ନୂଆଦିଲ୍ଲୀ:କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି (ଗୁରୁବାର) ସଂସଦରେ ଅନ୍ତରୀଣ ବଜେଟ ବା କାମଚଳା ବଜେଟ ଉପସ୍ଥାପନ କରିଛନ୍ତି । ଏହା ମୋଦି ସରକାରଙ୍କ ଦ୍ବିତୀୟ ପାଳିର ଶେଷ ବଜେଟ । ଯେଉଁଥିରେ ରେଲୱେକୁ ମିଳିଛି ବଡ଼ ଉପହାର । ଲୋକସଭାରେ ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ କରି କହିଛନ୍ତି ଯେ ଆଗାମୀ ଆର୍ଥିକ ବର୍ଷରେ ପିଏମ ଗତିଶକ୍ତି ଯୋଜନା ଅଧୀନରେ 3ଟି ନୂଆ ରେଲୱେ ଇକୋନୋମିକ କରିଡର ନିର୍ମାଣ କରାଯିବ । ଏହାସହିତ 40 ହଜାର ସାଧାରଣ ବଗିକୁ ବନ୍ଦେ ଭାରତ ବଗିରେ ପରିଣତ କରାଯିବ । ଫୋକସରେ ରହିବ ପାସେଞ୍ଜର ଟ୍ରେନ ଅପରେସନରେ ସୁଧାର ଓ ସୁରକ୍ଷିତ ଯାତ୍ରା ।
ଗତବର୍ଷ ରେଲୱେ ବଜେଟ:- ମୋଦି ସରକାର ଗତ ବର୍ଷ ରେଲୱେକୁ ଅଧିକ ଗୁରୁତ୍ବ ଦେଇଥିଲେ । ଗତବର୍ଷ 2023ରେ ମୋଟ 45 ଲକ୍ଷ କୋଟି ବଜେଟ ଉପସ୍ଥାପନ ହୋଇଥିଲା । ଯେଉଁଥିରେ ରେଲୱେକୁ ମିଳିଥିଲା 2.4 ଲକ୍ଷ କୋଟି । ମୋଦି ସରକାରଙ୍କ କାର୍ଯ୍ୟକାଳରେ ରେଲୱେ ଆବଣ୍ଟନ ଲଗାତର ଭାବେ ବୃଦ୍ଧି ପାଇଛି । 5ବର୍ଷ ପୂର୍ବେ ଅର୍ଥାତ 2019ରେ ରେଲୱେକୁ 69,967 କୋଟି ଆବଣ୍ଟନ ହୋଇଥିଲା । ଏହାପରେ 2020ରେ ରେଲୱେକୁ 70,250 କୋଟି ଆବଣ୍ଟନ କରାଯାଇଥିବା ବେଳେ 2021ରେ ପ୍ରଥମ ଥର ଲାଗି ରେଲୱେ ବଜେଟ 1 ଲକ୍ଷ କୋଟି ପାର କରିଥିଲା । 2023ରେ ରେଲୱେ ବଜେଟ 2 ଲକ୍ଷ କୋଟି ପାର କରିଥିଲା ।
ଏହା ବି ପଢନ୍ତୁ- ଆଜି କେନ୍ଦ୍ର ବଜେଟ; ମହିଳାଙ୍କ ବିକାଶ, ଭିତ୍ତିଭୂମିକୁ ଫୋକସ୍, କୃଷିକୁ ମିଳିପାରେ ପ୍ରାଧାନ୍ୟ