ରଥଖଳା ହାଲଚାଲ: ୩ ରଥର ତାଗବାଡ଼ିଆ ଶେଷ, ଭୂଇଁ ପାଖୁଡ଼ାରେ ଲାଗିଲା ନାହାକା - ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା
🎬 Watch Now: Feature Video
ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ଚଳଚଞ୍ଚଳ ରଥଖଳା । ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ନିର୍ମାଣାଧୀନ ୩ ରଥର ତାଗବାଡ଼ିଆ ଶେଷ ହୋଇଛି । ବେଦୀ ପଛପଟେ ପଟା ବାଡ଼ିଆଯାଇଛି । ଭୂଇଁ ପାଖୁଡ଼ାରେ ନାହାକା ଲଗାଯାଇଛି । କଇଁଚି ସହ ଦୁଇ ଖମ୍ବି ଏବଂ ପାଖୁଡ଼ାଗୁଡ଼ିକୁ ସଂଯୋଗ କରାଯାଇଛି । ତିନିରଥ ପାଇଁ ୧୨ଟି ଧ୍ଵଜାବତା ନିର୍ମାଣ ସମେତ ୩ଟି ଦୁଆର ବେଢ଼ା ନିର୍ମାଣ ସରିଛି । ଚାର ପାରୁଛ ଓ ଆଗଆଣି କତରା ବାଡ଼ାଯାଇଛି । ଖପୁରି ଓ ପାରାଭାଡ଼ିକୁ ମିଶାଇ ତେରପରସ୍ତ ପୋଟଳ ନିର୍ମାଣ ଶେଷ ହୋଇଛି । ପାରାଭାଡ଼ି ରଙ୍ଗ କରାଯିବା ପରେ ରଥ ଉପରେ ପୋଟଳ ଲଦାଯାଇଛି । ତିନିରଥରେ ପୋଟଳ ସହ ପାରାଭାଡ଼ି ସଂଯୋଗ କରାଯିବ । ରୂପକାର ସେବକ ନାଟଗୋଡ଼ ଓ ପଟା ଗୁଜରେ ଖୋଦେଇ କରୁଛନ୍ତି । ଚିତ୍ରକାରଙ୍କ ଦ୍ଵାରା ପାର୍ଶ୍ଵ ଦେବାଦେବୀଙ୍କ ସମେତ ନାଟଗୋଡ଼, ସିଂହାସନ, ଅଁଳା ଓ ଚକଗୁଡ଼ିକୁ ରଙ୍ଗ କରାଯାଉଛି । ଦରଜି ସେବକ ତିନିରଥର ଦୁଆରବେଢ଼ା ପାଇଁ କନା କାଟୁଛନ୍ତି । ଅସ୍ଥାୟୀ କମାରଶାଳରେ ଓଝା ସେବକଙ୍କ ଦ୍ଵାରା ବେଦୀପଟା ବାଡ଼ିଆ ପାଇଁ କଣ୍ଟା ପ୍ରସ୍ତୁତ କରାଯାଉଛି ।
ଇଟିଭି ଭାରତ, ପୁରୀ