ସିମଲା:ହିମାଚଳ ପ୍ରଦେଶ ବଦ୍ଦିର ଝାଡ଼ମାଜରୀରେ ପରଫ୍ୟୁମ ଓ କସମେଟିକ ନିର୍ମାଣକାରୀ ଏନଆର ଆରୋମା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟଣା । ରେସ୍କ୍ୟୁ ଅପରେସନକୁ ଆଜି ପୂରିଛି ତୃତୀୟ ଦିନ । ଏବେ ସୁଦ୍ଧା ଫ୍ୟାକ୍ଟ୍ରି ଭିତରେ ଲାଗିଥିବା ନିଆଁ ଲିଭି ନାହିଁ ବୋଲି ସୂଚନା ମିଳିଛି । ବିଲ୍ଡିଂଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଛି କିନ୍ତୁ ଏନଡିଆରଏଫ ଓ ଏସଡିଆରଏଫର କର୍ମଚାରୀମାନେ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏବେ ସୁଦ୍ଧା ଆହୁରି ୪ ଜଣ ଲୋକଙ୍କ ସନ୍ଧାନ ଜାରି ରହିଛି ।
ସୂଚନାଯୋଗ୍ୟ ଯେ ଏଯାଏଁ ଏହି ଭୀଷଣ ଅଗ୍ନିକାଣ୍ଡରେ ମୋଟ ୫ ଜଣ ଲୋକଙ୍କ ମୃତ୍ୟୁ ହୋଇସାରିଛି । ସେହିପରି ୩୦ ଜଣ ଲୋକଙ୍କୁ ପ୍ରଶାସନ ଉଦ୍ଧାର କରିସାରିଛି । ସେମାନଙ୍କ ମଧ୍ୟରେ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ଓ ବାକି ୨୯ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି । ଗତକାଲି (ଶନିବାର) ଏନଡିଆରଏଫର ଯବାନମାନେ ଫ୍ୟାକ୍ଟ୍ରିରୁ 4 ମୃତଦେହକୁ ଉଦ୍ଧାର କରିଥିଲେ । ଫ୍ୟାକ୍ଟ୍ରି ମଧ୍ୟରେ କେମିକାଲ ଓ ଅନ୍ୟାନ୍ୟ ଅଗ୍ନି ଧରୁଥିବା ସାମଗ୍ରୀ ରହିଥିବାରୁ ଫ୍ୟାକ୍ଟ୍ରିରେ ଏଯାବତ୍ କଳାଧୂଆଁ ବାହାରିବା ସହ ନିଆଁ ଲିଭି ନାହିଁ ।
ସେହିପରି ଘଟଣାସ୍ଥଳରେ ଉପସ୍ଥିତ ଥିବା ଫରେନ୍ସିକ ବିଭାଗର ଡାଇରେକ୍ଟର ଡା. ମୀନାକ୍ଷୀ କହିଛନ୍ତି ଯେ " ବର୍ତ୍ତମାନ ଏନଡିଆରଏଫ ଯବାନଙ୍କ ଦ୍ୱାରା ଫ୍ୟାକ୍ଟ୍ରି ମଧ୍ୟକୁ ଯିବା ପାଇଁ ମନା କରାଯାଇଛି । ଯେଉଁ କାରଣରୁ ତାଙ୍କୁ କେବଳ ବାହାରେ ଯାଞ୍ଚ କରିବାକୁ ଅନୁମତି ମିଳିଛି । ଫଟୋ ଏବଂ ଭିଡିଓଗ୍ରାଫି ଜରିଆରେ ପ୍ରମାଣକୁ ଏକାଠି କରାଯାଉଛି ଏବଂ ଅଗ୍ନିକାଣ୍ଡର କାରଣ ଓ ଉତ୍ପତ୍ତି ବିଷୟରେ ଯାଞ୍ଚ ଚାଲିଛି । " ଡ. ମୀନାକ୍ଷୀ କହିଛନ୍ତି ଯେ " ଫ୍ୟାକ୍ଟ୍ରିରୁ ମିଳିଥିବା ୪ଟି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଏହାକୁ ନେଇ ମଧ୍ୟ ରିପୋର୍ଟ ପ୍ରସ୍ତୁତ ହେବ । ସ୍ୟାମ୍ପଲ ନେବାର 1ରୁ ଦେଢ ମାସ ପରେ ଏହି ଘଟଣାର ସମ୍ପୂର୍ଣ୍ଣ ଫଳାଫଳ ପ୍ରକାଶ କରାଯିବ । ଫ୍ୟାକ୍ଟ୍ରିରେ କେମିକାଲ ସେଫ୍ଟିକୁ ନେଇ ସାବଧାନତା ଅବଲମ୍ବନ କରାଯାଇଥିଲା କି ନାହିଁ ତାହାର ମଧ୍ୟ ଯାଞ୍ଚ ହେବ । "