ହାଇଦ୍ରାବାଦ:ତେଲେଙ୍ଗାନାକୁ ମିଳିଲା ନୂଆ ରାଜ୍ୟପାଳ । ରାଜ୍ୟପାଳ ଭାବେ ଶପଥ ନେଲେ ସିପି ରାଧାକ୍ରିଷ୍ଣନ । ତେଲେଙ୍ଗାନାର ପୂର୍ବତନ ରାଜ୍ୟପାଳ ତାମିଲସାଇ ସୁନ୍ଦରାଜନଙ୍କ ଇସ୍ତଫା ପରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ସିପି ରାଧାକ୍ରିଷ୍ଣନଙ୍କୁ ଅତିରିକ୍ତ ଦାୟିତ୍ବ ଦେଇଛନ୍ତି । ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜି ନୂଆ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ ହାଇଦ୍ରାବାଦରେ ପହଞ୍ଚି ରାଜଭବନରେ ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି । ପ୍ରକାଶଥାଉକି, ସିପି ରାଧାକ୍ରିଷ୍ଣନ ବର୍ତ୍ତମାନ ଝାଡଖଣ୍ଡର ରାଜ୍ୟପାଳ ଭାବେ ଦାୟିତ୍ବ ତୁଲାଉଥିବା ବେଳେ, ସେ ତେଲେଙ୍ଗାନା ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ ।
ହାଇକୋର୍ଟର ପ୍ରଧାନ ବିଚାରପତି ଆଲୋକ ଆର୍ଦ୍ଦେ ସିପି ରାଧାକ୍ରିଷ୍ଣନଙ୍କ ଶପଥ ଗ୍ରହଣକୁ ପରିଚାଳନା କରିଥିଲେ । ଝାଡଖଣ୍ଡ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ, ତେଲେଙ୍ଗାନାର ଅତିରିକ୍ତ ରାଜ୍ୟପାଳ ଭାବେ ଦାୟିତ୍ବ ଦିଆଯିବା ସହିତ ପୁଡୁଚେରୀର ଉପରାଜ୍ୟପାଳ ଭାବେ ଦାୟିତ୍ବ ତୁଲାଇବେ । ତେବେ ସିପି ରାଧାକ୍ରିଷ୍ଣନଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡୀଙ୍କ ସମେତ ଅନେକ ମନ୍ତ୍ରୀ ଏବଂ ଜନ ପ୍ରତିନିଧୀ ଯୋଗ ଦେଇଥିଲେ ।
ପ୍ରକାଶଥାଉକି, ତାମିଲସାଇ ସୁନ୍ଦରାଜନ ଗତ 18 ତାରିଖରେ ଇସ୍ତଫା ଦେଇଥିଲେ । କିନ୍ତୁ ଏହା ପଛର କାରଣ ନେଇ ସ୍ପଷ୍ଟ କରିନଥିଲେ । ଏହାରି ଭିତରେ ସେ ଆଜି ବିଜେପିରେ ଯୋଗ ଦେଇଛନ୍ତି । ତେବେ ଆଜି ରାଧାକ୍ରିଷ୍ଣନ ଦାୟିତ୍ବ ନେବା ପରେ ଏକ୍ସରେ ପୋଷ୍ଟ କରି କହିଛନ୍ତି, "ତେଲେଙ୍ଗାନାର ରାଜ୍ୟପାଳ ଏବଂ ପୁଡୁଚେରୀର ଉପରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣ କରି ମୁଁ ନିଜକୁ ଗର୍ବ ଅନୁଭବ କରୁଛି । ମାତୃଭୂମିର ସେବା କରିବା ପାଇଁ ମେତେ ଅତିରିକ୍ତ ଦାୟିତ୍ବ ଦେଇଥିବାରୁ ମୁଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ହୃଦୟରୁ ଧନ୍ୟବାଦ ଜ୍ଞାପନ କରୁଛି ।"