ନୂଆଦିଲ୍ଲୀ:ଗତକାଲି(ଗୁରୁବାର) 'ଉଦ୍ୟାନ ଉତ୍ସବ 2024' ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନ । ଚଳିତ ବର୍ଷ ମୁଖ୍ୟ ଆକର୍ଷଣ ରହିଛି 225 ବର୍ଷ ପୁରୁଣା ଶେଶମ୍ ଗଛ, ପୁଷ୍ପ ଘଣ୍ଟା, 85 ପ୍ରକାର ଫୁଲ ପ୍ରଜାତି ଏବଂ 'ସେଲଫି ପଏଣ୍ଟ' । ରାଷ୍ଟ୍ରପତିଙ୍କ ଡେପୁଟି ପ୍ରେସ ସଚିବ ନବିକା ଗୁପ୍ତା ସୂଚନା ଦେଇ କହିଛନ୍ତି, 'ରାଷ୍ଟ୍ରପତି ଭବନ ଦେଖିବା ପାଇଁ ବୁକିଂ ଆରମ୍ଭ ହୋଇସାରିଛି । ଅମୃତ ଉଦ୍ୟାନକୁ ଦେଖିବା ପାଇଁ 50,000ରୁ ଅଧିକ ଲୋକ ବୁକିଂ କରିଛନ୍ତି।
ଜନସାଧାରଣଙ୍କ ସୁବିଧା ପାଇଁ କେନ୍ଦ୍ରୀୟ ସଚିବାଳୟ ମେଟ୍ରୋ ଷ୍ଟେସନରୁ ମାଗଣା ବସ୍ ସେବା ଯୋଗାଇ ଦିଆଯାଉଛି । ପ୍ରଥମ ଥର ପାଇଁ ଅମୃତ ଉଦ୍ୟାନରେ ତୁଳସୀ ଗଛର ଏକ ବଗିଚା ମଧ୍ୟ କରାଯାଇଛି । ପର୍ଯ୍ୟଟକମାନେ 'ଡବଲ୍ ଡେଲିଟ୍', 'ସେଣ୍ଟିମେଣ୍ଟାଲ୍' ଏବଂ 'କୃଷ୍ଣ' ନାମକ ଗୋଲାପର ସ୍ୱତନ୍ତ୍ର କିସମ ମଧ୍ୟ ଦେଖିବାକୁ ପାଇବେ । ଉଦ୍ୟାନରେ 'ଅମୃତ ଉଦ୍ୟାନ ଲୋଗୋ' ରହିଛି ଯାହା ସେଲଫି ପଏଣ୍ଟ ଭାବରେ କାର୍ଯ୍ୟ କରିବ।
ଏହା ମଧ୍ୟ ପଢନ୍ତୁ-ବଦଳିଲା ରାଷ୍ଟ୍ରପତି ଭବନ ମୋଗଲ ଗାର୍ଡେନର ନାମ, ହେଲା ଅମୃତ ଉଦ୍ୟାନ
ଏହା ବ୍ୟତୀତ 200 ବର୍ଷରୁ ଅଧିକ ପୁରୁଣା ପିଲଖନ ଗଛ ନିକଟରେ ଏକ ପୁଷ୍ପ ଘଣ୍ଟା ଏବଂ ସ୍ଟୁଡେଣ୍ଟ ଆକ୍ଟିଭିଟି ଏରିଆ ପ୍ରମୁଖ ଆକର୍ଷଣ ରହିଛି । ପର୍ଯ୍ୟଟକଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇବା ପାଇଁ ଏକ ଫୁଟ କୋର୍ଟ ମଧ୍ୟ କରାଯାଇଛି । ଅମୃତ ଉଦ୍ୟାନ ଆଜି ଠାରୁ ମାର୍ଚ୍ଚ 31 ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ଖୋଲା ରହିବ । ସକାଳ 10 ଟାରୁ 5ଟା ପର୍ଯ୍ୟନ୍ତ ପର୍ଯ୍ୟଟକ ମାନେ ଉଦ୍ୟାନକୁ ଉପଭୋଗ କରିପାରିବେ । ଅପରାହ୍ନ 4 ଟା ପରେ ପର୍ଯ୍ୟଟକମାନଙ୍କୁ ଉଦ୍ୟାନ ମଧ୍ୟକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ । ଉତ୍ତର ଆଭେନ୍ୟୁ ରୋଡ୍ ନିକଟରେ ଥିବା ରାଷ୍ଟ୍ରପତି ଭବନର ଗେଟ୍ ନମ୍ବର 35 ରୁ ପର୍ଯ୍ୟଟକ ମାନେ ଉଦ୍ୟାନରେ ପ୍ରବେଶ କରିପାରିବେ ।
ଅମୃତ ଉଦ୍ୟାନ ସପ୍ତାହରେ ଛଅ ଦିନ ଖୋଲା ରହିବେ । ରକ୍ଷଣାବେକ୍ଷଣ ପାଇଁ ସୋମବାର ବନ୍ଦ ରହିବ । ଯଦି କେହି ଅମୃତ ଉଦ୍ୟାନ ବୁଲିବାକୁ ଚାହୁଁଛନ୍ତି ତେବେ ରାଷ୍ଟ୍ରପତି ଭବନ ଓ୍ବେବସାଇଟକୁ ଯାଇ ବୁକ କରିପାରିବେ । ଗେଟ୍ ନମ୍ବର 35 ନିକଟରେ ଏକ ବୁଥ୍ ମଧ୍ୟ ରହିବ, ଯାହା ଦ୍ବାରା ପାର୍କରେ ପ୍ରବେଶ କରିବା ପାଇଁ ଆବଶ୍ୟକ ପାସ୍ ମିଳିପାରିବ ।