ଭୁବନେଶ୍ବର: ବାଜି ମାରିଲା ଭାରତୀୟ ମହିଳା ହକି ଦଳ, ପୁରୁଷ ଦଳ କଲା ନିରାଶ । ଗତାକାଲି(ଶନିବାର)ଠାରୁ ଭୁବନେଶ୍ଵରର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ଏଫଆଇଏଚ୍ ହକି ପ୍ରୋ ଲିଗ 2024-25 । ଉଦଘାଟନୀ ମ୍ୟାଚରେ ଭାରତୀୟ ପୁରୁଷ ଦଳ ସ୍ପେନ ସହିତ ଏବଂ ମହିଳା ଦଳ ଇଂଲଣ୍ଡ ସହ ମୁହାଁମୁହିଁ ହୋଇଥିଲେ । ତେବେ ପ୍ରଥମ ଦିନରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଏବଂ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମ୍ୟାଚରେ ଉପସ୍ଥିତ ରହି କ୍ରୀଡ଼ାବିତମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଉତ୍ସାହିତ କରିଥିଲେ । ଏହି ପ୍ରତିଯୋଗିତା ଫେବୃଆରୀ ୨୫ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଚାଲିବ ।

ଭାରତୀୟ ମହିଳା ହକି ଦଳର କମାଲ:
ଗତକାଲି (ଶନିବାର) ଏଫଆଇଏଚ୍ ହକି ପ୍ରୋ ଲିଗ ମ୍ୟାଚରେ ଭାରତୀୟ ମହିଳା ହକି ଦଳ ଇଂଲଣ୍ଡକୁ 3-2 ଗୋଲରେ ପରାସ୍ତ କରିଥିଲା । କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା FIH HOCKEY PRO LEAGUE 2024-25ର ପ୍ରଥମ ଦିନର ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଭାରତୀୟ ମହିଳା ହକି ଦଳ ଏବଂ ଇଂଲଣ୍ଡ । ପ୍ରଥମରୁ ହିଁ ଆକ୍ରମଣାତ୍ମକ ଢଙ୍ଗରେ ଖେଳିବା ଆରମ୍ଭ କରିଥିଲା ଭାରତୀୟ ଟିମ । ପ୍ରଥମ କ୍ବାର୍ଟରରେ 6 ମିନିଟରେ ହିଁ ଭାରତ ପେନାଲଟିକ କର୍ଣ୍ଣରରେ ପ୍ରଥମ ଗୋଲ ଦେଇଥିଲା । ଏହାପରେ ଦ୍ୱିତୀୟ କ୍ବାର୍ଟରରେ ଇଂଲଣ୍ଡ ମହିଳା ଦଳ ମଧ୍ୟ ଗୋଟିଏ ଗୋଲ ଦେଇ ସ୍ଥିତି ବରାବର କରିଥିଲା । ପରେ ଭାରତୀୟ ଦଳ 2ଟି ଏବଂ ଇଂଲଣ୍ଡ ଦଳ ମଧ୍ୟ 2 ଗୋଲ ଦେଇ ସମାନ ସ୍ଥିତିରେ ରହିଥିଲା । ଶେଷ କ୍ବାର୍ଟରରେ ଭାରତୀୟ ମହିଳା ଦଳ ଶେଷ ଗୋଲ ଦେଇ 3-2ରେ ବିଜୟୀ ହୋଇଥିଲା । ଓଡ଼ିଆ ଝିଅ ସୁନେଲିତା ଟପ୍ପୋ ଏକ ମାତ୍ର ଓଡ଼ିଆ ଖେଳାଳି ଭାବରେ ଭାରତୀୟ ଦଳରେ ସାମିଲ ଅଛନ୍ତି । ପ୍ରଥମ ଦିନରେ ମହିଳା ହକି ବର୍ଗରେ ୨ଟି ଏବଂ ପୁରୁଷ ହକି ବର୍ଗରେ ୧ ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ସ୍ପେନ ଓ ଜର୍ମାନୀ ମହିଳା ହକି ଦଳ ମଧ୍ୟରେ ହୋଇଥିବା ମ୍ୟାଚରରେ ସ୍ପେନ ବିଜୟୀ ହୋଇଥିଲା । ସେହିପରି ଭାରତ ଓ ସ୍ପେନ ପୁରୁଷ ହକି ଦଳ ମଧ୍ୟରେ ହୋଇଥିବା ମ୍ୟାଚରେ ସ୍ପେନ ବିଜୟୀ ହୋଇଥିଲା ।


ହାରିଲା ଭାରତୀୟ ପୁରୁଷ ଦଳ:
ଗୋଟିଏ ପଟେ ଭାରତୀୟ ମହିଳା ଦଳ ବିଜୟୀ ହୋଇଥିବାବେଳେ ଅନ୍ୟପେଟେ ପୁରୁଷ ଦଳ ସ୍ପେନଠାରୁ ପରାଜୟର ସ୍ବାଦ ଚାଖିବାକୁ ପଡ଼ିଛି । ଭରତ ପକ୍ଷରୁ ସୁଖଜିତ ସିଂହ ଏକ ମାତ୍ର ଗୋଲ କରିଥିବାବେଳେ ସ୍ପେନ ପକ୍ଷରୁ ବାର୍ଜା ଲାକାଲେ, ଇଗ୍ନାସିଓ କବସ୍ ଏବଂ ବ୍ରୁନୋ ଆଭିଲା ଗୋଟିଏ ଲେଖାଏଁ ଗୋଲ କରିଥିଲେ । ତେବେ ଭାରତୀୟ ପୁରୁଷ ହକି ଦଳ ଘରୋଇ ପରିବେଶ ଭିତରେ ହାରିଥିବାରୁ ଟିମକୁ ଲାଗିଛି ଶକ୍ତ ଝଟକା ।

ଇଟିଭି ଭାରତ, ଭୁବନେଶ୍ବର