ନୂଆଦିଲ୍ଲୀ:ବହୁଚର୍ଚ୍ଚିତ ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡିର ସମନକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆଜି ହାଇକୋର୍ଟରେ ଏହି ଆବେଦନର ଶୁଣାଣି ହୋଇଛି । ତେବେ ଶୁଣାଣି ସମୟରେ ବାରମ୍ବାର ସମନ ସତ୍ତ୍ବେ କାହିଁକି ଇଡିରେ ହାଜର ହେଉନ ବୋଲି କେଜ୍ରିୱାଲଙ୍କୁ ପ୍ରଶ୍ନ କରିଛନ୍ତି କୋର୍ଟ । କୋର୍ଟ କହିଛନ୍ତି ଯେ, ଇଡି କ'ଣ ଚାହେଁ ଏବଂ ଆପଣଙ୍କୁ ସାକ୍ଷୀ ଭାବେ କି ଅଭିଯୁକ୍ତ ଭାବରେ ଡକାଉଛି, ତାହା ଆପଣ ହାଜର ହେଲା ପରେ ହିଁ ଜାଣିପାରିବେ । ତେବେ ଆସନ୍ତକାଲି ସେ ହାଜର ହୋଇପାରିବେ କି ବୋଲି କେଜ୍ରିୱାଲଙ୍କୁ ହାଇକୋର୍ଟ ପ୍ରଶ୍ନ କରିଛନ୍ତି । ଆସନ୍ତା ୨୨ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
ଅରବିନ୍ଦ କେଜ୍ରିୱାଲଙ୍କ ପକ୍ଷରୁ ଆଇନଜୀବୀ ଅଭିଷେକ ମନୁ ସିଙ୍ଘବୀ ହାଇକୋର୍ଟରେ ଏହି ମାମଲା ପରିଚାଳନା କରିଥିଲେ । ସେ କୋର୍ଟକୁ କହିଥିଲେ ଯେ, ଇଡି ୯ଟି ସମନ ଜାରି କରିଛି । ସବୁ ସମନ ଉପରେ ଆମେ ଜବାବ ଦାଖଲ କରିଛୁ । ଆମେ ଭର୍ଚୁଆଲରେ ହାଜର ହୋଇ ଜବାବ ଦେବାକୁ ପ୍ରସ୍ତୁତ ଅଛୁ । ଇଡିରେ ହାଜର ହେବାରେ କୌଣସି ସମସ୍ୟା ନାହିଁ, କିନ୍ତୁ ଆମକୁ କିଛି ପ୍ରୋଟେକ୍ସନ ଦରକାର । ଏହି ମାମଲାରେ ଇଡିକୁ ସମନ କରିବାକୁ କୋର୍ଟଙ୍କୁ ପ୍ରାର୍ଥନା କରିଥିଲେ କେଜ୍ରିୱାଲଙ୍କ ଆଇନଜୀବୀ ।