ରଥଖଳା ହାଲଚାଲ: ତିନିରଥର ଢମକ ଚଉପଟ କାର୍ଯ୍ୟ ଜାରି

By

Published : Jun 6, 2022, 5:36 PM IST

thumbnail

ପୁରୀ: ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ହାତରେ ଆଉ ଦିନ କେଇଟା ବାକି ରହିଲା । ରଥଖଳାରେ ଚକ-ଅଖ ଡେରା କାର୍ଯ୍ୟ ସମ୍ପନ୍ନ ହୋଇ ସାରିଥିବା ବେଳେ ଅନ୍ୟାନ୍ୟ କାର୍ଯ୍ୟ ଜାରି ରହିଛି । ତିନି ରଥର ପାଞ୍ଚଦଣ୍ଡା ଓ ପାର୍ଶ୍ଵଦଣ୍ଡାରେ ଗୁଜ, ଜଳଯନ୍ତ୍ର, ମୁହାଁଟ ଓ କୁଡ଼ୁକା ଲାଗି ହୋଇଛି । ତିନିରଥର ଗରଗରା ଚଉପଟ ସରିବା ପରେ ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ତିନିରଥର ଗୋଟିଏ ଲେଖାଏଁ ଚାର ପରିଛା ଚଉପଟ ଶେଷ ହୋଇ ରୂପକାର ସେବକଙ୍କୁ ଯୋଗାଇ ଦିଆଯାଇଛି । ରୂପକାର ସେବକ ସେଥିରେ ଡାଳି, ଲତା, ଓ ପଦ୍ମ ପାଖୁଡ଼ା ଖୋଦେଇ କରିବେ । ତିନିରଥର ଦୁଇଟି ଲେଖାଏଁ ଢମକ ଚଉପଟ କାର୍ଯ୍ୟ ଜାରି ରହିଛି। ଦେବଦଳନ ରଥର ପୋଲ ଗୟଳ ଚିରଟ କାର୍ଯ୍ୟ କରତି ସେବକମାନେ ଜାରି ରଖିଛନ୍ତି । ନନ୍ଦିଘୋଷ ରଥର ପୋଲ ଗୟଳ ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତାଳଧ୍ଵଜ ରଥର ପୋଲ ଗୟଳ ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି। ଗତକାଲି ତାଳଧ୍ଵଜ ରଥର ପାଞ୍ଚ ଦଣ୍ଡା ଓ ପାର୍ଶ୍ଵ ଦଣ୍ଡାରେ ଗୁଜ, ଜଳଯନ୍ତ୍ର, ମୁହାଁଟ ଓ କୁଡ଼ୁକା ଲାଗିଥିଲା । ଆଜି ସେଗୁଡ଼ିକର ନମ୍ବରିଂ ହୋଇ ଖୋଲାଯାଇଛି। ତାଳଧ୍ଵଜ ରଥର ଅବଶିଷ୍ଟ ଚକ-ଅଖଗୁଡ଼ିକ ଅଖସହ ସଂଯୋଗ ହୋଇ ଡେରାକାର୍ଯ୍ୟ ସମ୍ପନ୍ନ ହୋଇଛି । ତାଳଧ୍ଵଜ ରଥର ଦୁଇଗୋଟି ଗରଗରା ଚଉପଟ ପରେ ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ଦୁଇଗୋଟି ଢମକ ଚଉପଟ କାର୍ଯ୍ୟ ଜାରି ରହିଥିବା ବଳେ ଗୋଟିଏ ଚାର ପରିଛା ଚଉପଟ ଶେଷ ହୋଇଛି । ରୂପକାର ସେବକଙ୍କୁ ଏହା ଯୋଗାଇ ଦିଆଯାଇଛି। ସେଥିରେ ରୂପକାର ସେବକ ଡାଳି, ଲତା, ପଦ୍ମପାଖୁଡ଼ା ଖୋଦେଇ କାର୍ଯ୍ୟ କରିବେ। ତାଳଧ୍ଵଜ ରଥର ପୋଲ ଗୟଳ ଚଉପଟ କାର୍ଯ୍ୟ ମହାରଣା ସେବକମାନେ ଜାରି ରଖିଛନ୍ତି। ଦେବଦଳନ ରଥ ପାଞ୍ଚ ଦଣ୍ଡା ଓ ପାର୍ଶ୍ଵ ଦଣ୍ଡାରେ ଲାଗିଥିବା ଅଂଶଗୁଡ଼ିକ ନମ୍ବରିଂ ପରେ ଖୋଲାଯାଇଛି । ଦେବଦଳନ ରଥର ଦୁଇଟି ଗରଗରା ଚଉପଟ ପରେ ବିନ୍ଧ କାର୍ଯ୍ୟ ଶେଷ ହୋଇଛି।ଦୁଇଗୋଟି ଢମକର ଚଉପଟ କାର୍ଯ୍ୟ ଚାଲିବା ସହ ଗୋଟିଏ ଚାର ପରିଛାର ଚଉପଟ କାର୍ଯ୍ୟ ଶେଷ ହୋଇଛି। ଦେବଦଳନ ରଥର ପୋଲ ଗୟଳ ଚିରଣ କାର୍ଯ୍ୟ କରତି ସେବକମାନେ ଆରମ୍ଭ କରିଛନ୍ତି । ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.