ବେଙ୍ଗାଲୁରୁ:କର୍ଣ୍ଣାଟକରେ ରାଜ୍ୟବାସୀଙ୍କ ଯାତାୟାତରେ ସୁବିଧା ପାଇଁ ରହିଛି 'ନମ୍ମୋ ମେଟ୍ରୋ' । ସମସ୍ତ ବର୍ଗର ଯାତ୍ରୀ ଏହି ମେଟ୍ରୋ ରେଳରେ ଯାତାୟାତ କରି ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚନ୍ତି । ହେଲେ ଜଣେ ଚାଷୀଙ୍କୁ ମେଟ୍ରୋ ଭିତରକୁ ପ୍ରବେଶ ନ କରାଇଦେବା ବେଙ୍ଗାଲୁରୁ ମେଟ୍ରୋ କର୍ମଚାରୀଙ୍କ ପାଇଁ ମହଙ୍ଗା ପଡ଼ିଛି । ଏହାପରେ ତାଙ୍କ ହାତରୁ ଯାଇଛି ଚାକିରି । ମେଟ୍ରୋ କର୍ମଚାରୀଙ୍କ ଦ୍ବାରା ଅପମାନିତ ହେବା ନେଇ ଚାଷୀଙ୍କ ଅଭିଯୋଗ କ୍ରମେ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବେଙ୍ଗାଲୁରୁ ମେଟ୍ରୋ କର୍ତ୍ତୃପକ୍ଷ ।
ମିଳିଥିବା ସୂଚନା ଅନୁସାରେ ସୋମବାର ରାଜାଜିନଗର ମେଟ୍ରୋ ଷ୍ଟେସନରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା ।ଚାଷୀ ଜଣକ ମଇଳା ବା ଅପରିଷ୍କାର ପୋଷାକ ପିନ୍ଧିଥିବାରୁ ସମ୍ପୃକ୍ତ ମେଟ୍ରୋ କର୍ମଚାରୀ ତାଙ୍କୁ ଯିବାକୁ ଅନୁମତି ଦେଇନଥିବା ଜଣାପଡ଼ିଛି । ମେଟ୍ରୋ କର୍ମଚାରୀ ଜଣକ ଚାଷୀଙ୍କୁ ମେଟ୍ରୋ ଭିତରକୁ ପ୍ରବେଶ କରାଇ ଦେଉନଥିବାର ଭିଡିଓକୁ ଅନ୍ୟ ଜଣେ ଯାତ୍ରୀ ନିଜ ମୋବାଇଲ ଫୋନରେ କଏଦ କରିନେଇଥିଲେ । ଏହାପରେ ସେ ଏହି ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ସଙ୍ଗେ ସଙ୍ଗେ ନେଟିଜେନ୍ସ ଏହି ଭିଡିଓରେ ପ୍ରତିକ୍ରିୟା ପ୍ରକାଶ କରିଥିବା ବେଳେ ବେଙ୍ଗାଲୁରୁ ମେଟ୍ରୋ ରେଲ କର୍ପୋରେସନ ଲିମିଟେଡ (BMRCL)କୁ ଟ୍ୟାଗ କରି 'ମେଟ୍ରୋରେ ଯାତ୍ରା କେବଳ କଣ ଭିଆଇପିଙ୍କ ପାଇଁ ' ବୋଲି ପ୍ରଶ୍ନ କରିଥିଲେ ।