ରାଞ୍ଚି:ଝାଡଖଣ୍ଡରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଗିରଫଦାରୀ ପରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ରାଜନୈତିକ ଡ୍ରାମା କ୍ରମଶଃ ଜଟିଳ ହେବାରେ ଲାଗିଛି । ଗତକାଲି ଠାରୁ ଜେଏମଏମ ସରକାର ଗଠନ କରିବା ପାଇଁ ବାରମ୍ବାର ଦାବି କରିଆସୁଛି । ହେଲେ ଦାବିକୁ 24 ଘଣ୍ଟା ବିତିଥିବା ବେଳେ ରାଜ୍ୟପାଳ ଏହି ପ୍ରକ୍ରିୟାରେ ବିଳମ୍ବ କରୁଥିବା ଅଭିଯୋଗ ହୋଇଛି । ଫଳରେ ଘୋଡା ବେପାର ଭୟରେ ଜେଏମଏମ ଓ କଂଗ୍ରେସ ମେଣ୍ଟର ସମସ୍ତ 43 ବିଧାୟକ ଆଜି ରାଞ୍ଚିରେ ରହିଛନ୍ତି । ସମସ୍ତଙ୍କୁ ଏକ ଚାର୍ଟାର୍ଡ ଫ୍ଲାଇଟରେ ସମସ୍ତଙ୍କୁ ହାଇଦ୍ରାବାଦ ନିଆଯାଉଥିବା ସୂତ୍ରରୁ ସୂଚନା ରହିଥଇଲା । ତେବେ ବିମାନଟି ସ୍ୱଳ୍ପ ଦୃଶ୍ୟମାନ କାରଣରୁ ଉଡାଣ ଭରି ପାରିନାହିଁ ।
ଆଜି ଅପରାହ୍ନରେ ଜେଏମଏମ ନେତୃତ୍ବାଧୀନ ମେଣ୍ଟର ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିବା ଚମ୍ପାଇ ସୋରେନ ରାଜ୍ୟପାଳ ସି.ପି ରାଧାକ୍ରିଷ୍ଣନଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି କରିଥିଲେ । ହେଲେ ତାଙ୍କୁ ଶପଥପାଠ ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ଦିଆଯାଇନାହିଁ । ଖୁବଶିଘ୍ର ତାଙ୍କ ନିବେଦନ ଉପରେ ରାଜଭବନ ଚୂଡାନ୍ତ ନିଷ୍ପତ୍ତି ନେବ ବୋଲି ରାଜ୍ୟପାଳ କହିଥିଲେ । ସରକାର ଗଠନ କରିବା ପ୍ରକ୍ରିୟା ବିଳମ୍ବ ହେବା ସହ ରାଜ୍ୟରେ ଘୋଡା ବେପାର ଭୟ ମଧ୍ୟ ଜେଏମଏମକୁ ଘାରୁଛି । ଜେଏମଏମ-କଂଗ୍ରେସ ନେତୃତ୍ବାଧୀନ ମେଣ୍ଟର ସମସ୍ତ ବିଧାୟକଙ୍କୁ ସର୍କିଟ ହାଉସରେ ରଖାଯାଇଥିଲା । ସଂଧ୍ୟାରେ ସେମାନେ ବସ ଯୋଗେ ବିମାନ ବନ୍ଦରରେ ପହଞ୍ଚିଛନ୍ତି ।
ଜାତୀୟ ଗଣମାଧ୍ୟମରେ ପ୍ରସାରିତ ସୂଚନା ଅନୁସାରେ, ଜେଏମଏମ ନେତୃତ୍ବାଧୀନ ମେଣ୍ଟର ନେତା ନିର୍ବାଚିତ ହୋଇଥିବା ଚମ୍ପାଇ ତାଙ୍କ ନିକଟରେ ମୋଟ 43 ବିଧାୟକଙ୍କ ସମର୍ଥନ ଥିବା ପତ୍ର ରାଜ୍ୟପାଳଙ୍କ ନିକଟରେ ଦାଖଲ କରିଛନ୍ତି । ସମସ୍ତ ବିଧାୟକ ସର୍କିଟ ହାଉସରେ ଥିବା ମଧ୍ୟ ସେ ଦାବି କରିଥିଲେ । ହେଲେ ଆବଶ୍ୟକ ସଂଖ୍ୟା ଥାଇ ମଧ୍ୟ ରାଜ୍ୟପାଳ ସି.ପି ରାଧାକ୍ରିଷ୍ଣନ ନୂଆ ସରକାର ଗଠନ ପ୍ରକ୍ରିୟାରେ ବିଳମ୍ବ କରୁଥିବା ଜେଏମଏମ ବିଧାୟକମାନେ ଅଭିଯୋଗ କରିଛନ୍ତି ।