ବିଳମ୍ବିତ ରାତିରେ ସାଂସଦ ଅନୁଭବଙ୍କ ୟୁଟ୍ୟୁବ ଭିଡିଓ, କହିଲେ-ନ୍ୟାୟ ଅପେକ୍ଷାଠୁ ଭଲ ମୃତ୍ୟୁକୁ ଆପଣାଇନେବା

By

Published : May 19, 2022, 5:27 PM IST

thumbnail
କଟକ/କେନ୍ଦ୍ରାପଡା: ଭଲ ପାଇ ଭୁଲ୍‌ କଲି, ନ୍ୟାୟକୁ ଅପେକ୍ଷା କରିବାଠୁ ବରଂ ‍ଭଲ ମୃତ୍ୟୁକୁ ଆପଣାଇ ନେବା; କିନ୍ତୁ ମୁଁ କେବେବି...’ ବିଳମ୍ବିତ ରାତିରେ ୟୁଟ୍ୟୁବରେ ଏକ ଭିଡିଓ ଜାରି କରି ବୈବାହିକ ଜୀବନ ସମ୍ପର୍କରେ କିଛି ଏପରି କହିଛନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାହ ବିଚ୍ଛେଦ ମାମଲାକୁ ନେଇ ଚର୍ଚ୍ଚାରେ ଥିବା ସାଂସଦ ଅନୁଭବ ପୁଣି ଏ ନେଇ ଚର୍ଚ୍ଚାକୁ ଆସିଛନ୍ତି । ସୋସିଆଲ ମିଡିଆରେ ଅନୁଭବ ଏହି ଭିଡିଓ ସେୟାର କରିବା ପରେ ତାଙ୍କୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ଭିଡ଼ିଓରେ ନିଜର ମନର କଥା କହିଛନ୍ତି ଅନୁଭବ । ଆଖିରେ ଆଖିଏ ଲୁହ ଆଉ ଛାତିରେ କୋହକୁ ଚାପି ବିଳମ୍ବିତ ରାତିରେ ସୋସିଆଲ ମିଡିଆରେ ଭିଡିଓ ସେୟାର କଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ଆଜି (ଗୁରୁବାର) ଭୋର ୪ଟା ସମୟରେ ଅନୁଭବଙ୍କ ୟୁଟ୍ୟୁବରୁ ସେୟାର ହୋଇଥିବା ଏହି ଭିଡ଼ିଓଟିରେ ଅନୁଭବ ଯୌଥ ପରିବାରରେ ବାସ କରୁଥିବା କହିଥିବା ବେଳେ ପ୍ରେମ କରି ତାଙ୍କ ଜୀବନ ଆଉ ପରିବାରର ଭବିଷ୍ୟତ ଅନ୍ଧକାର ହୋଇଗଲା ବୋଲି ପରୋକ୍ଷରେ କହିଛନ୍ତି। ୩୨ ମିନିଟ ୩୧ସେକେଣ୍ଡର ଏହି ଭିଡ଼ିଓଟିର ପ୍ରଥମ ୧୫ମିନିଟ ପର୍ଯ୍ୟନ୍ତ ଅନୁଭବ ନିଜ ବାପା,ମା,ସାନଭାଇ,ବଡବାପା ଓ ପିଉସୀ ମାନଙ୍କ ସହ ୧୭ବର୍ଷ ବୟସରୁ ତାଙ୍କୁ ମଧୁମେହ ରୋଗ ହୋଇଥିବା ବେଳେ ୨୮୫ଟଙ୍କାର ଇନ୍ସୁଲିନ ଓ ଛୁଞ୍ଚି ପାଇଁ ତାଙ୍କ ପରିବାରର ସାମର୍ଥ୍ୟ ନଥିବା କହିଥିବା ବେଳେ ଏହି ଇନ୍ସୁଲିନ ପାଇଁ ମା'ଙ୍କ ଗହଣା ବନ୍ଧା ପକାଇବା ଆଦି ବିଷୟରେ ଉଲ୍ଲେଖ କରିଛନ୍ତି।ଆହୁରିମଧ୍ୟ ୨୦୦୮ ମସିହାରୁ ତାଙ୍କର ପ୍ରେମ ସମ୍ପର୍କ ଗଢିଉଠିବା ଠାରୁ ଆଜିଯାଏ ସେ କେଉଁଭଳି ମାନସିକ ନିର୍ଯ୍ୟାତନାର ଶିକାର ହୋଇଛନ୍ତି ସେନେଇ ପ୍ରଥମଥର ମୁହଁ ଖୋଲିଛନ୍ତି ଷ୍ଟାରରୁ ଏମପି ହୋଇଥିବା ଅନୁଭବ। ମଣିଷ ଭଲପାଇଲେ ସବୁ ପାଇଥାଏ ହେଲେ ସେ ଭଲପାଇବା ପରେ ପୋଲିସ,ଥାନା,କୋର୍ଟ ଆଉ କଚେରୀ ଦେଖୁଛନ୍ତି ବୋଲି କହି ମହିଳା ହେବାର ଭରପୁର ଫାଇଦା ଜଣେ ଉଠାଉଛନ୍ତି ବୋଲି କହିଛନ୍ତି । ଏଥିସହ ସବୁଥର ଭଳି ଏଥର ମଧ୍ୟ ଗଣମାଧ୍ୟମକୁ କଟାକ୍ଷ କରିବା ଭୁଲିନାହାନ୍ତି ଅନୁଭବ। ତାଙ୍କର ୟୁଟ୍ୟୁବ ଭିଡ଼ିଓରେ ତାଙ୍କୁ ବଦନାମ ଓ ତଳିତଳାନ୍ତ କରିବା ପାଇଁ ଗଣମାଧ୍ୟମରେ କିଛି ବ୍ୟକ୍ତି ନିଷ୍ପତ୍ତି ନେଇଥିବା କହିବା ସହ ଏହି ଭିଡିଓ ରିଲିଜ ହେବା ପରେ ତାଙ୍କର ରାଜନୈତିକ କ୍ଷମତା ଓ ପଦବୀ କଣ ରହିବ ସେନେଇ ସେ ଅଜ୍ଞ ରହିଥିବା କହିଛନ୍ତି।ଆହୁରିମଧ୍ୟ ଯେଉଁମାନେ ତାଙ୍କ ଭଳି ଏମିତି ନିର୍ଯ୍ୟାତିତ ହେଉଛନ୍ତି ତାଙ୍କ ପାଇଁ ଅନୁଭବ ସବୁ ସମୟରେ ଛିଡା ହେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ,୧୧ଘଣ୍ଟା ପୂର୍ବରୁ ଅନୁଭବଙ୍କ ୟୁଟ୍ୟୁବରୁ ସେୟାର ହୋଇଥିବା ଏହି ଭିଡ଼ିଓଟିକୁ ବର୍ତ୍ତମାନ ସୁଦ୍ଧା ୬୭ହଜାର ଦର୍ଶକ ଦେଖି ସାରିଲେଣି । କଟକରୁ ପ୍ରଭୁକଲ୍ୟାଣ ପାଲ, କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.