ନୂଆଦିଲ୍ଲୀ: ରାଜେନ୍ଦ୍ରନଗର କୋଚିଂ ସେଣ୍ଟର ଅଘଟଣରେ ତିନିଜଣ ସଭିଲ୍ ସର୍ଭିସ ଆଶାୟୀଙ୍କ ମୃତ୍ୟୁ ଘଟଣା ଦେଶରେ ଉଦବେଗ ସୃଷ୍ଟି କରିଥିଲା । ଦେଶରେ କୋଚିଂ ସେଣ୍ଟରର ଚିନ୍ତାଜନକ ସ୍ଥିତିକୁ ସାମ୍ନାକୁ ଆଣିଥିଲା ଏହି ଅଘଟଣ । ଏବେ ପର୍ଯ୍ୟନ୍ତ ମଧ୍ୟ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଛାତ୍ର ଆନ୍ଦୋଳନ ଜାରି ରହିଛି । ଏହାରି ମଧ୍ୟରେ ଆଜି କୋଚିଂ ସେଣ୍ଟର ସମ୍ପର୍କରେ ବଡ ଘୋଷଣା କରିଛନ୍ତି ଦିଲ୍ଲୀ ସରକାର । ଏଣିକି ଆଉ କୋଚିଂ ସେଣ୍ଟରର ମନମାନୀ ଚଳିବ ନାହିଁ । ଏଗୁଡିକୁ ଦିଲ୍ଲୀ ସରକାର ନିୟନ୍ତ୍ରଣ କରିବେ । ଏକ ରୋଗୁଲେସନ ଆକ୍ଟ ମଧ୍ୟ ଦିଲ୍ଲୀ ବିଧାନସଭାରେ ଆସିବ । କୋଚିଂ ସେଣ୍ଟର ପ୍ରତିଷ୍ଠା ଅନୁମତିଠାରୁ ନେଇ ଭିତ୍ତିଭୂମି ଓ ପରିଚାଳନା ଗତ ସମସ୍ତ ନିୟମ ମଧ୍ୟ ଏହି ରେଗୁଲେସନ ଆକ୍ଟରେ ରହିବ । ଏପରିକି ଫି’ ମଧ୍ୟ ମନଇଚ୍ଛା ନେଇପାରିବନି କୋଚିଂ ସେଣ୍ଟର । ସେଣ୍ଟରଗୁଡିକ ସରକାରୀ ନିର୍ଦ୍ଧାରିତ ଫି’ ନେବେ । ଆଜି ଦିଲ୍ଲୀ ମନ୍ତ୍ରୀ ଆତିଶୀ ଓ ମେୟର ସୈଲୀ ଓବରାଇ ମିଳିତ ପ୍ରେସମିଟରେ ଏହି ଘୋଷଣା କରିଛନ୍ତି ।
ଅଧିନିୟମ ସମ୍ପର୍କରେ ନିଆଯିବ ଲୋକଙ୍କ ମତାମତ :-
ଆଜି ମନ୍ତ୍ରୀ-ମେୟର ମିଳିତ ପ୍ରେସମିଟରେ ଆତିଶୀ କହିଛନ୍ତି,‘‘ଦିଲ୍ଲୀର କୋଚିଂ ପ୍ରତିଷ୍ଠାନଗୁଡ଼ିକୁ ବିଦ୍ୟାଳୟ ପରି ଆଇନ ଅନୁଯାୟୀ ପରିଚାଳନା କରାଯିବ । ଦିଲ୍ଲୀ ସରକାର ‘କୋଚିଂ ଇନଷ୍ଟିଚ୍ୟୁଟ୍ ରେଗୁଲେସନ୍ ଆକ୍ଟ’ ଆଣିବେ । ସମସ୍ତ କୋଚିଂ ସେଣ୍ଟର ପାଇଁ ଭିତ୍ତିଭୂମି, ଶିକ୍ଷକଙ୍କ ଯୋଗ୍ୟତା, ଫି ରାଶି ଧାର୍ଯ୍ୟ ଇତ୍ୟାଦି ନିୟମ ଅଣାଯିବ । ଏହି ନିୟମ କାର୍ଯ୍ୟକାରୀ ହେବା ପରେ ଏହା ପାଳନ କରାଯାଉଛି କି ନାହିଁ, ତା’ ପାଇଁ ନିୟମିତ ଯାଞ୍ଚ ବ୍ୟବସ୍ଥା ମଧ୍ୟ ହେବ । ଏହାର ତଦାରଖ ଓ ଉଲ୍ଲଂଘନ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଟିମ ରହିବ । ଏହି ଆଇନ (ଆକ୍ଟ) ପାଇଁ ଏକ କମିଟି ଗଠନ କରାଯିବ । ଏଥିରେ ଦିଲ୍ଲୀ ସରକାର, ଅଗ୍ନିଶମ, ମହାନଗର ନିଗମ (ଏମସିଡି) କାର୍ଯ୍ୟକର୍ତ୍ତା ଏବଂ ଛାତ୍ର ସଦସ୍ୟ ମଧ୍ୟ ରହିବେ । ଏହି ଅଧିନିୟମ ଉପରେ ସାଧାରଣ ଲୋକ ଓ ବୁଦ୍ଧିଜୀବୀଙ୍କ ମତ ମଧ୍ୟ ଗ୍ରହଣ କରିବ ଦିଲ୍ଲୀ ସରକାର । ଇମେଲ-ଆଇଡି Coaching.law.feedback@gmail.com ରେ ଲୋକମାନେ ସେମାନଙ୍କର ମତାମତ ଦେଇପାରିବେ । ବିଲ୍ ପ୍ରସ୍ତୁତ କରିବା ପୂର୍ବରୁ ସରକାର ଏହାକୁ ବିଚାର କରି ଆକ୍ଟର ରୂପରେଖ ପ୍ରସ୍ତୁତ କରିବେ ।’’