ଭୁବନେଶ୍ବର: ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି ମୋହନ ସରକାର । 12ଜଣ ଅଫିସରଙ୍କ ବିଭାଗ ବଦଳି ସହ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଛି । ଫାଙ୍କା ପଡିଥିବା ଶ୍ରମ କମିଶନର ପଦବୀ ଦୀର୍ଘ ଦିନ ପରେ ପୂରଣ କରିଛନ୍ତି ସରକାର । ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ମହାନ୍ତିଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବିଜ୍ଞପ୍ତି ଅନୁସାରେ, ଶ୍ରମ ଓ ଇଏସଆଇ ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ ହୋଇଛନ୍ତି 1995 ବ୍ୟାଚ ଆଇଏଏସ ଚିତ୍ରା ଅରୁମୁଗମ । ବିଜ୍ଞାନ ଏବଂ କାରିଗରି କୌଶଳ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ସେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ପୂର୍ବରୁ ସେ ସରକାରଙ୍କ ସ୍ୱତନ୍ତ୍ର ସଚିବ ଭାବେ ଯୋଜନା ଏବଂ ସଂଯୋଜନା ବିଭାଗର ଅତିରିକ୍ତ ଦାଇତ୍ୱରେ ଥିଲେ । ବାଣିଜ୍ୟକର ଓ ଜିଏସଟି କମିଶନର ଭାବେ ଅବସ୍ଥାପିତ ହୋଇଛନ୍ତି 2008 ବ୍ୟାଚର ଆଇଏଏସ ଯାମିନୀ ଷଡ଼ଙ୍ଗୀ । ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ସେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ ।
ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ 2010 ବ୍ୟାଚର ଆଇଏଏସଙ୍କୁ ସୁଧାଂଶୁ ମୋହନ ସାମଲଙ୍କୁ ଦାଇତ୍ୱ ଦେଇଛନ୍ତି ମୋହନ ସରକାର । ପୂର୍ବରୁ ସେ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିଲେ । ପର୍ଯ୍ୟଟନ ସଚିବ ଭାବେ କାର୍ଯ୍ୟ କରୁଥିବା ଆଇଏଏସ ବଳବନ୍ତ ସିଂ ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି । 2011 ବ୍ୟାଚର ଆଇଏଏସ ଇନ୍ଦ୍ରମଣି ତ୍ରିପାଠୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାଇତ୍ୱ ଦେଇଛନ୍ତି ମୋହନ ସରକାର । ଶ୍ରମ କମିଶନର ଭାବେ ଇନ୍ଦ୍ରମଣୀଙ୍କୁ ବଦଳି କରାଯାଇଛି । ବର୍ତ୍ତମାନ ସେ ଅନୁସୁଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ଶ୍ରମ କମିଶନର ଭାବେ ଆଇଏଏସ ବିଜୟ ଅମୃତ କୁଲାଙ୍ଗେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି ।
ଇନ୍ଦ୍ରମଣୀଙ୍କୁ ନୂଆ ନିଯୁକ୍ତି ମିଳିବା ପରେ ଆଇଏଏସ ପୋମା ଟୁଡ଼ୁଙ୍କୁ ଅନୁସୂଚିତ ଜନଜାତି ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । 2012 ବ୍ୟାଚର ଏହି ଅଫିସର ଓଡ଼ିଶା ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ସହ ଫୁଡ ସେଫଟି କମିଶନର ଓ ଟିଡିସିସିଓଏଲ ପରିଚାଳନା ନିର୍ଦ୍ଦେଶକ ଭାବେ ମଧ୍ୟ ଦାୟିତ୍ୱରେ ରହିବେ । ଗୃହ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛନ୍ତି 2012 ବ୍ୟାଚର ଆଇଏଏସ ତ୍ରିଲୋଚନ ମାଝୀ । ତ୍ରିଲୋଚନ ଏବେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ରାଜ୍ୟ ସମବାୟ ସୋସାଇଟି ରେଜିଷ୍ଟ୍ରାର ନିର୍ଦ୍ଦେଶକ ହୋଇଛନ୍ତି 2012 ବ୍ୟାଚର ଆଇଏଏସ ସିଦ୍ଧାର୍ଥ ଦାସ । ସେ କ୍ରୀଡ଼ା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି ।
ଏହା ମଧ୍ୟ ପଢନ୍ତୁ :- IAS ସ୍ତରରେ ବଡଧରଣର ଅଦଳବଦଳ; ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ବଦଳିଲେ ୧୭ ଜିଲ୍ଲାପାଳ
ଇଷ୍ଟେଟ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି 2013 ବ୍ୟାଚର ଆଇଏଏସ ବିଜୟ କୁମାର ପୃଷ୍ଟି । ଏହା ସହ ସେ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରିବେ । ସେ ଓରେରା ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ଅର୍ଥ ବିଭାଗର ଅତିରିକ୍ତ ସଚିବ ଥିବା 2013 ବ୍ୟାଚର ଆଇଏଏସ ସତ୍ୟବ୍ରତ ରାଉତଙ୍କୁ ନୂଆ ନିଯୁକ୍ତି ମିଳିଛି । ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ ଭାବେ ତାଙ୍କୁ ବଦଳି କରାଯାଇଛି । ଓଡ଼ିଶା ଜୀବିକା ମିଶନର ମିଶନ ନିର୍ଦ୍ଦେଶିକା ହୋଇଛନ୍ତି ମୋନିକା ପ୍ରିୟଦର୍ଶିନୀ । ଆନ୍ତଃ କ୍ୟାଡ଼ର ଡେପୁଟେସନରେ ଓଡ଼ିଶା ଆସିଥିବା 2014 ବ୍ୟାଚର ଆଇଏଏସଙ୍କୁ ଏହି ନୂଆ ନିଯୁକ୍ତି ମିଳିଛି । କ୍ରୀଡ଼ା ନିର୍ଦ୍ଦେଶକ ହୋଇଛନ୍ତି 2014 ବ୍ୟାଚର ଆଇଏଏସ ଦୀପଙ୍କର ମହାପାତ୍ର । ସେ ହକି ପ୍ରମୋସନ କାଉନସିଲ ସିଇଓ ଭାବେ କାର୍ଯ୍ୟ କରୁଛନ୍ତି । ଅର୍ଥ ବିଭାଗର ଅତିରିକ୍ତ ସଚିବ ଥିବା 2013 ବ୍ୟାଚର ଆଇଏଏସ ସ୍ମିତା ରାଉତଙ୍କୁ ନୂଆ ନିଯୁକ୍ତି ମିଳିଛି । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ଭାବେ ସେ ଅବସ୍ଥାପିତ ହୋଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର