ନୂଆଦିଲ୍ଲୀ: ଆଜି କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ବିଜେପି) ସାଧାରଣ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ମୋଟ 34 କେନ୍ଦ୍ରମନ୍ତ୍ରୀଙ୍କୁ ମିଶାଇ 195 ପ୍ରାର୍ଥୀଙ୍କ ତାଲିକା ଜାରି କରିଛି । ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କ ଆସନ ଅପରିବର୍ତ୍ତିତ ରହିଥିବା ବେଳେ ରାଜ୍ୟସଭା ଯାଇ ମନ୍ତ୍ରୀ ହୋଇଥିବା କିଛି ହେଭିଓ୍ବେଟଙ୍କୁ ଦଳ ଚଳିତଥର ଲୋକସଭା ନିର୍ବାଚନୀ ମୈଦାନକୁ ଓହ୍ଲାଇଛି । ଦଳର ମୁଖ୍ୟ ରଣନୀତିକାର କେନ୍ଦ୍ର ଗୃହମନ୍ତ୍ରୀ ଶାହ ଗତଥର ପରି ନିଜ ପାରମ୍ପରିକ ଆସନ ଗୁଜୁରାଟର ଗାନ୍ଧୀନଗରରୁ ଲଢିବେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରୁ ଲଢିବେ । ସେହିପରି ଆମେଠୀ ଆସନ ବଜାୟ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ଦଳର ଆଗଧାଡିର ମହିଳା ଚେହେରା ସ୍ମୃତି ଇରାନୀ ।
ନରେନ୍ଦ୍ର ମୋଦି:-
ପ୍ରଧାନମନ୍ତ୍ରୀ ଗୁଜୁରାଟ ମୁଖ୍ୟମନ୍ତ୍ରୀରୁ 2014 ରେ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଉତ୍ତର ପ୍ରଦେଶ ବାରାଣାସୀରୁ ପ୍ରଥମ ସାଧାରଣ ନିର୍ବାଚନ ଲଢିଥିଲେ । ପରେ ପୁଣିରେ 2019 ରେ ସେ ମଧ୍ୟ ଏହି ଆସନ ବଜାୟ ରଖିଥିଲେ । ଭୋଟ ବ୍ୟବଧାନ ଦେଖିଲେ 2014 ଠାରୁ 2019 ରେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ବଢିଥିଲା । ତେବେ ଦଳର ଭୋଟପୁଲର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତୃତୀୟ ଥର ଦେଶର ଅନ୍ୟ କୌଣସି ରାଜ୍ୟରୁ ନିର୍ବାଚନ ଲଢାଯିବା ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା । ହେଲେ ଆଜି ଘୋଷିତ ପ୍ରଥମ ତାଲିକାରେ ପ୍ରଧାନମନ୍ତ୍ରୀ ପୁଣି ଥରେ ବାରାଣାସୀରୁ କ୍ରମାଗତ ତୃତୀୟ ଥର ପାଇଁ ନିର୍ବାଚନ ଲଢିବାକୁ ଯାଉଥିବା ସ୍ପଷ୍ଟ ହୋଇଛି ।
ଅମିତ ଶାହ:-2014 ରେ ଶାହ ପ୍ରଥମ ଥର ଦଳର ପ୍ରତିଷ୍ଠିତ ଆସନ ତଥା ଦଳର ଭେଟେରାନ ନେତା ଲାଲକୃଷ୍ଣ ଆଡଭାନୀଙ୍କ ପାରମ୍ପରିକ ଆସନ ଗୁଜୁରାଟ ରାଜଧାନୀ ଗାନ୍ଧୀନଗରରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ପ୍ରଥମ ଥର ସାଂସଦ ହେବା ପରେ ଶାହ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଥିଲେ । ଏହା ପରେ ସେ 2019 ରେ ପୁନର୍ବାର ଏହି ଆସନରୁ ଜିତି କେନ୍ଦ୍ର ଗୃହମନ୍ତ୍ରୀ ହୋଇଥିଲେ । ଚଳିତଥର ଶାହ କ୍ରମାଗତ ତୃତୀୟ ଥର ପାଇଁ ଏହି ଆସନରୁ ପ୍ରତିଦ୍ବନ୍ଦ୍ବିତା କରିବାକୁ ଯାଉଛନ୍ତି ।
ରାଜନାଥ ସିଂ:ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉତ୍ତର ପ୍ରଦେଶର ଲକ୍ଷ୍ନୌରୁ ନିର୍ବାଚନ ଲଢିବେ । ସେ ପୂର୍ବରୁ ମଧ୍ୟ 2014 ଓ 2019 ସାଧାରଣ ନିର୍ବାଚନରେ ଏହି ଆସନରୁ ନିର୍ବାଚନ ଲଢିଥିଲେ । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ହେଉଛନ୍ତି ରାଜନାଥ । ମୋଦି ସରକାର ପ୍ରଥମ ପାଳିରେ ସେ ଗୃହମନ୍ତ୍ରୀ ଓ ଦ୍ବିତୀୟ ପାଳିରେ ପ୍ରତିରକ୍ଷା ମନ୍ତ୍ରୀ ହୋଇଛନ୍ତି ।
ସ୍ମୃତି ଇରାନୀ:- ଦଳର ଆଗଧାଡିର ମହିଳା ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ପୁଣି ଥରେ ଉତ୍ତର ପ୍ରଦେଶର ଚର୍ଚ୍ଚିତ ଆସନ ଆମେଠୀରୁ ନିର୍ବାଚନ ଲଢିବେ । ଗତଥର କଂଗ୍ରେସର ଷ୍ଟାରନେତା ରାହୁଲ ଗାନ୍ଧୀଙ୍କ ସହ ସ୍ମୃତିଙ୍କର କଡା ଟକ୍କର ଦେଖିବାକୁ ମିଳିଥିଲା । ରାହୁଲ ପ୍ରଥମ ଥର ନିଜ ରାଜନୈତିକ ଜୀବନରେ ପାରମ୍ପରିକ ଆସନରେ ସ୍ମୃତିଙ୍କ ଠାରୁ ପରାସ୍ତ ହୋଇଥିଲେ । ଏବେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନଥିବା ବେଳେ ଆମେଠୀରୁ ସ୍ମୃତିଙ୍କ ପ୍ରାର୍ଥୀତ୍ବ ସ୍ପଷ୍ଟ ହୋଇଛି ।
ଜ୍ୟୋତି ରାଦିତ୍ୟ ସିନ୍ଧିଆ:-କଂଗ୍ରେସ ଛାଡି ବିଜେପିରେ ସାମିଲ ହେବା ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହୋଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏଥର ନିଜ ଗୃହରାଜ୍ୟ ମଧ୍ୟ ପ୍ରଦେଶର ଗୁନା ଲୋକସଭା ଆସନରୁ ନିର୍ବାଚନ ଲଢିବେ ।