ପାଟନା:ବିହାର ବେଗୁସରାଇରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ହେଲିକପ୍ଟର ଉଡାଣ ଭରିବା ବେଳେ ନିୟନ୍ତ୍ରଣ ହରଇବା ପରି ସ୍ଥିତି ସୃଷ୍ଟି ହୋଇଛି । ବେଗୁସରାଇରେ ନିର୍ବାଚନୀ କାର୍ଯ୍ୟକ୍ରମ ଶେଷ କରିବା ପରେ ହେଲିକପ୍ଟରରେ ଅମିତ ଶାହ ପରବର୍ତ୍ତୀ ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରିଥିଲେ । ଟେକ-ଅଫ କରିବା ସମୟରେ ଏହିପରି ସ୍ଥିତି ସୃଷ୍ଟି ହୋଇଥିଲା । ମାତ୍ର ଏହା ଯାନ୍ତ୍ରିକ ତ୍ରୁଟି କିମ୍ବା ଉଡାଣେ ବେଳେ ସେପରି ଅବସ୍ଥା ସ୍ବାଭାବିକ ଭାବେ ଦେଖିବାକୁ ମିଳେ, ତାହା ସ୍ପଷ୍ଟ ହୋଇନି । କିଛି ଗଣମାଧ୍ୟରେ ହେଲିକପ୍ଟରଟି ନିୟନ୍ତ୍ରଣ ହରାଇଥିବା ଖବର ପ୍ରସାରିତ ହୋଇଥିଲା । ଏହାକୁ ସରକାରୀ ସୂତ୍ରରୁ ଖଣ୍ଡନ କରାଯାଇଛି । ସେପରି କିଛି ଉଡାଣ ସମ୍ପର୍କିତ ସମସ୍ୟା ହୋଇନଥିବା ଓ ଶାହ ସମ୍ପୂର୍ଣ୍ଣ ଠିକ ଥିବା ମଧ୍ୟ ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇଛି ।
ଗତକାଲି ଶାହଙ୍କ ହେଲିକପ୍ଟର ବେଗୁସରାଇରୁ ଉଡାଣ ଭରିଥିଲା । ହେଲେ ଟେକ-ଅଫ କରିବା ପରେ ହେଲିକପ୍ଟରଟି କିଛି ଦୂର ପର୍ଯ୍ୟନ୍ତ ସମାନ୍ତରଳ ଭାବେ ଗତି କରିଥିଲା । ଏହା ପରେ ପୁଣି ଦିଗ ପରିବର୍ତ୍ତନ କରି ଉଡିଥିଲା । ମାତ୍ର କିଛି ସେକେଣ୍ଡ ପର୍ଯ୍ୟନ୍ତ ଏହି ସ୍ଥିତି ଦେଖାଯାଇଥିଲା । ହେଲେ ହେଲିକପ୍ଟରଟି ପୁଣିଥରେ ଅବତରଣ ନକରି ସୁରକ୍ଷିତ ଭାବେ ଉଡାଣ ଭରିଥିଲା । ଏହାର ଭିଡିଓ ଗତକାଲି ଠାରୁ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।