ନୂଆଦିଲ୍ଲୀ:ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଝଟକା । ଆଜି(ଶନିବାର) କେଜ୍ରିୱାଲଙ୍କୁ 14 ଦିନିଆ ନ୍ୟାୟିକ ହେପାଜତକୁ ପଠାଇଲେ ରାଉଜ ଆଭେନ୍ୟୁ କୋର୍ଟ । ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା କେଜ୍ରିୱାଲଙ୍କୁ ଗତ 26 ଜୁନରେ ତିହାର ଜେଲରେ ଗିରଫ କରିଥିଲା ସିବିଆଇ । 3 ଦିନିଆ ରିମାଣ୍ଡ ସରିବା ପରେ ତାଙ୍କୁ ଆଜି କୋର୍ଟରେ ହାଜର କରିଥିଲା । କୋର୍ଟ ତାଙ୍କୁ 14 ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ।
ଦିଲ୍ଲୀ ଅବକାରୀ ନୀତି ମାମଲା ସହିତ ଜଡିତ କଥିତ ଅର୍ଥ ହେରଫେର ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମାମଲାରୁ ତଦନ୍ତ କରୁଛି ସିବିଆଇ । ଆଜି କୋର୍ଟରେ ମାମଲାର ଶୁଣାଣି ଚାଲିଥିବା ବେଳେ କେଜ୍ରିୱାଲଙ୍କୁ ନ୍ୟାୟିକ ହେପାଜତକୁ ପଠାଇବା ପାଇଁ ଅନୁରୋଧ କରିଥିଲା ସିବିଆଇ । ଜଷ୍ଟିସ ସୁନୈନା ଶର୍ମା ସିବିଆଇର ଅନୁରୋଧ ରକ୍ଷା କରି ତାଙ୍କୁ 14 ଦିନିଆ ନ୍ୟାୟିକ ହେପାଜତଙ୍କୁ ପଠାଇଛନ୍ତି ।
ଏନେଇ ଆଇନଜୀବୀ ଋଷିକେଷ କୁମାର କହିଛନ୍ତି, ‘12 ଜୁଲାଇରେ ଅରବିନ୍ଦ କେଜ୍ରିୱାଲଙ୍କୁ କୋର୍ଟରେ ହାଜର କରାଯିବ । ଆମେ କୋର୍ଟକୁ ଡାଇବେଟିସ ଔଷଧ, ଟେଷ୍ଟିଂ କିଟ ଓ ଘର ପ୍ରସ୍ତୁତ ଖାଦ୍ୟ ଦେବାକୁ ଅନୁରୋଧ କରିଥିଲୁ । କୋର୍ଟ ଆମ ଦାବି ସ୍ବୀକାର କରିଛନ୍ତି ।’