ହାଇଦ୍ରାବାଦ:କ୍ରିକେଟ ଖେଳ, ଭାରତରେ କେବଳ ଏକ ଖେଳ ନୁହେଁ କ୍ରିକେଟକୁ ଏକ ଧର୍ମ ପରିଗଣିତ କରାଯାଏ । ଖାଲିସେତିକି ନୁହେଁ, କ୍ରିକେଟ ଖେଳ ସମଗ୍ର ଦେଶରେ ଏକ ଆବେଗ, ଭାବ ପ୍ରବଣତା । କ୍ରିକେଟ ମ୍ୟାଚ ଚାଲିଲେ ଆଉ ଟିମ୍ ଇଣ୍ଡିଆର ମ୍ୟାଚ ଦିନ, ଆସିଲେ ଭରିଯାଏ ସଭିଙ୍କ ମନରେ ଉତ୍ସାହ ଏବଂ ଉଦ୍ଦିପନା । କର୍ମ କ୍ଷତ୍ରରେ ହେଉ କିମ୍ବା ରାସ୍ତାକଡ ଦୋକାନରେ କ୍ରିକେଟ ଆଉ କ୍ରିକେଟ ଆଲୋଚନା ହୋଇଥାଏ । ଆଉ ପୁଣି ଭାରତ ବନାମ ପାକିସ୍ତାନ ମ୍ୟାଚ ଆରମ୍ଭ ହୋଇଗଲେ ଯେପରି ଠପ ହୋଇଯାଏ ପୁରା ଦେଶ । ନିଜ ନିଜ କାମ ଛାଡି ସଭିଏଁ କ୍ରିକେଟ ମ୍ୟାଚ ଦେଖିବାକୁ ଉଦ୍ୟମ କରିଥାନ୍ତି । ଆଉ ସେପରି ଏକ ଉଦାହରଣ ଦେଖିବାକୁ ମିଳିଛି ଗତକାଲି । ଆଇସିସି ଚାମ୍ପିଅନ୍ସ ଟ୍ରଫି 2025 ପାକିସ୍ତାନ ଏବଂ ଦୁବାଇରେ ଖେଳାଯାଉଛି । ମେଗା ଆଇସିସି ଟୁର୍ଣ୍ଣାମେଣ୍ଟରେ 5ଟି ଗ୍ରୁପ ମ୍ୟାଚ ଖେଳାସରିଥିବା ବେଳେ ଭାରତ ଖେଳିସାରିଛି ଦୁଇଟି ଲିଗ୍ ମ୍ୟାଚ । ଗୋଟିଏ ମ୍ୟାଚରେ ବାଂଲାଦେଶକୁ ହରାଇଥିବା ବେଳେ ଆଉ ଗୋଟିଏ ମ୍ୟାଚରେ ଗତକାଲି ଚରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ମାତ ଦେଇଛି ଟିମ୍ ଇଣ୍ଡିଆ ।
ଆଉ ଏହି ହାଇଭୋଲଟେଜ୍ ମ୍ୟାଚର ଫିଭର ଦେଶର କୋଣ ଅନୁକୋଣରେ ଦେଖିବାକୁ ମିଳିଥିଲା । ତେବେ ଆଇସିସି ଇଭେଣ୍ଟର ବହୁ ପ୍ରତୀକ୍ଷିତ ମ୍ୟାଚର ଫିଭର ମଧ୍ୟ ଦେଖିବାକୁ ମିଳିଥିଲା ବିବାହ ଉତ୍ସବରେ । ତେଲେଙ୍ଗାନା ଆଦିଲାବାଦର ଏକ ବିବାହ ସମାରୋହରେ ଦେଖିବାକୁ ମିଳିଥିଲା କ୍ରିକେଟ ପାଗଳାମୀ । ଭାରତ ଏବଂ ପାକିସ୍ତାନ ମ୍ୟାଚ ଲାଇଭ୍ ଚାଲିଲା ଓ୍ବେଡିଂ ସ୍କ୍ରିନରେ । ବିବାହ ଫଟୋ ଏବଂ ଭିଡିଓ ଦେଖିବା ବଦଳରେ ମ୍ୟାଚ ସେଲିବ୍ରେସନ୍ କରିଥିଲେ ଅତିଥି ।