କାକଟପୁର ମେଡିକାଲରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ: ଫାର୍ମାସିଷ୍ଟଙ୍କୁ ପିଟିଲେ, ଭଙ୍ଗାରୁଜା କଲେ - ଫାର୍ମାସିଷ୍ଟଙ୍କୁ ମାଡ ମାରିଲେ ଯୁବକ

🎬 Watch Now: Feature Video

thumbnail

By

Published : Jul 14, 2023, 7:20 AM IST

ପୁରୀ: କାକଟପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ଫାର୍ମାସିଷ୍ଟଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ମାଡ ମାରିବା ସହ ଭଙ୍ଗାରୁଜା କଲେ ଯୁବକ । ଏହି ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଆକ୍ରମଣରେ ଆହତ ଫାର୍ସାସିଷ୍ଟ ହେଉଛନ୍ତି ଭକ୍ତ ନାରାୟଣ ମହାରଣା । ଚିକିତ୍ସାରେ ଅବହେଳା ଅଭିଯୋଗ କରି ସମ୍ପୃକ୍ତ ଯୁବକ ତାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଏନେଇ କାକଟପୁର ଥାନାରେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିଛି ।  

ଯାହା ସୂଚନା ମିଳିଛି, କାକଟପୁର ଅଞ୍ଚଳର ଜଣେ ଯୁବକ ନିଜର ସମ୍ପର୍କୀୟଙ୍କୁ ଚିକିତ୍ସା ପାଇଁ କାକଟପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ଏହି ସମୟରେ ଫାର୍ମାସିଷ୍ଟ ସ୍ବାସ୍ଥ୍ୟକେନ୍ଦ୍ରରେ ଅନ୍ୟ ରୋଗୀମାନଙ୍କୁ ଚିକିତ୍ସା କରୁଥିବା ବେଳେ ଯୁବକ ଜଣକ ତାଙ୍କ ସମ୍ପର୍କୀୟଙ୍କୁ ଚିକିତ୍ସା କରିବା ପାଇଁ ଜିଦି କରିଥିଲେ । ଫାର୍ମାସିଷ୍ଟ ଭକ୍ତ ନାରାୟଣ ତାଙ୍କୁ କିଛି ସମୟ ଅପେକ୍ଷା କରିବାକୁ କହିଥିଲେ । ଏତିକିରେ ଯୁବକଙ୍କ ମୁଣ୍ଡରେ ପିତ ଚଢି ଯାଇଥିଲା । ସେ ଉତକ୍ଷିପ୍ତ ହୋଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି କାର୍ଯ୍ୟରତ ଫାର୍ମାସିଷ୍ଟଙ୍କୁ ଆକ୍ରମଣ କରିଥିଲେ । ମେଡିକାଲ ଭିତରେ ଥିବା ଆସବାବପତ୍ରକୁ ଫିଙ୍ଗାଫୋପଡା କରିବା ସହିତ ଟେବୁଲ ଉଠାଇ ମାଡ ମାରିଥିଲେ । ସବୁ ଘଟଣା ସିସିଟିଭିରେ କଏଦ ହୋଇଥିଲା  ।  

ଏହାମଧ୍ୟ ପଢନ୍ତୁ: କାର୍ ଧକ୍କାରେ ଭାଙ୍ଗିଗଲା କାଉଡି; ରାଗିଯାଇ ଏମିତି କାଣ୍ଡ କଲେ କାଉଡିଆ

ଏ ସମ୍ପର୍କରେ ଆହତ ଫାର୍ମାସିଷ୍ଟ ସଙ୍ଗେ ସଙ୍ଗେ ମେଡିକାଲ ଇନଚାର୍ଜ ଆଶିଷ କୁମାର ମହାପାତ୍ରଙ୍କୁ ଜଣାଇଥିଲେ । ସିସିଟିଭି ଦେଖିଲା ପରେ ଇନଚାର୍ଜ କାକଟପୁର ଥାନାରେ ଏକ ମାମଲା ଦାୟର କରିଥିଲେ । ଏହାପରେ କାକଟପୁର ଥାନାଧିକାରୀ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତକୁ ଗିରଫ କରିଛନ୍ତି । ତେବେ ଉକ୍ତ ଯୁବକର ଆତଙ୍କରାଜକୁ ନେଇ ରୋଗୀମାନେ ଭୟଭୀତ ହୋଇ ପଡ଼ିଥିଲେ । ଏଭଳି ଘଟଣାକୁ ସବୁ ମହଲରେ କଡ଼ା ନିନ୍ଦା କରାଯାଇଛି । କାକଟପୁର ମେଡ଼ିକାଲ ଅନେକ ସମୟରେ ଏଭଳି ଅପ୍ରୀତିକର ସ୍ଥିତି ଉପୁଜୁଥିବା ବେଳେ ଏଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ପାଇଁ ଦାବି ହୋଇଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.