'ଦିଲ୍ଲୀ ପୋଲିସ ଉପରେ ଭରସା ନାହିଁ', ବ୍ରିଜଭୂଷଣ ଗିରଫ ହେବା ପର୍ଯ୍ୟନ୍ତ ଜାରି ରହିବ ଧାରଣା - ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହ

🎬 Watch Now: Feature Video

thumbnail

By

Published : Apr 28, 2023, 10:40 PM IST

ନୂଆଦିଲ୍ଲୀ: ଜନ୍ତର-ମନ୍ତରରେ ଜାରି ରହିଛି କୁସ୍ତିଯୋଦ୍ଧାଙ୍କ ଧାରଣା । ତେବେ ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଶୁକ୍ରବାର ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । କିନ୍ତୁ ଏହାପରେ ମଧ୍ୟ କୁସ୍ତିଯୋଦ୍ଧାଙ୍କର ଧାରଣା ଜାରି ରହିଛି । ଏନେଇ ଶୁକ୍ରବାର ସନ୍ଧ୍ୟାରେ ଧାରଣାରତ କୁସ୍ତିଯୋଦ୍ଧା ମାନେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ । ଏଥିରେ ସୁପ୍ରିମକୋର୍ଟଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ଥିଲେ ମଧ୍ୟ ଦିଲ୍ଲୀ ପୋଲିସ ଉପରେ ଭରସା ନଥିବା କହିଛନ୍ତି କୁସ୍ତିଯୋଦ୍ଧା । ତେଣୁ ବ୍ରିଜଭୂଷଣ ଗିରଫ ନହେବା ପର୍ଯ୍ୟନ୍ତ ସେମାନେ ଧାରଣା ପ୍ରଦର୍ଶନ ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି ।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁସ୍ତିଯୋଦ୍ଧା ବିନେଶ ଫୋଗାଟ କହିଛନ୍ତି, "ବ୍ରିଜଭୂଷଣଙ୍କୁ ସମସ୍ତ ପଦରୁ ବହିଷ୍କାର କରାଯିବା ଉଚିତ । ଆମର ସୁପ୍ରିମକୋର୍ଟଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ଅଛି । ଏବେ ପର୍ଯ୍ୟନ୍ତ ହୋଇଥିବା ଯାଞ୍ଚ ପ୍ରକ୍ରିୟାରେ ମଧ୍ୟ ଆମେ ସନ୍ତୁଷ୍ଟ ଅଛୁ । ଦେଶରେ ବିଭିନ୍ନ ଖେଳର ଭବିଷ୍ୟତ ବଞ୍ଚାଇ ରଖିବାକୁ ହେଲେ ଆମକୁ ଏକାଠି ଲଢ଼ିବାକୁ ପଡ଼ିବ । ତେବେ ଯଦି ବ୍ରିଜଭୂଷଣ କୁସ୍ତି ସଂଘର ଅଧ୍ୟକ୍ଷ ରୁହନ୍ତି, ତେବେ ସେ ଏହି ପଦର ଦୂରୁପଯୋଗ କରିପାରନ୍ତି ।" ସେହିଭଳି ବଜରଙ୍ଗ ପୁନିଆ କହିଛନ୍ତି, "ବ୍ରିଜଭୂଷଣଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବା ଉଚ୍ଚିତ ଓ ତାଙ୍କୁ ଜେଲ ପଠାଯିବା ଦରକାର । ଯେପର୍ଯ୍ୟନ୍ତ ତାଙ୍କୁ ଗିରଫ କରାନଯାଇଛି, ସେପର୍ଯ୍ୟନ୍ତ ଆମେ ଧାରଣା ଜାରି ରଖିବୁ । ଆମକୁ ସୁପ୍ରିମକୋର୍ଟଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ରହିଛି । କିନ୍ତୁ ଦିଲ୍ଲୀ ପୋଲିସ ଉପରେ କୌଣସି ଭରସା ନାହିଁ ।" ତେବେ କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଆସିଥିବା ସମସ୍ତ ଅଭିନେତା ତଥା ଖେଳାଳି ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ବଜରଙ୍ଗ ପୁନିଆ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.