ନୂଆଦିଲ୍ଲୀ:କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ଆସାମରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଚାଲିଥିବା ବେଳେ ବାରମ୍ବାର କଂଗ୍ରେସ ସାଂସଦଙ୍କ ସୁରକ୍ଷା ବ୍ୟବସ୍ଥାରେ ବିଭ୍ରାଟ ଦେଖାଯାଉଥିବା ନେଇ ଚିନ୍ତାବ୍ୟକ୍ତ କରିବା ସହ ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ପାଇଁ ଗୃହମନ୍ତ୍ରୀଙ୍କୁ ମଙ୍ଗଳବାର ଦିନ ଚିଠି ଲେଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ ।
କଂଗ୍ରେସ ଅଧ୍ୟକ୍ଷ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଜାନୁଆରୀ 14ରୁ କଂଗ୍ରେସ ମଣିପୁରରୁ ମୁମ୍ବାଇ ପର୍ଯ୍ୟନ୍ତ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଆରମ୍ଭ କରିଛି । ଏହି ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତୀୟମାନଙ୍କ ମଧ୍ୟରେ ନ୍ୟାୟ ଓ ସମାନତା ବାର୍ତ୍ତା ପ୍ରଚାର କରିବା । ଦୁର୍ଭାଗ୍ୟବଶତଃ ଜାନୁଆରୀ 18ରେ ଆସାମରେ ଏହି ଯାତ୍ରା ପ୍ରବେଶ କରିବା ପରଠୁ ସାଂସଦ ରାହୁଲ ଗାନ୍ଧୀଙ୍କୁ ସୁରକ୍ଷା ପ୍ରଦାନ କରିବାରେ ଆସାମ ପୋଲିସ ଫେଲ ମାରିଥିବାର ଏକାଧିକ ଉଦାହରଣ ସାମ୍ନାକୁ ଆସିଛି । ରାହୁଲଙ୍କୁ Z ପ୍ଲସ୍ ସିକ୍ୟୁରିଟି ଥିଲେ ମଧ୍ୟ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଦେଖିବାକୁ ମିଳିଛି । ସର୍ବସାଧାରଣ ସ୍ଥାନରେ ବାରମ୍ବାର ସୁରକ୍ଷା ବ୍ୟବସ୍ଥାରେ ବିଭ୍ରାଟ ଦେଖିବାକୁ ମିଳିଥିଲେ ମଧ୍ୟ ପୋଲିସ ଏବେସୁଦ୍ଧା ଜଣକୁ ବି ଗିରଫ କରିନାହିଁ କିମ୍ବା ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ।
ଏହି ମାମଲାରେ ହସ୍ତକ୍ଷେପ କରିବା ସହ ଆସାମରେ ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ସାମିଲ ହୋଇଥିବା କଂଗ୍ରେସ ସାଂସଦ ତଥା ଅନ୍ୟନେତାମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ପାଇଁ ଗୃହମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ।
ଏହାମଧ୍ୟ ପଢନ୍ତୁ..ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ; ଆସାମ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆକ୍ସନ