thumbnail

ଧାନକ୍ଷେତ ମୁହାଁ ଜଙ୍ଗଲୀ ବାରହା, ପାଳି କରି ଜଗୁଛନ୍ତି ଗ୍ରାମବାସୀ

By

Published : Oct 20, 2022, 8:35 AM IST

Updated : Feb 3, 2023, 8:29 PM IST

ଖୋର୍ଦ୍ଧା: ଆଖିରୁ ନିଦ ହଜାଇଛି ବାରହା । ଧାନ କ୍ଷେତ ଜଗିବା ପାଇଁ ସାରାରାତି ଉଜାଗର ରହୁଛି ଚାଷୀ । ଧାନ ବିଲରେ ମଞ୍ଚା ବାନ୍ଧି ଚଷାପୁଅ ଫସଲ ଜଗୁଛି । ଗତ ଅଦିନିଆ ବର୍ଷା, ବନ୍ୟା ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି । ଏସବୁ ବାଧାବିଘ୍ନ ପରେ ମଧ୍ୟ ବର୍ଷକର ଆହାର ଯୋଗାଡ ପାଇଁ ଚାଷୀ ଚେଷ୍ଟିତ ଥିବାବେଳେ ଏବେ ଦାଉ ସାଧିଛି ଜଙ୍ଗଲୀ ବାରହା । ସୁନାର ଫସଲ ହସିବା ବେଳକୁ ବାରହାଙ୍କ ଉତ୍ପାତ ସବୁ ଫସଲକୁ ନଷ୍ଟ କରୁଛି । ଜଙ୍ଗଲୀ ବାରହା କବଳରୁ ଫସଲକୁ ରକ୍ଷା କରିବା ପାଇଁ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ବଡ଼ବେରଣା, ତଣ୍ଡାଳ, କାଚେରା, ଜେମାବନ୍ତଦେଇ, ଗଁପୁର, କଣ୍ଟାମଳିମ ଆଦି ଗ୍ରାମର ଚାଷୀପୁଅଙ୍କ ଆଖିରେ ନିଦ ନାହିଁ । ରାତି ହେଲେ ଗ୍ରାମବାସୀ ପାଳି କରି ବନ୍ଧା ହୋଇଥିବା ମଞ୍ଚା ଉପରେ ଜଗି ବସୁଛନ୍ତି । ବାରହା ପଲ ଆସିଲେ ଲୋକେ ନିଆଁ ହୁଲା, ବାଣ ଫୁଟାଇ, ଟିଣ ବଜାଇ ଘଉଡାଉ ଥିବା ଦେଖିବାକୁ ମିଳିଛି । ବାରହା ଘଉଡାଇବା ଗ୍ରାମବାସୀଙ୍କ ନିତିଦିନିଆ କାମ ପାଲଟିଛି । ସେପଟେ ବେଗୁନିଆ ବନ ବିଭାଗ କର୍ମଚାରୀଙ୍କୁ ଅଭିଯୋଗ କଲେ ସେ ନିରୁପାୟ ବୋଲି ଉତ୍ତର ଦେଉଥିବାରୁ ଗ୍ରାମବାସୀ ପାଳି କରି ଜଗୁଥିବା ଅଭିଯୋଗ କରିଛନ୍ତି । ସରକାର ସହଯୋଗ ଓ ସହାୟତା ଦେବାକୁ ଅଞ୍ଚଳର ଚାଷୀମାନେ ଦାବି କରିଛନ୍ତି । ଇଟିଭି ଭାରତ, ଖୋର୍ଦ୍ଧା
Last Updated : Feb 3, 2023, 8:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.