ଓଡିଶା

odisha

ବାରମ୍ବାର ସମନ ସତ୍ତ୍ବେ EDକୁ ଧରାଛୁଆଁ ଦେଲେନି, ଏବେ କୋର୍ଟରୁ ଆସିଲା ଡକରା

By ETV Bharat Odisha Team

Published : Feb 7, 2024, 6:27 PM IST

Arvind Kejriwal Summoned By Delhi Court: ଇଡିକୁ ଧରା ଦେଲେନି, ଏବେ ହାଜର ହେବା ପାଇଁ ଡାକିଲେ କୋର୍ଟ । 17ର ହଜାର ହୋଇ ପକ୍ଷ ରଖିବେ କେଜ୍ରିଓ୍ବାଲ । ଅଧିକ ପଢନ୍ତୁ

ବଢିଲା କେଜ୍ରିଓ୍ବାଲଙ୍କ ଅଡୁଆ, ହଜାର ହେବା ପାଇଁ କୋର୍ଟରୁ ଆସିଲା ସମନ
ବଢିଲା କେଜ୍ରିଓ୍ବାଲଙ୍କ ଅଡୁଆ, ହଜାର ହେବା ପାଇଁ କୋର୍ଟରୁ ଆସିଲା ସମନ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର 5ଟି ସମନକୁ ଏଡାଇ ଯାଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଅଡୁଆ ବଢିଛି । ଏବେ ଏହି ମାମଲାରେ ହାଜର ହେବା ପାଇଁ କୋର୍ଟରୁ ଡାକରା ଆସିଛି । କେଉଁ କାରଣରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଜାରି କ୍ରମାଗତ 5 ସମନକୁ ଏଡାଇଲେ, ସେ ନେଇ ହାଜର ହୋଇ ପକ୍ଷ ରଖିବାକୁ କୋର୍ଟ କହିଛନ୍ତି । 17 ତାରିଖରେ କେଜ୍ରିଓ୍ବାଲ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ପକ୍ଷ ରଖିବେ । ଫେବୃଆରୀ 3 ତାରିଖରେ କେଜ୍ରିଓ୍ବାଲଙ୍କ ବିରୋଧରେ ରାଉଜ ଆଭିନ୍ୟୁ କୋର୍ଟରେ କେନ୍ଦ୍ରୀୟ ସଂସ୍ଥା ଏହି ମାମଲା ଦାଏର କରିଥିଲା ।

ତେବେ କୋର୍ଟଙ୍କ ଏହି ସମନକୁ ଆମ ଆଦମୀ ପାର୍ଟି ସ୍ବୀକାର କରିଛି । କେଜ୍ରିଓ୍ବାଲ ନିର୍ଦ୍ଧାରିତ ତାରିଖରେ କୋର୍ଟରେ ହାଜର ହେବେ । ତଦନ୍ତକାରୀ ସଂସ୍ଥା ତାଙ୍କୁ ବାରମ୍ବାର ଜାରି କରିବାରେ ଲାଗିଥିବା ସମନକୁ ବେଆଇନ ବୋଲି ସେ କୋର୍ଟରେ ତର୍କ ମଧ୍ୟ ରଖିବେ ବୋଲି ଦଳ କହିଛି । ଯଦି କେଜ୍ରିଓ୍ବାଲ 17ରେ ହାଜର ନହୁଅନ୍ତି, ତେବେ ଏହାକୁ ଅଦାଲତ ଅବମାନନା ଭାବେ ଗ୍ରହଣ କରାଯିବ ।

ଏହି ବହୁଚର୍ଚ୍ଚିତ ମାମଲାରେ ଏକାଧିକ ‘ଆପ’ ନେତା ଏବେ ଗିରଫ ହୋଇ ଜେଲରେ ଅଛନ୍ତି । ତେବେ ଏହି ମାମଲାରେ ନଭେମ୍ବର 2 ତାରିଖରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କୁ ପ୍ରଥମଥର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା ପାଇଁ ସମନ କରିଥିଲା । ତେବେ ସେ ହାଜର ନହେବା କାରଣରୁ ତାଙ୍କୁ କ୍ରମାଗତ ସମନ କରିଥିଲା ଇଡି । ତେବେ ତାଙ୍କୁ ଗତ ସପ୍ତାହରେ 5ମ ସମନରେ ହାଜର ହେବା ପାଇଁ କୁହାଯାଇଥିଲା । ସେ ଏହାକୁ ମଧ୍ୟ ଏଡାଇ ଯାଇଥିଲେ । ଏହା ପରେ ତଦନ୍ତକାରୀ ସଂସ୍ଥା କୋର୍ଟର ଦ୍ବାରସ୍ଥ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ:- 5ମ ସମନ ସତ୍ତ୍ୱେ ହାଜର ହେଲେନି କେଜ୍ରିଓ୍ବାଲ, କୋର୍ଟ ଗଲା ED

ମନିଲଣ୍ଡ୍ରିଂ ଆକ୍ଟ (PMLA)ର ଧାରା-63 (4)ରେ କେନ୍ଦ୍ରୀୟ ସଂସ୍ଥା ରାଉଜ ଆଭିନ୍ୟୁ କୋର୍ଟରେ ଏହି ମାମଲା ରୁଜୁ କରିଥିଲା । ବାରମ୍ବାର ସମନ କରିବା ପରେ କେଜ୍ରିଓ୍ବାଲ ଉଦ୍ଦେଶ୍ୟମୂଳକ ଭାବେ ତଦନ୍ତରେ ସହଯୋଗ କରୁନଥିବା ସଂସ୍ଥା ଆବେଦନରେ ଦର୍ଶାଇଥିଲା । ଅନ୍ୟପଟେ ମାମଲା କୋର୍ଟରେ ପହଞ୍ଚିବା ପରେ ମଧ୍ୟ କେଜ୍ରିଓ୍ବାଲ ନଇଁବେ ନାହିଁ ବୋଲି କହିଥିଲେ । ତାଙ୍କ ବିରୋଧରେ ବିଜେପି ସରକାର ଏ ସମସ୍ତ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଲାଗିଛି ବୋଲି ସେ ପ୍ରଥମରୁ ଅଭିଯୋଗ କରିଆସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details