ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଓ 400 ଆସନ ସହ କେନ୍ଦ୍ରରେ କ୍ରମାଗତ 3ୟ ଥର ପାଇଁ ସରକାର ଗଢିବାକୁ ଲକ୍ଷ୍ୟ ସହ ନିର୍ବାଚନ ଲଢିବାକୁ ଯାଉଥିବା ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଘୋଷଣା ଉପରେ ସମଗ୍ର ଦେଶର ନଜର ରହିଛି । ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ଗତକାଲି ଦଳ ପ୍ରଥମ ପର୍ଯ୍ୟାୟରେ 18 ରାଜ୍ୟର 195 ଆସନରେ ପ୍ରାର୍ଥୀ ଘୋଷଣା କରିଛି । ପ୍ରଧାନମନ୍ତ୍ରୀଙ୍କ ସହ 34 କେନ୍ଦ୍ରମନ୍ତ୍ରୀ ଏହି ପ୍ରଥମ ପର୍ୟ୍ୟାୟରେ ଟିକେଟ ପାଇଥିବା ବେଳେ 33 ସାଂସଦଙ୍କ ଟିକେଟ ମଧ୍ୟ କଟିଛି । ଏହି ବାଦ ପଡିଥିବା ସାଂସଦଙ୍କ ମଧ୍ୟରେ କିଛି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ଏକାଧିକ ଚର୍ଚ୍ଚିତ ସାଂସଦ ମଧ୍ୟ ରହିଛନ୍ତି । ବିଭିନ୍ନ କାରଣରୁ ଏମାନଙ୍କୁ ପରିବର୍ତ୍ତନ କରି ଦଳ ନୂଆ ଚେହେରାଙ୍କୁ ସୁଯୋଗ ଦେବାକୁ ସଠିକ ବିଚାର କରିଛି । ଏହି ତାଲିକାରେ କେନ୍ଦ୍ରମନ୍ତ୍ରୀ ମିନାକ୍ଷୀ ଲେଖୀ, ପ୍ରତିମା ଭୌମିକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ, ସାଂସଦ ପ୍ରଜ୍ଞା ସିଂ ଠାକୁର, ରମେଶ୍ୱର ତେଲି, ରମେଶ ବିଧୁରୀ, ଜନ ବାର୍ଲା ପ୍ରମୁଖ ରହିଛନ୍ତି ।
ଉତ୍ତର-ପୂର୍ବ ରାଜ୍ୟ ଆସାମରେ ଦଳ ମୋଟ 11 ପ୍ରାର୍ଥୀଙ୍କ ମଧ୍ୟରେ 6 ଜଣ ବର୍ତ୍ତମାନର ସାଂସଦଙ୍କୁ ଟିକେଟ ଦେଇଥିବା ବେଳେ ଅବଶିଷ୍ଟ 5 ଆସନରେ ନୂଆ ଚେହେରା ଦେଇଛି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ ଦିବୃଗଡ ସଂସଦୀୟ ଆସନରୁ ନିର୍ବାଚନ ଲଢିବେ । ଦିଲ୍ଲୀର 7ଆସନ ମଧ୍ୟରୁ 5ଟି ପ୍ରାର୍ଥୀ ଦେଇଛି ଦଳ । ଏଥିମଧ୍ୟରୁ 4 ଆସନରେ ନୂଆ ଚେହେରା ମୈଦାନକୁ ଓହ୍ଲାଇଛନ୍ତି । ଟିକେଟ କଟିଥିବା ସାଂସଦଙ୍କ ମଧ୍ୟରେ ବରିଷ୍ଠ ନେତା ହର୍ଷବର୍ଦ୍ଧନ ମଧ୍ୟ ରହିଛନ୍ତି । ନବାଗତ ଭାବେ ସୁଷମା ସ୍ବରାଜଙ୍କ ଝିଅ ବାଂସୁରୀ ସ୍ବରାଜ ନିର୍ବାଚନୀ ଏଣ୍ଟ୍ରି କରିଛନ୍ତି । ଦକ୍ଷିଣ-ଦିଲ୍ଲୀରୁ ସାଂସଦ ଥିବା ରମେଶ ବିଧୁରୀଙ୍କ ଟିକେଟ କଟିଛି । ଗତବର୍ଷ ସେପ୍ଟେମ୍ବରରେ ସଂସଦ ଅଧିବେଶନରେ ସାଂସଦ ବିଧୁରୀ ଅମରୋହା ସାଂସଦ ଡାନିଶ ଅଲ୍ଲୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଚର୍ଚ୍ଚା ଓ ବିବାଦକୁ ଆସିଥିଲେ ।
ସେହିପରି ମଧ୍ୟ ପ୍ରଦେଶରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଟିକେଟ ମିଳିଥିଲା ବେଳେ ବିବାଦୀୟ ସାଂସଦ ତଥା ଦଳର କଠୋର ହିନ୍ଦୁତ୍ବ ଚେହେରା ପ୍ରଜ୍ଞା ସିଂ ଠାକୁରଙ୍କ ଟିକେଟ କଟିଛି । ରାଜ୍ୟସଭାରୁ କେନ୍ଦ୍ରମନ୍ତ୍ରୀ ହୋଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରଜ୍ଞାଙ୍କ ଆସନରୁ ଲଢିବାକୁ ଯାଉଛନ୍ତି ।