ନୂଆଦିଲ୍ଲୀ: ‘‘ପ୍ରତ୍ୟେକ ସମାଲୋଚନା ଅପରାଧ ଶ୍ରେଣୀଭୂକ୍ତ ହୋଇପାରିବ ନାହିଁ । ଯଦି ଏହି ବାଚାର ସହ ଆଗକୁ ବଢାଯାଏ, ତେବେ ଗଣତନ୍ତ୍ର ବଞ୍ଚିପାରିବ ନାହିଁ । ସମ୍ବିଧାନ ଦ୍ବାରା ପ୍ରଦାନ କରାଯାଇଥିବା ମୁକ୍ତ ଅଭିବ୍ୟକ୍ତିର ସ୍ବାଧୀନତା ସମ୍ପର୍କରେ ପୋଲିସ ସମ୍ବେଦନଶୀଳ ହେବା ଉଚିତ । କୌଣସି ପ୍ରସଙ୍ଗରେ ସମାଲୋଚନା କରିବା ନାଗରିକଙ୍କର ସାମ୍ବିଧାନିକ ଅଧିକାର ।’’ ଆଜି କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ସମାଲୋଚନା କରିଥିବା ଜଣେ ବ୍ୟକ୍ତିଙ୍କ ଉପରେ ହୋଇଥିବା ଏକ ମାମଲାର ଶୁଣାଣି କରି ସର୍ବୋଚ୍ଚ କୋର୍ଟ ଏହି ଟିପ୍ପଣୀ ଦେଇଛନ୍ତି । କାର୍ଯ୍ୟାନୁଷ୍ଠାନ ନେଇ ସରକାର ଓ ପୋଲିସର କାର୍ଯ୍ୟାଶୈଳୀକୁ ମଧ୍ୟ କୋର୍ଟ ନାପସନ୍ଦ କରିଛନ୍ତି ।
ସୂଚନା ଅନୁସାରେ, ମହାରାଷ୍ଟ୍ରର କୋହ୍ଲାପୁର କଲେଜରେ କାର୍ଯ୍ୟରତ ଜଣେ କାଶ୍ମୀରୀ ପ୍ରଫେସର ଜାଭେଦ ଅହମ୍ମଦ ହାଜାମଙ୍କ ବିରୋଧରେ ଏହି ଅପରାଧିକ ମାମଲା ପଞ୍ଜିକୃତ ହୋଇଛି । ସେ ହ୍ବାଟ୍ସଆପରେ ଅଗଷ୍ଟ 5 ତାରିଖକୁ ଜାମ୍ମୁ କାଶ୍ମୀର ପାଇଁ କଳା ଦିନ ବୋଲି ଦର୍ଶାଇ ଷ୍ଟାଟସ ଦେଇଥିଲେ । ଏହା ସହିତ ସେ ଅଗଷ୍ଟ ୧୪ ତାରିଖରେ ସୋସିଆଲ ମିଡିଆରେ ପାକିସ୍ତାନ ସ୍ବାଧୀନତା ଦିବସରେ ଶୁଭେଚ୍ଛା ମଧ୍ୟ ଜଣାଇଥିବା ଅଭିଯୋଗ ହୋଇଥିଲା । ଉଭୟ ମାମଲା ଏବେ ସର୍ବୋଚ୍ଚ କୋର୍ଟରେ ପହଞ୍ଚିଛି ।