ରାସନକାର୍ଡ଼ରେ ଚଞ୍ଚକତା କରି ହାତେଇଲେ ସ୍ୱାସ୍ଥ୍ୟ ସୁବିଧା, ଅଭିଯୋଗ ପରେ ତଦନ୍ତ ନିର୍ଦ୍ଦେଶ

By

Published : May 7, 2023, 3:58 PM IST

thumbnail

ଖୋର୍ଦ୍ଧା: ରାସନକାର୍ଡରେ ଚଞ୍ଚକତା କରି ହାତେଇଲେ ସ୍ବାସ୍ଥ୍ୟ ସୁବିଧା । ପରିବାର ସଦସ୍ୟ ନହୋଇ କିପରି କାର୍ଡ଼ରେ ସାମିଲ ହେଲେ ନୂଆ ସଦସ୍ୟ, ସେନେଇ ତଦନ୍ତ ଦାବି କରି ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଭେଟିଲେ ମହିଳା । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଧଳାପଥର ପଞ୍ଚାୟତରୁ ।

ସୂଚନା ଅନୁଯାୟୀ ଧଳାପଥର ଗ୍ରାମର ମମତା ପୃଷ୍ଟି, ତାଙ୍କ ସ୍ବାମୀ ଓ ଦୁଇ ପୁଅ ଝିଅଙ୍କ ନାମ ସରକାର ପ୍ରଦାନ କରିଥିବା ଖାଉଟି କାର୍ଡ଼ରେ ସାମିଲ ଥିଲା । କିନ୍ତୁ ଗତ ଏକ ମାସ ତଳେ ନିଜ ଝିଅର ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ସେ ଭୁବନେଶ୍ବର ଏମ୍ସ ହସ୍ପିଟାଲ ଯାଇ ରାସନ କାର୍ଡ ସାହାଯ୍ୟରେ ଚିକିତ୍ସିତ ହେବାକୁ ଚାହିଁଥିଲେ । କିନ୍ତୁ ସେଠାରେ ଜାଣିବାକୁ ପାଇଥିଲେ ଯେ, ତାଙ୍କ କାର୍ଡ଼ରେ ଅନ୍ୟ ଜଣେ ଯୁବତୀ ବିଜୟିନୀ ପୃଷ୍ଟିଙ୍କୁ ଚଞ୍ଚକତା କରି ସାମିଲ କରାଯାଇଛି । ସେହି ଯୁବତୀ ମମତାଙ୍କ ରାସନ କାର୍ଡ ସହାୟତାରେ ଚିକିତ୍ସିତ ହେଉଛନ୍ତି । ମମତା ପରିବାରର ମୁଖ୍ୟ ହିସାବରେ ରାସନ କାର୍ଡ ପାଇଥିବା ବେଳେ ତାଙ୍କ ଅଗୋଚରରେ କିଏ ଏବଂ କିପରି ବିଜୟିନୀ ପୃଷ୍ଟିଙ୍କୁ ସାମିଲ କରାଇଲେ ସେନେଇ ଆଶ୍ଚର୍ଯ୍ୟ ହୋଇଥିଲେ ।

ତେବେ ଏନେଇ ମମତା ବୋଲଗଡ଼ ବିଡିଓ ଏବଂ ଯୋଗାଣ ଅଧିକାରୀଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ । ମମତାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ସ୍ବାମୀ ସୁରେଶ ପୃଷ୍ଟି ସ୍ଥାନୀୟ ସରପଞ୍ଚଙ୍କୁ ଧରି ଚଞ୍ଚକତା କରି ରାସନ କାର୍ଡ଼ରେ ବିଜୟିନୀ ପୃଷ୍ଟିଙ୍କ ନାମ ସଂଯୋଗ କରିଛନ୍ତି ଏବଂ ସେହି କାର୍ଡରେ ସରକାର ଯୋଗାଉଥିବା ମାଗଣା ଚିକିତ୍ସା ସୁବିଧା ବିଭିନ୍ନ ଘରୋଇ ଚିକିତ୍ସାଳୟରେ ନେଉଛନ୍ତି । ଏନେଇ ଶନିବାର ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିବାପରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ସୁଗଡା ମୁର୍ମୁ । କିପରି ଓ କାହା ନିର୍ଦ୍ଦେଶରେ ବିଜୟିନୀଙ୍କୁ ମମତାଙ୍କ ପରିବାର ସଦସ୍ୟ କରାଯାଇ ସାମିଲ କରାଗଲା ତାହାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିବା ସହ ତୁରନ୍ତ ମମତାଙ୍କ ରାସନ କାର୍ଡରୁ ବିଜୟିନୀଙ୍କୁ ବାଦ ଦେବାକୁ ବୋଲଗଡ଼ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.