୍ଟ ଏହି ଧାରାକୁ ନେଇ ସମ୍ବିଧାନର ମୂଳ ମୂଲ୍ୟବୋଧର ସୁରକ୍ଷା ନେଇ ମଧ୍ୟ ଚିନ୍ତା ବ୍ୟକ୍ତି କରିଛନ୍ତି । ଲୋକତନ୍ତ୍ରର ଶାସନ ଆଇନର ଶାସନ ଉପରେ ଆଧାରିତ । ଏଥିରେ ଅପରାଧିକ ନ୍ୟାୟ ପ୍ରଣାଳୀ ସମ୍ପୂର୍ଣ୍ଣ ନିରପେକ୍ଷ ହେବା ଉଚିତ । ଆଇନର ବ୍ୟବସ୍ଥାକୁ ବଜାୟ ରଖିବା ସମସ୍ତ ରାଜ୍ୟ ସରକାରଙ୍କ ଦାୟିତ୍ବ ଓ କର୍ତ୍ତବ୍ୟ । କେହି ଆଇନକୁ ହାତକୁ ନେବା ଅନୁଚିତ । ଏପରି ହେଲେ ଏହା କ୍ଷମତା ବିକେନ୍ଦ୍ରୀକରଣ ଅବଧାରଣାର ଖୋଲା ଉଲ୍ଲଂଘନ କରିବ । ଯାହା ଅତ୍ୟନ୍ତ ଚିନ୍ତାଜନକ ବିଷୟ ।
'ବାଧ୍ୟତାମୂଳକ ଗାଇଡଲାଇନ '
ଧାରା-142 ଅନୁଯାୟୀ ପ୍ରଦତ୍ତ କ୍ଷମତା ବ୍ୟବହାର କରି ଖଣ୍ଡପୀଠ ଦେଶରେ ପାଳନ କରାଯିବାକୁ ଥିବା ବାଧ୍ୟତାମୂଳକ ପ୍ରକ୍ରିୟାଗତ ସୁରକ୍ଷାକୁ ବ୍ୟାଖ୍ୟା କରିଛନ୍ତି । ଏପରି ସ୍ଥଳେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ନିଶ୍ଚିତ କରିବାକୁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନିର୍ଦ୍ଦିଷ୍ଟ ନିୟମାବଳୀ ପ୍ରସ୍ତୁତ କରିଛି ।
- ଭଙ୍ଗାଯିବା ସମୟରେ ସମସ୍ତ ପ୍ରକ୍ରୟା ଭିଡିଓ ରେକର୍ଡ କରାଯିବା ଉଚିତ୍
- ପୂର୍ବ ଲିଖିତ ବିଜ୍ଞପ୍ତି ବିନା କୌଣସି ବ୍ୟକ୍ତିବିଶେଷଙ୍କର ସମ୍ପତ୍ତି ଭାଙ୍ଗାଯାଇ ପାରିବନାହିଁ
- ଏପରି ସ୍ଥଳେ ଘରର ମାଲିକମାନଙ୍କୁ ଅତିକମରେ 15 ଦିନ ସମୟ ଦିଆଯିବା ଉଚିତ
- ଏହି ଆଦେଶ ସମସ୍ତ ହାଇକୋର୍ଟ ଏବଂ ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ
- ସମ୍ପୃକ୍ତ ଅଧିକାରୀଙ୍କୁ ସର୍କୁଲାର ଜାରି କରାଯିବ