ହାଇଦ୍ରାବାଦ:ଫେବୃଆରୀ 27ରେ ହେବାକୁ ଯାଉଥିବା ରାଜ୍ୟସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ 7 ରାଜ୍ୟ ପାଇଁ 14 ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ବିହାର, ଛତିଶଗଡ, ହରିୟାଣା, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗ ପାଇଁ ବିଜେପି ଏହି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଦଳର ଜାତୀୟ ମୁଖପାତ୍ର ସୁଧାଂଶୁ ତ୍ରିବେଦୀ ଓ ଆର୍ପିଏନ ସିଂଙ୍କୁ ଦଳ ଉତ୍ତର ପ୍ରଦେଶରୁ ପୁଣି ଥରେ ଉଚ୍ଚସଦନକୁ ମନୋନିତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛି । ସେହିପରି ହରିୟାଣାର ପୂର୍ବତନ ରାଜ୍ୟ ବିଜେପି ଅଧ୍ୟକ୍ଷ ସୁଭାଷ ବରାଳଙ୍କ ନାମ ମଧ୍ୟ ଚଳିତ ପର୍ଯ୍ୟାୟରେ ରହିଛି ।
15 ରାଜ୍ୟରୁ ମୋଟ 56 ଜଣ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ଏହି ଆସନ ଗୁଡିକ ପାଇଁ ଚଳିତ 27 ତାରିଖରେ ନିର୍ବାଚନ ହେବ । ଏହା ମଧ୍ୟରେ ଉତ୍ତର ପ୍ରଦେଶରୁ ସର୍ବାଧିକ 10 ଆସନରେ ନିର୍ବାଚନ ହେବାକୁ ଯାଉଛି । ଆଜି ବିଜେପି ଘୋଷଣା କରିଥିବା ସର୍ବାଧିକ 7 ପ୍ରାର୍ଥୀ ଉତ୍ତର ପ୍ରଦେଶରୁ ହିଁ ରହିଛନ୍ତି ।
ସେହିପରି ବିହାରରେ ମୋଟ 6 ଆସନରେ ନିର୍ବାଚନ ହେଉଛି । ବିଜେପି ଏବେ ଜେଡିୟୁ ସହ ଶାସକ ମେଣ୍ଟରେ ସହଯୋଗୀ ରହିଛି । ଭାରତୀୟ ଜନତା ପାର୍ଟି ଧର୍ମଶୀଳା ଗୁପ୍ତା ଓ ଭିମ ସିଂଙ୍କୁ ଟିକେଟ ଦେଇଛି । କିନ୍ତୁ ଦଳର ବରିଷ୍ଠ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ନାମ ତାଲିକାରୁ ବାଦ ପଡିଛି । ସେହିପରି ଛତିଶଗଡରେ କଂଗ୍ରେସ ଠାରୁ କ୍ଷମତା ଛଡାଇ ସରକାର ଗଠନ କରିଥିବା ବିଜେପି ରାଜା ଦେବେନ୍ଦ୍ର ପ୍ରତାପ ସିଂଙ୍କ ନାମ ଘୋଷଣା କରିଛି ।