ଶ୍ରୀନଗର:ସ୍ବାଧୀନତା ଦିବସର ଦିନକ ପୂର୍ବରୁ ଜମ୍ମୁ-କାଶ୍ମୀରରେ ପୁଣି ଆତଙ୍କବାଦୀ ହମ୍ଲା । ସୁରକ୍ଷାବାହିନୀର ସର୍ଚ୍ଚ ଅପରେସନ ବେଳେ ଆଖିବୁଜା ଗୁଳିମାଡ କଲେ ଆତଙ୍କବାଦୀ । ଡୋଡା ଜିଲ୍ଲାର ଏକ ଘଞ୍ଚ ଜଙ୍ଗଲରେ ସୁରକ୍ଷାବଳର ମିଳିତ ଅପରେସନ ସମୟରେ ଏହି ଆକ୍ରମଣ ହୋଇଛି । ଏଥିରେ ଜଣେ ସେନା ଅଧିକାରୀ ଶହୀଦ ହୋଇଯାଇଛନ୍ତି । ଶହୀଦ ୪୮ ରାଷ୍ଟ୍ରୀୟ ରାଇଫଲର କ୍ୟାପଟେନ ଦୀପକ ସିଂହ ଏବଂ ସେ ଏହି ଅପରେସନ ଲିଡ୍ କରୁଥିବା ଜଣାପଡିଛି । ଆତଙ୍କବାଦୀଙ୍କ ଗୁଳିମାଡରେ କ୍ୟାପଟେନ ଗୁରୁତର ଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସେହିପରି ସୁରକ୍ଷାକର୍ମୀଙ୍କ ପାଲଟା ଜବାବରେ ୪ ଆତଙ୍କବାଦୀ ନିହତ ହୋଇଥିବା କୁହାଯାଉଛି ।
ଆତଙ୍କବାଦୀ ହମ୍ଲାରେ କ୍ୟାପଟେନ ଶହୀଦ:
ସୂଚନା ଅନୁଯାୟୀ, ଡୋଡା ଜିଲ୍ଲାର ଶିବଗଡ-ଆସର ଅଞ୍ଚଳର ଘଞ୍ଚ ଜଙ୍ଗଲରେ ଆତଙ୍କବାଦୀମାନେ ଲୁଚି ରହିଥିବା ସୁରକ୍ଷାବାହିନୀକୁ ଖବର ମିଳିଥିଲା । ଏହାପରେ ମଙ୍ଗଳବାର ଦିନ ଭାରତୀୟ ସେନା ଓ ଜମ୍ମୁ-କାଶ୍ମୀର ପୋଲିସ ସେହି ଜଙ୍ଗଲରେ ମିଳିତ ଅପରେସନ ଚଳାଇଥିଲେ । ଏତିକି ବେଳେ ଆତଙ୍କବାଦୀମାନେ ସୁରକ୍ଷାବଳ ଉପରକୁ ଆଖିବୁଜା ଗୁଳିମାଡ କରିଥିଲେ । ସେନା ମଧ୍ୟ ଏହାର ପାଲଟା ଜବାବ ଦେଇଥିଲା । ଦୁଇ ପକ୍ଷର ଏହି ଗୁଳି ବିନିମୟରେ ଅପରନସକୁ ଲିଡ୍ କରୁଥିବା କ୍ୟାପଟେନ ଦୀପକ ସିଂହଙ୍କ ଦେହରେ ଗୁଳି ବାଜିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ କ୍ୟାପଟେନ ଆଖି ବୁଜିଛନ୍ତି ।