ପାଟନା (ବିହାର):ବିନା ୟୁପିଏସସି (UPSC) ପରୀକ୍ଷା ଆଇପିଏସ (IPS) ହେବା ଅସମ୍ଭବ । ଏଥିପାଇଁ କଠିନ ପରିଶ୍ରମ କରିବାକୁ ପଡିଥାଏ । କିନ୍ତୁ ଆମେ ଆପଣଙ୍କୁ ଏମିତି ଜଣେ ଯୁବକଙ୍କ ବିଷୟରେ କହିବୁ ଯିଏ କି ବିନା ପାଠପଢା ଓ ୟୁପିଏସିରେ ମାତ୍ର 18 ବର୍ଷ ବୟସରେ ଆଇପିଏସ ବନିଗଲେ । କିନ୍ତୁ ପର ମୁହୂର୍ତ୍ତରେ ତାଙ୍କୁ ଜେଲ ଯିବାକୁ ପଡିଲା । ସେହି ଯୁବକ ଜଣଙ୍କ କିଏ ଓ କିପରି ଆଇପିଏସ ବନିଲେ ଓ କେଉଁଠି ତାଙ୍କର ଘର, ଆସନ୍ତୁ ଜାଣିବା ପୂରା ଖବର ।
2 ଲକ୍ଷ ଦେଇ IPS:
ବିହାର ଲଖିସରାଇ ଗୋବର୍ଦ୍ଧନ ବିଘା ଗ୍ରାମର ବାସିନ୍ଦା ମିଥିଳେଶ କୁମାର । ବୟସ 18 ବର୍ଷ । ବର୍ତ୍ତମାନ ସେ ଖବରର ସିରୋନାମାରେ ରହିଛନ୍ତି । ପାଠ ପଢିଛନ୍ତି ଦଶମ, କିନ୍ତୁ ବନିଗଲେ ଆଇପିଏସ(IPS) । ଏଥିପାଇଁ ତାଙ୍କୁ ୟୁପିଏସି(UPSC) ପରୀକ୍ଷା ଦେବାକୁ ମଧ୍ୟ ପଡିନଥିଲା । ଦଲାଲକୁ 2 ଲକ୍ଷ ଟଙ୍କା ଦେଇ ସେ ବନିଯାଇଥିଲେ ଟ୍ରେନି ଆଇପିଏସ । ସେ ପିନ୍ଧିଥିବା ପୋଲିସ ବର୍ଦ୍ଦିରେ ଥିଲା ଆଇପିଏସ ବ୍ୟାଚ ଓ ୩ଟି ଷ୍ଟାର । ହାତରେ ବନ୍ଧୁକ ଓ ମୁଣ୍ଡରେ ପୋଲିସ କ୍ୟାପ ଲଗାଇ ନିଜକୁ ବହୁତ ପାଓ୍ବାର ଫୁଲ ବୋଲି ଭାବୁଥିଲେ । କିନ୍ତୁ ଏହି ଖୁସି ବେଶୀ ସମୟ ରହିନଥିଲା । ସେ ଜଣେ ନକଲି ଆଇପିଏସ ବୋଲି ପୋଲିସ ଜାଣିବା ପରେ ତାକୁ ଗିରଫ କରାଯାଇଛି ।
ଟଙ୍କା ନେଇ ଫସାଇ ଦେଲା ଦଲାଲ:
ଗିରଫ ହେବା ପରେ ଯୁବକ ମିଥିଳେଶ ପୋଲିସକୁ କହିଥିଲେ, '' ମନୋଜ ସିଂଙ୍କ ନାମକ ଜଣେ ବ୍ୟକ୍ତି ମୋତେ ଆଇପିଏସ ବନେଇ ଦେବାକୁ କହିଥିଲେ । ତେଣୁ ପୋଲିସ ୟୁନିଫର୍ମ ପାଇଁ ସେ ମୋଠାରୁ 2 ଲକ୍ଷ ଟଙ୍କା ନେଇଥିଲେ । ମୋତେ ଏକ ପିସ୍ତଲ ମଧ୍ୟ ମିଳିଥିଲା, କିନ୍ତୁ ଏଥିପାଇଁ 30 ହଜାର ଟଙ୍କା ମୁଁ ଦେଇନାହିଁ । ଖୁବଶୀଘ୍ର ମୋର ଡ୍ୟୁଟି ଆରମ୍ଭ ହୋଇଯିବ ବୋଲି ମନୋଜ ମୋତେ କହିଥିଲେ । ମୋତେ ସମସ୍ତେ ଯେମିତି ଆଇପିଏସ ଭାବେ ଗ୍ରହଣ କରିବେ ସେଥିପାଇଁ ଏକ ଦାମୀ ବାଇକ ରଖିଥିଲି । ଯେଉଁଥିରେ ବିହାର ପୋଲିସର ଲୋଗୋ ଲଗାଇଥିଲି । ''