ନୂଆଦିଲ୍ଲୀ: ଦେଶରେ କାର୍ଯ୍ୟକାରୀ ହୋଇଛି ନାଗରିକତା ସଂଶୋଧନ ଅଧିନିୟମ (CAA) । ସିଏଏ ଲାଗୁର ଦିନକ ପରେ ନାଗରିକତା ଆବେଦନ ପାଇଁ ଲଞ୍ଚ ହେଲା ପୋର୍ଟାଲ । କେନ୍ଦ୍ର ସରକାର ଏହି ନୂତନ ପୋର୍ଟାଲ ଆରମ୍ଭ କରିଛନ୍ତି । ଭାରତର ନାଗରିକତା ପାଇବା ପାଇଁ indiancitizenshiponline.nic.inରେ ଆବେଦନ କରିପାରିବେ ଦେଶରେ ରହିଥିବା ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନର ଅଣ-ମୁସଲମାନ ଶରଣାର୍ଥୀ ।
ଏହା ମଧ୍ୟ ପଢନ୍ତୁ-ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ବଡ ଘୋଷଣା, ସାରା ଦେଶରେ ଲାଗୁ ହେଲା CAA
ପୋର୍ଟାଲ୍ ବ୍ୟତୀତ ମୋବାଇଲ୍ ଆପ୍ 'CAA-2019' ଲଞ୍ଚ କରିବେ କେନ୍ଦ୍ର ସରକାର । ଗୃହ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି, ''CAA-2019 ଅଧିନରେ ନାଗରିକତା (ସଂଶୋଧନ) ଅନିୟମ, 2024 କୁ ସୂଚିତ କରାଯାଇଛି । ଏକ ନୂତନ ପୋର୍ଟାଲ ଉନ୍ମୋଚିତ ହୋଇଛି, CAA-2019 ଅଧୀନରେ ଯୋଗ୍ୟ ବ୍ୟକ୍ତିମାନେ ଏହି ପୋର୍ଟାଲରେ indiancitizenshiponline.nic.in ରେ ନାଗରିକତ୍ୱ ପାଇଁ ଆବେଦନ କରିପାରିବେ ।
ଏହା ମଧ୍ୟ ପଢନ୍ତୁ-ନିର୍ବାଚନ ଆଚରଣ ବିଧି ଲାଗୁ ପୂର୍ବରୁ ଦେଶରେ କାର୍ଯ୍ୟକାରୀ ହେବ CAA !
ନାଗରିକତା (ସଂଶୋଧନ) ଅଧିନିୟମ- 2019 (CAA)କୁ ସୋମବାର କେନ୍ଦ୍ର ସରକାର ସାରା ଦେଶରେ ଲାଗୁ କରିଥାଆନ୍ତି । 2019 ଶେଷ ଭାଗରେ ଏହି ବିଲକୁ ସଂସଦରେ ପାରିତ କରାଯାଇଥିଲା । ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ପରେ କୋଭିଡ ସଂକ୍ରମଣ ଓ ଅନ୍ୟ କାରଣରୁ ଏହାର କାର୍ଯ୍ୟକାରିତା ବିଳମ୍ବ ହୋଇଥିବା ବେଳେ ଏବେ 4ବର୍ଷ ପରେ ସାଧାରଣ ନିର୍ବାଚନ ପୂର୍ବରୁ ଏହାକୁ ମୋଦି ସରକାର କାର୍ଯ୍ୟକାରୀ କରିଛନ୍ତି । ନାଗରିକତା (ସଂଶୋଧନ) ଅଧିନିୟମ- 2024 କୁହାଯାଉଥିବା ଏହି ନିୟମ ଗୁଡିକ CAA-2019ର ନିୟମ ଅନୁଯାୟୀ ମାପଦଣ୍ଡ ପୂରଣ କରୁଥିବା ଯୋଗ୍ୟ ବ୍ୟକ୍ତିଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବାରେ ସକ୍ଷମ ହେବ । ନାଗରିକତା ପାଇବା ପାଇଁ ଏହି ଆବେଦନ ଗୁଡ଼ିକ ସମ୍ପୂର୍ଣ୍ଣ ଅନଲାଇନ ମୋଡରେ ଦାଖଲ ହେବ । ଯେଉଁଥିପାଇଁ ଏକ ୱେବ-ପୋର୍ଟାଲ ଆଜି ଲଞ୍ଚ କରାଯାଇଛି ।
ଏହି ଧର୍ମର ଶରଣାର୍ଥୀ ପାଇବେ ଭାରତର ନାଗରିକତା:2014 ମସିହା ଡିସେମ୍ବର ପୂର୍ବରୁ 3 ପଡୋଶୀ ଦେଶରୁ ଧର୍ମୀୟ ଉତ୍ପୀଡନର ଶିକାର ହୋଇ ଭାରତ ଆସିଥିବା ଅଣ-ମୁସଲିମ ଶରଣାର୍ଥୀ ଏବେ ଭାରତୀୟ ନାଗରିକତା ପାଇବେ । ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଶରଣାର୍ଥୀ ଭାବେ ଆସିଥିବା ଅଣ-ମୁସଲମାନ ନାଗରିକଙ୍କୁ ଏହି ନିୟମ ଅଧୀନରେ ନାଗରିକତା ପ୍ରଦାନ କରାଯିବ । ହିନ୍ଦୁ, ଶିଖ୍, ଜୈନ, ବୌଦ୍ଧ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ନାଗରିକମାନେ ନାଗରିକତା ପାଇଁ ଆବେଦନ କରିପାରିବେ।