ପାଟନା:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି ମିଥ୍ୟା ପ୍ରଚାର କରୁଛନ୍ତି । କଂଗ୍ରେସ ଧର୍ମ ଆଧାରରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବ ବୋଲି କହୁଛନ୍ତି । କିନ୍ତୁ କଂଗ୍ରେସ ଧର୍ମ ଆଧାରରେ ନୁହେଁ, ବରଂ ସଂଖ୍ୟାଲଘୁ ଆଧାରରେ ନିର୍ଦ୍ଦିଷ୍ଟ ବର୍ଗର ସମ୍ପ୍ରଦାୟକୁ ସଂରକ୍ଷଣ ପ୍ରଦାନ କରିବ ବୋଲି ପ୍ରତିଶ୍ରୁତି ଦେଇଥିବା ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ଜୟରାମ ରମେଶ କହିଛନ୍ତି । ଆଜି ବିହାରରେ ଏକ ପ୍ରେସ କନଫରେନ୍ସରେ ଏହା ସ୍ପଷ୍ଟ କରିଛନ୍ତି ଜୟରାମ ।
ସଦକତ ଆଶ୍ରମ ସ୍ଥିତ ବିହାର ପ୍ରଦେଶ କଂଗ୍ରେସ କମିଟିର ମୁଖ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଜୟରାମ ରମେଶ କହିଛନ୍ତି, "ଧର୍ମ ଆଧାରରେ କୌଣସି କୋଟା ପ୍ରଦାନ କରାୟାଉନାହିଁ । ଆମେ ଦେଶର ସମ୍ବିଧାନକୁ ସମ୍ମାନ କରୁ । ଆମ ସମ୍ବିଧାନ ଧର୍ମ ଆଧାରରେ ସଂରକ୍ଷଣ ପ୍ରଦାନ କରିବାକୁ ଅନୁମତି ଦିଏନାହିଁ । କିନ୍ତୁ ଏଠାରେ ବିଜେପି ସମ୍ବିଧାନର ଅବମାନନା କରି ସିଏଏ ଲାଗୁ କରିଛି । ଯାହାକି ଧର୍ମ ଆଧାରରେ ଭାରତରେ ଆଶ୍ରୟ ନେଇଥିବା ବିଦେଶୀଙ୍କୁ ଭାରତର ନାଗରିକତା ପ୍ରଦାନ କରୁଛି ।"
ଏହା ବି ପଢନ୍ତୁ- ‘ଧର୍ମ ଆଧାରରେ ମୁସଲମାନଙ୍କୁ କୌଣସି ସଂରକ୍ଷଣ ମିଳିବନି’
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠୁ ଆରମ୍ଭ କରି ଅନେକ ବିଜେପି ନେତା ଅଭିଯୋଗ କରିଆସୁଛନ୍ତି ଯେ କଂଗ୍ରେସ ଦଳିତ, ପଛୁଆ ବର୍ଗଙ୍କ ସଂରକ୍ଷଣକୁ ଛଡାଇ ଆଣି ନିଜ ଭୋଟ ବ୍ୟାଙ୍କ ଲାଗି ମୁସଲିମ ବର୍ଗଙ୍କୁ ପ୍ରଦାନ କରିବାକୁ ଯୋଜନା କରୁଛି । ଏହା ଉପରେ ପ୍ରତିକ୍ରିୟା ରଖି ଜୟରାମ କହିଛନ୍ତି, "ପ୍ରଧାନମନ୍ତ୍ରୀ ମୋଦି ଗୋଟିଏ ପରେ ଗୋଟିଏ ମିଛ ଅଭିଯୋଗ କଂଗ୍ରେସ ବିରୋଧରେ ଆଣୁଛନ୍ତି । ଏହି ନିର୍ବାଚନ ପରେ ସେ 'ଅବର୍ତ୍ତମାନ ପ୍ରଧାନମନ୍ତ୍ରୀ' ହେବାକୁ ଯାଉଥିବା ହୃଦୟଙ୍ଗମ କରିବା ପରେ ସେ ଏପରି କହୁଛନ୍ତି । କଂଗ୍ରେସ ଇସ୍ତାହାର ପତ୍ରରେ ଏପରି କିଛି ଲେଖାନଥିବା ସତ୍ତ୍ବେ ପ୍ରଧାନମନ୍ତ୍ରୀ ମିଛ ପ୍ରଚାର କରୁଛନ୍ତି ।"
ରମେଶ ଆହୁରି କହିଛନ୍ତି ଯେ ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ଆମେ ପହଞ୍ଚିଛୁ । ଦେଶର ଅଧିକାଂଶ ମତଦାତା ପ୍ରଥମ ଚତୁର୍ଥ ପର୍ଯ୍ୟାୟରେ ନିଜର ମତଦାନ ସାବ୍ୟସ୍ତ କରିସାରିଲେଣି । ଏବେ ପ୍ରତୀୟମାନ ହେଉଛି ଯେ ବିଜେପି ପଶ୍ଚିମ ଓ ପୂର୍ବରେ ଦୁର୍ବଳ ହୋଇସାରିଲାଣି । ଦକ୍ଷିଣରେ ବିଜେପି ସମ୍ପୂର୍ଣ୍ଣ ଭାବେ ପୋଛି ହୋଇଯିବ । ସୂଚନା ଥାଉ କି ଆସନ୍ତାକାଲି (ମେ 20)ରେ ଦେଶରେ ପଞ୍ଚମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପର୍ଯ୍ୟାୟରେ 6 ରାଜ୍ୟ ଓ 2ଟି କେନ୍ଦ୍ରଶାସିତ ଅଞ୍ଚଳର ମୋଟ 49ଟି ଲୋକସଭା ଆସନରେ ପଡ଼ିବ ଭୋଟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ