ନୂଆଦିଲ୍ଲୀ:ଉତ୍ତର ପ୍ରଦେଶରେ କଂଗ୍ରେସ ଓ ସପା ମଧ୍ୟରେ ଆସନ ବୁଝାମଣା ଅଙ୍କ ଛିଡିବା ପରେ ଆଜି ଦିଲ୍ଲୀରେ ମଧ୍ୟ କଂଗ୍ରେସ ଓ ଆମ ଆଦମୀ ପାର୍ଟି ମଧ୍ୟରେ ଲୋକସଭା ନିର୍ବାଚନ ପାଇଁ ଆସନ ବୁଝାମଣା ଶେଷ ହୋଇଛି । ମୋଟ 7 ଆସନ ମଧ୍ୟରୁ ଆମ ଆଦମୀ ପାର୍ଟି 4 ଟି ଆସନରେ ଓ କଂଗ୍ରେସ 3ଟିରେ ନିର୍ବାଚନ ଲଢିବାକୁ ସହମତି ପ୍ରକାଶ ପାଇଛି । ହେଲେ ଉଭୟ ଦଳ ଏହି ଘୋଷଣା କରିନଥିବା ବେଳେ ସୂତ୍ରରୁ ଏହି ଡିଲ୍ ସମ୍ପର୍କରେ ଜଣାପଡିଛି ।
ଏହାରି ମଧ୍ୟରେ ଆପର ବରିଷ୍ଠ ନେତ୍ରୀ ତଥା କେଜ୍ରିଓ୍ବାଲଙ୍କ କ୍ୟାବିନେଟ ସହଯୋଗୀ ଅତିଶି ଆଜି ଭିନ୍ନ ଅଭିଯୋଗ ଆଣିଛନ୍ତି । କଂଗ୍ରେସ ସହ ମେଣ୍ଟ କରିବା ପରେ କେଜ୍ରିଓ୍ବାଲଙ୍କୁ ଭାରତୀୟ ଜନତା ପାର୍ଟି କେନ୍ଦ୍ରୀୟ ସଂସ୍ଥା ଲଗାଇ ଗିରଫ କରିବ । 3 ରୁ 4 ଦିନ ମଧ୍ୟରେ କେଜ୍ରିଓ୍ବାଲଙ୍କୁ ସିବିଆଇ ନୋଟିସ ଜାରି କରିବ ଓ ଜେରା କରିବା ଆଳରେ ଗିରଫ ମଧ୍ୟ କରିବାକୁ ଯୋଜନା ହୋଇସାରିଥିବା ଅତିଶି ଅଭିଯୋଗ କରିଛନ୍ତି ।
ଆଜି ଅତିଶି ଦଳୀୟ ମୁଖ୍ୟାଳୟରେ ପ୍ରେସମିଟ କରି ବିଜେପି ଉପରେ ବର୍ଷିଛନ୍ତି । କଂଗ୍ରେସ ସହ ମେଣ୍ଟରେ ରହିଲେ କେଜ୍ରିଓ୍ବାଲ ଗିରଫ ହେବେ । ଏପିରିକି ଏଥିପାଇଁ ଶନିବାର ଓ ରବିବାର ମଧ୍ୟରେ ସିବିଆଇ ସମନ ଜାରି ହେବ । ଏହା ପରେ ତାଙ୍କୁ କେନ୍ଦ୍ରୀୟ ସଂସ୍ଥା ଗିରଫ କରିବ । ଯଦି କେଜ୍ରିଓ୍ବାଲ ଇଣ୍ଡିଆ ମେଣ୍ଟରୁ ଦୂରରେ ରହନ୍ତି, ତେବେ ତାଙ୍କୁ ଜେଲ ଯିବାକୁ ପଡିବନାହିଁ ବୋଲି ପୂର୍ବରୁ ମଧ୍ୟ ମେସେଜ ମିଳିସାରିଛି ବୋଲି ଅତିଶି କହିଛନ୍ତି ।